Unknown

 

 

 

 

 

 

 

 

 

 

 

 

କଥାସରିତ ସାଗର

ଅନୁବାଦ

ଶ୍ରୀ ଶ୍ୟାମସୁନ୍ଦର ମିଶ୍ର

 

ସୂଚୀପତ୍ର

 

୧.

ଶ୍ରୀଦତ୍ତ ଏବଂ ମୃଗାଙ୍କବତୀ

୨.

ଦେବସ୍ମିତା

୩.

ଜୀମୂତବାହନ କଥା

୪.

ନଳ ଓ ଦମୟନ୍ତୀ କଥା

୫.

କମଳାକର ଏବଂ ହଂସାବଳୀ କଥା

Image

 

ମୁଖବନ୍ଧ

କଥାସରିତ୍ ସାଗର

 

ଅଧୁନା ଲୁପ୍ତପ୍ରାୟ ସୁପ୍ରସିଦ୍ଧ କଥା କାବ୍ୟ ଗୁଣାଢ଼୍ୟଙ୍କର ‘ବୃହତ୍‌କଥା’ ବା ବଡ୍‌ଡ଼କହାର ଆଧାରରେ କଥାସରିତ୍ ସାଗର ସୋମଦେବଙ୍କ ଦ୍ୱାରା ରଚିତ । ବୃହତ୍‍କଥା ପରବର୍ତ୍ତୀ କାଳୀନ ସମାଜରେ ରାମାୟଣ ଓ ମହାଭାରତ ପରି ପ୍ରଭାବ ବିସ୍ତାର କରିଥିଲା । ପୈଶାଚୀ ନାମକ ପ୍ରାକୃତ ଭାଷାରେ ସରଳଶୈଳୀନିବଦ୍ଧ ପୂର୍ବୋକ୍ତ ଗ୍ରନ୍ଥର କାହାଣୀଗୁଡ଼ିକ ଅତ୍ୟନ୍ତ ରମଣୀୟ ଏବଂ ମର୍ମସ୍ପର୍ଶୀ ଥିଲା । ସୁତରାଂ ବହୁ କବି ଓ ଲେଖକ ସେମାନଙ୍କର କୃତିଗୁଡ଼ିକ ବୃହତ୍‌କଥାର ଅବଲମ୍ବନରେ ପ୍ରଣୟନ କରିଥିଲେ । ସେଇ ପରମ୍ପରାର ଅନ୍ୟତମ ଓ ଅନୁପମ ଦାୟାଦ ହେଉଛନ୍ତି ସୋମଦେବ ।

 

ସୋମଦେବଙ୍କ କଥାସରିତ୍ ସାଗର ଏହି ପରିପ୍ରେକ୍ଷୀରେ ଏକ ଅନବଦ୍ୟ ସୃଷ୍ଟି । ବିଶ୍ୱକଥା ସାହିତ୍ୟରେ ଏହା ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଉକ୍ତ ଗ୍ରନ୍ଥରେ ସର୍ବମୋଟ ଚବିଶ ହଜାର ଶ୍ଳୋକ ପରିଲକ୍ଷିତ ହୁଏ । ଏହାର ପ୍ରତ୍ୟେକ ବିଭାଗ ଯଥାର୍ଥରେ ‘ତରଙ୍ଗ’ ନାମରେ ଅଭିହିତ । ପ୍ରତ୍ୟେକ ତରଙ୍ଗରେ କବିଙ୍କର ରଚନାଶୈଳୀ ସାବଲୀଳ ଭାବରେ ଗତିଶୀଳ । ବିଷୟ ବସ୍ତୁର ଯଥାର୍ଥର ଉପସ୍ଥାପନା ସୋମଦେବଙ୍କର ଅନ୍ୟ ଏକ ବିଶେଷତ୍ୱ । କବି ଗ୍ରନ୍ଥ ପ୍ରାରମ୍ଭରେ ରଚନାର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇ କହନ୍ତି–

 

‘‘ଔଚିତାନ୍ୱୟ ରକ୍ଷାଚ ଯଥାଶକ୍ତି ବିଧୀୟତେ ।

କଥାରସା ବିଘାତେନ କାବ୍ୟାଂଶସ୍ୟଚ ଯୋଜନା ।।’’

 

ଅର୍ଥାତ୍, ‘ମୋ କର୍ତ୍ତବ୍ୟରେ ଯେତେଦୂର ସମ୍ଭବ ବିଷୟ ବିନ୍ୟାସ ଏବଂ ସାହିତ୍ୟିକ ଔଚିତ୍ୟବୋଧ ରକ୍ଷା କରିବା ସହିତ ବିଷୟ ବସ୍ତୁରେ ରସାନୁଭୂତିରେ ଯେପରି କୌଣସି ବାଧା ନ ରହେ, ଏହା ପ୍ରତି ଦୃଷ୍ଟି ରଖି କାବ୍ୟାଂଶରେ ପ୍ରୟୋଗ କରାଯାଇଛି ।’ ସମଗ୍ର କାବ୍ୟକଳେବରରେ ସୋମଦେବ ଉପର୍ଯ୍ୟୁକ୍ତ ପ୍ରତିଶ୍ରୁତି ଯଥାସମ୍ଭବ ପାଳନକରି ବାସ୍ତବରେ ଧନ୍ୟବାଦାର୍ହ ହୋଇପାରିଛନ୍ତି ।

 

(ପ୍ରଫେସର କିଥ୍ (Keith)ଙ୍କ ମତରେ ସୋମଦେବ ରାମ ନାମକ କାଶ୍ମୀର ନିବାସୀ କୌଣସି ଏକ ବ୍ରାହ୍ମଣଙ୍କର ପୁତ୍ର ଥିଲେ । ଜଳନ୍ଧରର ରାଜକନ୍ୟା ସୂର୍ଯ୍ୟମତିଙ୍କର ବିଚଳିତ ମନକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ସୋମଦେବ ୧୦୬୩ରୁ ୧୦୮୧ ଖ୍ରୀଷ୍ଟାବ୍ଦ ମଧ୍ୟରେ କଥାସରିତ୍ ସାଗର ରଚନା କରିଥିଲେ । ଅତଏବ ସୋମଦେବ ଏକାଦଶ ଶତାବ୍ଦୀର ଅନ୍ୟତମ ପ୍ରସିଦ୍ଧ କଥାକାର କ୍ଷେମେନ୍ଦ୍ରଙ୍କର ସମସାମୟିକ ଥିଲେ ମଧ୍ୟ, କ୍ଷେମେନ୍ଦ୍ରଙ୍କ ବୃହତ୍ କଥାମଞ୍ଜରୀର ପରବର୍ତ୍ତୀକାଳରେ କଥାସରିତ୍ ସାଗରର ସୃଷ୍ଟି । ତାଙ୍କର ସମୟ ବିଷୟରେ ବିଦ୍ୱାନ୍‌ମାନଙ୍କ ମଧ୍ୟରେ ବିଶେଷ ମତପାର୍ଥକ୍ୟ ପରିଦୃଷ୍ଟ ହୁଏନାହିଁ ।

 

ସୋମଦେବଙ୍କ ଉପରେ ବୌଦ୍ଧ ଓ ବ୍ରାହ୍ମଣ୍ୟ ଉଭୟ ମତବାଦର ପ୍ରଭାବ ପଡ଼ିଛି । କେତେକ ତାଙ୍କୁ ବୌଦ୍ଧ ବୋଲି କହନ୍ତି କିନ୍ତୁ ତାଙ୍କ ଲେଖାରେ ପ୍ରକାରାନ୍ତରେ ବ୍ରାହ୍ମଣମାନଙ୍କ ଶ୍ରେଷ୍ଠତ୍ୱ ସ୍ୱୀକାର କରାଯାଇଛି । ଏକାଦଶ ଶତାବ୍ଦୀରେ ଭାରତରେ ବିଭିନ୍ନ ଧର୍ମମତବାଦର ଉତ୍କଟ ଅସ୍ୱାସ୍ଥ୍ୟକର ସଂଘର୍ଷ ଫଳରେ ସମାଜରେ ଏକ ଆଧ୍ୟାତ୍ମିକ ବିପର୍ଯ୍ୟୟ ଆସିଥିଲା ପରି ମନେହୁଏ । ତନୁମନ୍ତ୍ର, ସମ୍ମୋଦନ, ମାରଣ, ଗୁଣୀଗାରେଡ଼ି ଏବଂ ଧୂର୍ତ୍ତ କୌଶଳ ପ୍ରୟୋଗରେ ଶତ୍ରୁସଂହାର ଓ ନିଜର ଉଦ୍ଦେଶ୍ୟସିଦ୍ଧି ପ୍ରଭୃତିର ବର୍ଣ୍ଣନା ଏବଂ ତା’ ସହ ନିବିଡ଼ ନିଃସ୍ୱାର୍ଥପର ବନ୍ଧୁତା, ଆତ୍ମତ୍ୟାଗ, ଅନାବିଳ ପ୍ରେମ ଓ ଏକନିଷ୍ଠ ସତିତ୍ୱ ପ୍ରଭୃତିର ଉଲ୍ଲେଖରୁ ଜଣାପଡ଼େ ସେ ସମୟରେ ସମାଜର ବିଭିନ୍ନ ପର୍ଯ୍ୟାୟରେ ବ୍ୟକ୍ତିଚରିତ୍ରର ଆଦର୍ଶ ବହୁବିଧ ଓ ଜଟିଳ ହୋଇପଡ଼ିଥିଲା । ସୋମଦେବ ଅତି ବିଶ୍ୱସ୍ତ ଭାବରେ ସେ ସବୁର ପ୍ରତିଫଳନ କରିଛନ୍ତି ନିଜ କୃତୀ ମଧ୍ୟରେ, ସେଥିପାଇଁ ହିଁ ତାଙ୍କ କଥାଗୁଡ଼ିକ ଆଜି ମଧ୍ୟ ମନୋରଞ୍ଜନ ହୋଇପାରିଛି ।

 

ଏହି କଥାଗୁଡ଼ିକ ବିଭିନ୍ନ ଖଣ୍ଡରେ ପ୍ରକାଶ କରିବାପାଇଁ ଶାରଦା ଭବନର ସତ୍ତ୍ୱାଧିକାରୀ ଶ୍ରୀଯୁକ୍ତ ଭିକାରୀଚରଣ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ବନ୍ଧୁ ଅଧ୍ୟାପକ ଶ୍ରୀ ରଘୁନାଥ ପଣ୍ଡାଙ୍କର ସାହାଯ୍ୟ ମଧ୍ୟ ମୋର ସର୍ବଦା ସ୍ମରଣୀୟ ହୋଇରହିବ ।

 

ଗଣେଶ ଚତୁର୍ଥୀ

ଶ୍ରୀ ଶ୍ୟାମସୁନ୍ଦର ମିଶ୍ର

୬ । ୯ । ୭୮

 

Image

 

ଶ୍ରୀଦତ୍ତ ଏବଂ ମୃଗାଙ୍କବତୀ

 

ପୂର୍ବେ ମାଳବ ଦେଶରେ ଯଜ୍ଞସୋମ ନାମରେ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେଇ ଗୁଣବାନ୍ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ ଯେକି ସମସ୍ତ ଲୋକଙ୍କର ସ୍ନେହର ପାତ୍ର ଥିଲେ । ଜଣକର ନାମ ଥିଲା କାଳନେମି ଏବଂ ଅପରର ନାମ ବିଗତଭୟ । ପିତାଙ୍କର ସ୍ୱର୍ଗପ୍ରାପ୍ତି ପରେ ଦୁଇ ଭାଇ ବାଲ୍ୟାବସ୍ଥା ଅତିକ୍ରମ କରନ୍ତେ ଜ୍ଞାନାର୍ଜ୍ଜନ ପାଇଁ ପାଟଳିପୁତ୍ର ନଗରକୁ ଗଲେ । ବିଦ୍ୟା ଶିକ୍ଷା ସମାପନ ହୁଅନ୍ତେ ଗୁରୁ ଦେବଶର୍ମା ସଶରୀର ବିଦ୍ୟାପରି ନିଜର ଦୁଇ ଦୁହିତାକୁ ସେମାନଙ୍କ ହସ୍ତରେ ଅର୍ପଣ କଲେ ।

 

କାଳନେମି ନିଜ ଅଞ୍ଚଳରେ ଥିବା ଧନୀ ପରିବାରଗୁଡ଼ିକୁ ଦେଖି ଖୁବ୍ ଈର୍ଷାସକ୍ତ ହୋଇ ପଡ଼ିଲା ଏବଂ ବଳୀଦ୍ୱାରା ଭାଗ୍ୟଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଜ୍ଞା କଲା । ଦେବୀ ପ୍ରସନ୍ନ ହୋଇ ସ୍ୱଦେହରେ ତା’ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, ‘‘ତୁ ଅଚଳାଚଳ ସମ୍ପତ୍ତିର ଅଧିକାରୀ ହେବୁ ଏବଂ ସମଗ୍ର ପୃଥିବୀର ଅଧୀଶ୍ୱର ହୋଇ ପାରିଲା ପରି ଏକ ପୁତ୍ର ସନ୍ତାନ ଲାଭକରିବୁ କିନ୍ତୁ ମନ୍ଦ ଅଭିପ୍ରାୟ ପୋଷଣ କରି ତୁ ଅଗ୍ନିରେ ମାଂସ ବଳୀ ଅର୍ପଣ କରିଛୁ । ସେଥିଯୋଗୁଁ ଶେଷରେ ତତେ ଚୋର ପରି ପ୍ରାଣ ଦେବାକୁ ପଡ଼ିବ । ଏତିକି କହି ଦେବୀ ଅନ୍ତର୍ଦ୍ଧାନ ହୋଇଗଲେ ।

 

ସମୟ କ୍ରମେ କାଳନେମି ଖୁବ୍ ଧନ ସମ୍ପତ୍ତି ଲାଭକଲା । ପୁଣି କିଛିଦିନ ପରେ ତା’ର ଗୋଟିଏ ପୁତ୍ର ଜାତ ହେଲା । ଲକ୍ଷ୍ମୀଙ୍କ ଦୟାରୁ ତା’ର ଇଚ୍ଛା ପୂରଣ ହୁଅନ୍ତେ ସେ ନିଜ ପୁତ୍ରର ନାମ ଶ୍ରୀଦତ୍ତ ରଖିଲା । ଶ୍ରୀଦତ୍ତ କ୍ରମେ ବଡ଼ ହେଲା ଏବଂ ବ୍ରାହ୍ମଣ ହେଲେ ମଧ୍ୟ ଅସ୍ତ୍ରଚାଳନା, ମୁଷ୍ଟିଯୁଦ୍ଧ ଓ ମଲ୍ଲଯୁଦ୍ଧରେ ସେ ଅଜେୟ ହୋଇ ଉଠିଲା ।

 

କାଳନେମିର ଭାଇ ବିଗତ ଭୟ ସର୍ପଦଂଶନରେ ନିଜ ସ୍ତ୍ରୀର ମୃତ୍ୟୁ ହେବାରୁ, ସେହି ଶୋକରେ ଆତୁର ହୋଇ ତୀର୍ଥପର୍ଯ୍ୟଟନ ଆଶାରେ ବିଦେଶ ଯାତ୍ରା କଲା ।

 

ଗୁଣୀର ପୃଷ୍ଠପୋଷକ ସେ ଦେଶର ରାଜା ଶ୍ରୀଦତ୍ତକୁ ତାଙ୍କ ପୁତ୍ର ବିକ୍ରମାଦିତ୍ୟଙ୍କର ବନ୍ଧୁରୂପେ ନିଯୁକ୍ତ କଲେ । ବୀରଶ୍ରେଷ୍ଠ ଭୀମ ତା’ର ବାଲ୍ୟକାଳ ଦୁର୍ଯ୍ୟୋଧନ ସହିତ କଟାଇଲା ପରି ଶ୍ରୀଦତ୍ତକୁ ଜଣେ କ୍ରୋଧୀ ଯୁବରାଜ ସହିତ ଜୀବନ କଟାଇବାକୁ ପଡ଼ିଲା । ତା’ପରେ ବାହୁଶାଳିନ୍‍ ଏବଂ ବଜ୍ରମୁଷ୍ଟି ନାମକ ଅବନ୍ତୀ ଦେଶର ଦୁଇଜଣ କ୍ଷତ୍ରୀୟ ମଧ୍ୟ ଆସି ସେହି ବ୍ରାହ୍ମଣ ଯୁବକର ବନ୍ଧୁ ହେଲେ । ଦକ୍ଷିଣ ଦେଶର ଆଉ କେତେଜଣ ମନ୍ତ୍ରୀ ସନ୍ତାନ ମଲ୍ଲଯୁଦ୍ଧରେ ତା’ଦ୍ୱାରା ପରାସ୍ତ ହୋଇ ଏବଂ ତା’ର ପ୍ରକୃତ ଗୁଣ ଚିହ୍ନିପାରି ତା’ର ମିତ୍ର ହେଲେ । ସେମାନେ ହେଲେ–ମହାବଳ, ବ୍ୟାଘ୍ରଭଟ, ଉପେନ୍ଦ୍ରବଳ ଏବଂ ନିଷ୍ଠୁରକ ।

 

କେତେବର୍ଷ ପରେ ଦିନେ ଶ୍ରୀଦତ୍ତ, ରାଜପୁତ୍ର ଏବଂ ନିଜର ଅନ୍ୟାନ୍ୟ ବନ୍ଧୁମାନଙ୍କ ଗହଣରେ ଗଙ୍ଗାତୀରକୁ ଖେଳିବାକୁ ଗଲା । ସେଇ ଖେଳରେ ରାଜପୁତ୍ରଙ୍କ ନିଜ ଅନୁଚରମାନେ ରାଜପୁତ୍ରଙ୍କୁ ରାଜା କରାଇଲାବେଳେ ଶ୍ରୀଦତ୍ତର ବନ୍ଧୁମାନେ ଶ୍ରୀଦତ୍ତଙ୍କୁ ରାଜାରୂପେ ମନୋନୀତ କଲେ । ଏଥିରେ ରାଜାର ପୁଅ ଖୁବ୍ ରାଗିଗଲା ଏବଂ ନିଜର ଶକ୍ତି ଉପରେ ଅତ୍ୟଧିକ ଆସ୍ଥା ରଖି ସାଙ୍ଗେ ସାଙ୍ଗେ ସେଇ ବ୍ରାହ୍ମଣକୁ ଯୁଦ୍ଧପାଇଁ ଆହ୍ୱାନ ଜଣାଇଲା । ତା’ଠାରୁ ମଲ୍ଲଯୁଦ୍ଧରେ ପରାସ୍ତ ଏବଂ ଅପମାନିତ ହୋଇ ରାଜାପୁଅ ସ୍ଥିର କଲା ଯେ ଏଇ ଉଦୀୟମାନ ବୀରକୁ ଏବେଠାରୁ ଶେଷ କରିଦେବା ଉଚିତ; କିନ୍ତୁ ଶ୍ରୀଦତ୍ତ ରାଜାପୁଅର ଅଭିସନ୍ଧି ଜାଣିପାରି ଭୟରେ ତା’ ବନ୍ଧୁମାନଙ୍କ ସହିତ ତା’ ଆଗରୁ ଖସି ପଳେଇଲା ।

 

ଯାଉ ଯାଉ ଗଙ୍ଗାତୀରରେ ପହଞ୍ଚି ଦେଖିଲା ଯେ ସାଗର ମଧ୍ୟସ୍ଥା ଲକ୍ଷ୍ମୀଙ୍କପରି ନଦୀ ମଝିରେ ସ୍ରୋତରେ ଜଣେ ସ୍ତ୍ରୀଲୋକ ଭାସି ଯାଉଚି । ନଦୀତୀରରେ ବାହୁଶାଳିନ୍ ଏବଂ ଅନ୍ୟ ପାଞ୍ଚଜଣ ବନ୍ଧୁଙ୍କୁ ଛାଡ଼ି ସେ ସ୍ତ୍ରୀଲୋକଟିକୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଲା । ସ୍ତ୍ରୀଲୋକଟିର କେଶକୁ ହାତମୁଠାରେ ଧରି ପାରିଲେ ମଧ୍ୟ ସ୍ତ୍ରୀଲୋକଟି ନଦୀର ଗଭୀରତାକୁ ପ୍ରବେଶ କରିବାରୁ ସେ ମଧ୍ୟ ପଛରେ ଅନୁଧାବନ କଲା । ପାଣି ଭିତରେ ଏହିପରି ଅନେକ ବାଟ ଯିବାପରେ ସେ ହଠାତ୍ ଏକ ଚମତ୍କାର ଶିବ ମନ୍ଦିର ଦେଖିଲା । ସେଠାରେ ପାଣି ନାହିଁ କି ସେ ସ୍ତ୍ରୀଲୋକଟି ମଧ୍ୟ ନାହିଁ । ସେହି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖି ଏବଂ କ୍ଳାନ୍ତି ଅନୁଭବ କରି ସେ ବୃଷବ-ବାହନକୁ ସ୍ତୁତି କରି ମନ୍ଦିର ସଂଲଗ୍ନ ଏକ ସୁନ୍ଦର ଉଦ୍ୟାନରେ ରାତ୍ରୀ ଯାପନ କଲା ।

 

ପ୍ରଭାତରେ ସେ ପୁଣି ସେଇ ସ୍ତ୍ରୀଲୋକଟିକୁ ଦେଖିଲା । ସେ ମୂର୍ତ୍ତିମତୀ ସୁଷମା ନାରିତ୍ୱର ସମସ୍ତ ଉତ୍କର୍ଷତାକୁ ନିଜ ଅଙ୍ଗରେ ବହନ କରୁଥିଲା । ଦେବାର୍ଚ୍ଚନା ପରେ ସେ ଚନ୍ଦ୍ରମୁଖୀ ନିଜ ଘରକୁ ଫେରିଲା । କିନ୍ତୁ ଶ୍ରୀଦତ୍ତ ତା’ର ଅନୁସରଣ କଲା । ଦେବନଗରୀ ପରି ଦେଖା ଯାଉଥିବା ନିଜର ପ୍ରାସାଦ ଭିତରେ ସେଇ ଚପଳା ଦର୍ପିଣୀ ସୁନ୍ଦରୀ ଚଞ୍ଚଳ ପଦକ୍ଷେପରେ ପ୍ରବେଶ କଲା । ଶ୍ରୀଦତ୍ତକୁ କୌଣସି ପ୍ରକାର ସମ୍ବର୍ଦ୍ଧନା ନ ଜଣାଇ ସେ ଲଳିତାଙ୍ଗୀ ସହସ୍ର ଅଙ୍ଗନା ପରିବେଷ୍ଟିତ ନିଜ ଅନ୍ତଃପୁରରେ ପ୍ରବେଶ କରି ଏକ ମଣ୍ଡପରେ ଉପବେଶନ କଲା । ଶ୍ରୀଦତ୍ତ ମଧ୍ୟ ତା’ ପାଖରେ ଯାଇଁ ବସି ପଡ଼ିଲା ।

 

ହଠାତ୍ ସେ ଗୁଣବତୀ ନାରୀ କାନ୍ଦିବାକୁ ଲାଗିଲା । ଅବିଶ୍ରାନ୍ତ ଲୋତକବିନ୍ଦୁ ବର୍ଷଣରେ ତା’ର ବକ୍ଷଦେଶ ତିନ୍ତିବାକୁ ଲାଗିଲା ଏବଂ ସେଇ ମୁହୂର୍ତ୍ତରେ ଶ୍ରୀଦତ୍ତର ହୃଦୟରେ ତା’ପାଇଁ ଦୟା ଜାଗିଲା । ସେ ପଚାରିଲା, ‘‘ହେ ସୁନ୍ଦରୀ, ତୁମେ କିଏ, କୁହ ତୁମର ଦୁଃଖ କ’ଣ ? କାରଣ ମୁଁ ସେ ଦୁଃଖ ଘୁଞ୍ଚାଇ ଦେଇପାରେ ।

 

ସେ ନାରୀ ସନ୍ତର୍ପଣରେ ଉତ୍ତର ଦେଲା ‘‘ଆମେ ଦୈତ୍ୟରାଜ ବଳୀଙ୍କର ଏକହଜାର ନାତୁଣୀ । ମୁଁ ସବା ବଡ଼ ଏବଂ ମୋ ନାଁ ବିଦ୍ୟୁତ୍‌ପ୍ରଭା । ବିଷ୍ଣୁ ଆମର ପିତାମହଙ୍କୁ ଧରିନେଇ ବହୁଦିନଧରି ବନ୍ଦୀ କରିଛନ୍ତି ଏବଂ ପିତାଙ୍କୁ ମଲ୍ଲଯୁଦ୍ଧରେ ହତ୍ୟା କରିଛନ୍ତି । ପିତାଙ୍କୁ ହତ୍ୟାକରିବା ପରେ ସେ ଆମକୁ ଆମର ନଗରରୁ ବାହାର କରି ପୁନର୍ବାର ଯେପରି ଆମେ ସେଠାକୁ ଯାଇ ନ ପାରିବୁ ସେଥିପାଇଁ ସେଠାରେ ଏକ ସିଂହ ଜଗାଇଛନ୍ତି । ସେ ସିଂହ ସେଇଠାରେ ରହି ସର୍ବଦା ଆମ ହୃଦୟକୁ ବେଦନା ଦଉଚି । ଆମେ କିପରି ଆମ ନଗରୀକୁ ଫେରି ପାରିବୁ ବୋଲି ଅନୁନୟ କରି ବିଷ୍ଣୁକୁ ପଚାରନ୍ତେ ସେ ଆମ ପ୍ରତି ଦୟା ପ୍ରକାଶ କରି କହିଲେ, ଯେ ‘‘ସେ ସିଂହ କୁବେରଙ୍କ ଦ୍ୱାରା ଅଭିଶପ୍ତ ଏକ ଯକ୍ଷ । ତା’ପ୍ରତି ପୂର୍ବରୁ ଏପରି ଭବିଷ୍ୟତ ବାଣୀ ଅଛି ଯେ କୌଣସି ଜଣେ ମର୍ତ୍ତ୍ୟବାସୀ ଦ୍ୱାରା ପରାସ୍ତ ହେଲେ ଯକ୍ଷର ଅଭିଶାପ ଦୂର ହେବ । ତେଣୁ ଆମର ଶତ୍ରୁ ସେହି ସିଂହକୁ ଆପଣ ଦଳନ କରନ୍ତୁ । ହେ ବୀର, ସେଇଥିପାଇଁ ମୁଁ ତୁମକୁ ଏଠାକୁ ଭୁଲାଇ ଆଣିଚି । ତୁମେ ତା’କୁ ଜୟ କଲେ ତା’ଠାରୁ ମୃଗାଙ୍କ ନାମରେ ଏକ ଖଣ୍ଡା ପାଇବ ଯାହାବଳରେ ତୁମେ ପୃଥିବୀ ଜୟକରି ତହିଁରେ ରାଜା ହୋଇ ପାରିବ ।

 

ଶ୍ରୀଦତ୍ତ ଉପରୋକ୍ତ ବିଷୟ ଶୁଣି ଅଭିଯାନ ପାଇଁ ସମ୍ମତ ହେଲା । ସେଇ ଦିନ ସମାପନାନ୍ତେ ସେ ପଥ ନିର୍ଦ୍ଦେଶପାଇଁ ଦୈତ୍ୟକନ୍ୟାମାନଙ୍କୁ ସାଙ୍ଗରେ ଧରି ସେଇ ନଗରୀକୁ ଗଲା ଏବଂ ସେଠାରେ ମଲ୍ଲଯୁଦ୍ଧରେ ସେହି ଦୁର୍ଦ୍ଧର୍ଷ ସିଂହକୁ ପରାସ୍ତ କଲା । ସିଂହଟି ଅଭିଶାପରୁ ମୁକ୍ତ ହୋଇ ମାନବ ରୂପ ଧାରଣ କଲା ଏବଂ ତାକୁ ଅଭିଶାପରୁ ମୁକ୍ତ କରିଥିବାରୁ କୃତଜ୍ଞତା ସ୍ୱରୂପ ଶ୍ରୀଦତ୍ତକୁ ତା’ର ଖଣ୍ଡା ଦାନ କଲା । ତା’ପରେ ସେ ଅନ୍ତର୍ଦ୍ଧାନ ହୋଇଗଲା ଏବଂ ତା’ ସହିତ ଅନ୍ତର୍ଦ୍ଧାନ ହୋଇଗଲା ଅସୁର ରାଜକନ୍ୟାର ଅପାର ଦୁଃଖରାଶି ।

 

ତା’ପରେ ଶ୍ରୀଦତ୍ତ ଦୈତ୍ୟକନ୍ୟା ଏବଂ ତା’ର ଅନଜାମାନଙ୍କ ଗହଣରେ ଧରାତଳରୁ ଆବିର୍ଭୂତ ଅନନ୍ତନାଗ ପରି ଦେଖାଯାଉଥିବା ସେଇ ସମୃଦ୍ଧ ନଗରୀରେ ପ୍ରବେଶ କଲା । ଦୈତକନ୍ୟା ତାକୁ ଗୋଟିଏ ବିଷହାରୀ ମୁଦ୍ରିକା ପ୍ରଦାନ କଲା । ତା’ପରେ ସେ ଯୁବକ କିଛିଦିନ ସେଠାରେ ଅବସ୍ଥାନ କରି ଦିନେ ଦୈତ୍ୟକନ୍ୟାକୁ ପ୍ରେମ ନିବେଦନ କରନ୍ତେ ସେ ଚତୁରୀ ତାକୁ କହିଲା, ‘‘ଏଇ ପୁଷ୍କରିଣୀରେ ସ୍ନାନକର ଏବଂ କୁମ୍ଭୀର ଭୟରୁ ରକ୍ଷା ପାଇବା ପାଇଁ ଖଣ୍ଡାଟିକୁ ସାଙ୍ଗରେ ନିଅ ।’’ ସେ ରାଜିହୋଇ ପୁଷ୍କରିଣୀ ଭିତରକୁ ଲମ୍ଫ ପ୍ରଦାନ କଲା ଏବଂ ଉଠିଲାବେଳକୁ ଗଙ୍ଗାନଦୀ ତୀରରେ ଯେଉଁଠାରେ ସେ ପ୍ରଥମେ ପାଣି ଭିତରକୁ ଡେଇଁଥିଲା ସେଇଠାରେ ଯାଇ ଉଠିଲା । ସେଠାରେ ସେ ମୁଦ୍ରିକା ଓ ଖଣ୍ଡାକୁ ଦେଖି ପାତାଳପୁରରୁ ବାହାରକୁ ଚାଲି ଆସିଥିବାରୁ ଆଶ୍ଚର୍ଯ୍ୟ ହେଲା ଏବଂ ଅସୁର କନ୍ୟା ଦ୍ୱାରା ପ୍ରତାରିତ ହୋଇଥିବାରୁ ହତାଶ ମଧ୍ୟ ହୋଇ ପଡ଼ିଲା ।

 

ନିଜର ବନ୍ଧୁମାନଙ୍କୁ ଭେଟିବା ପାଇଁ ଗୃହାଭିମୁଖରେ ଯାଉ ଯାଉ ଶ୍ରୀଦତ୍ତ ବାଟରେ ବନ୍ଧୁ ନିଷ୍ଠୁରକକୁ ଭେଟିଲା । ନିଷ୍ଠୁରକ ତା’ ନିକଟକୁ ଆସି ପ୍ରଣାମ କଲା ଓ ଅତି ଶୀଘ୍ର ତାକୁ ଏକ ଏକାନ୍ତ ସ୍ଥଳକୁ ନେଇଗଲା । ତା’ର ଅନ୍ୟ ବନ୍ଧୁ ଏବଂ ପରିବାର ବିଷୟ ପଚାରନ୍ତେ ସେ ଉତ୍ତର ଦେଲା, ‘‘ତୁମେ ଯେତେବେଳେ ଗଙ୍ଗାକୁ ଡେଇଁ ପଡ଼ିଲ ଆମେ ତୁମକୁ ବହୁଦିନ ପର୍ଯ୍ୟନ୍ତ ଖୋଜିଲୁ ଏବଂ ଦୁଃଖରେ ଆମ ଶିରଚ୍ଛେଦ ପାଇଁ ପ୍ରସ୍ତୁତ ହେଉଥିଲୁ କିନ୍ତୁ ଏକ ସ୍ୱର୍ଗବାଣୀ ଆମକୁ ଏହି କାର୍ଯ୍ୟରୁ ବିରତ କରାଇ କହିଲା, ‘‘ବତ୍ସ, ଅଧୀର ହୁଅ ନାହିଁ । ତୁମର ବନ୍ଧୁ ଜୀବନ୍ତ ଫେରି ଆସିବ ।’’ ତା’ପରେ ଆମେ ତୁମ ପିତାଙ୍କ ନିକଟକୁ ଯିବା ସମୟରେ ଜଣେ ଲୋକ ଧାଇଁ ଧାଇଁ ଆମ ନିକଟକୁ ଆସି କହିଲା, ‘‘ଆପଣମାନେ ବର୍ତ୍ତମାନ ନଗର ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ, କାରଣ ରାଜା ବଲ୍ଲଭଶକ୍ତି ମରି ଗଲେଣି ଏବଂ ମନ୍ତ୍ରୀମାନେ ସମସ୍ତେ ଏକମତ ହୋଇ ବିକ୍ରମଶକ୍ତିକୁ ରାଜଗାଦି ଦେଇଛନ୍ତି । ଯେଉଁଦିନ ସେ ରାଜପଦ ପାଇଲା ସେଇଦିନ ସେ କାଳନେମି ଘରକୁ ଯାଇଁ କ୍ରୁଦ୍ଧସ୍ୱରରେ ତାଙ୍କ ପୁଅ ଶ୍ରୀଦତ୍ତ କାହିଁ ବୋଲି ପଚାରିଲା । ସେ ଉତ୍ତର ଦେଲେ, ‘ମୁଁ ଜାଣେ ନାହିଁ ।’ ଏଥିରେ ସେ ରାଜା ରାଗିଯାଇ, ପୁଅକୁ କେଉଁଠି ଲୁଚାଇଛି ବୋଲି ସନ୍ଦେହ କରି ଏବଂ ଚୋର ରୂପେ ଅଭିଯୁକ୍ତ କରି ତାଙ୍କୁ ଶୂଳି ଦିଆଇଲା । ଏ ଘଟଣା ଦେଖିବା ମାତ୍ରେ ତାଙ୍କ ସ୍ତ୍ରୀଙ୍କର ପ୍ରାଣ ବାହାରିଗଲା । ନିଷ୍ଠୁରକର୍ମାମାନେ ଗୋଟାଏ ପରେ ଗୋଟାଏ ବହୁ ଅପକର୍ମ କରିଚାଲନ୍ତି । ବିକ୍ରମଶକ୍ତି ଶ୍ରୀଦତ୍ତକୁ ମାରିବା ପାଇଁ ଖୋଜି ଲାଗିଚି । ଆପଣମାନେ ତାଙ୍କର ବନ୍ଧୁ । ତେଣୁ ଏ ସ୍ଥାନ ତ୍ୟାଗ କରି ଚାଲିଯାଆନ୍ତୁ । ତାଙ୍କଠାରୁ ଏପରି ସତର୍କବାଣୀ ଶୁଣି ବାହୁଶାଳୀନ ଏବଂ ତାଙ୍କ ଚାରିବନ୍ଧୁ ଏକମତ ହୋଇ ସେମାନଙ୍କ ଗୃହ ଉଜ୍ଜୟିନୀ ନଗରକୁ ଚାଲିଗଲେ ଏବଂ ହେ ବନ୍ଧୁ, ତୁମକୁ ଭେଟିବାପାଇଁ ମୋତେ ଏଠାରେ ଲୁକ୍‌କାୟିତ ଅବସ୍ଥାରେ ରଖିଯାଇଛନ୍ତି । ତେଣୁ ଆସ ସେଠାକୁ ଯାଇ ଆମ ବନ୍ଧୁମାନଙ୍କୁ ଭେଟିବା ।

 

ନିଷ୍ଠୁରକଠାରୁ ଏକଥା ଶୁଣି ଶ୍ରୀଦତ୍ତ ନିଜ ପିତାମାତାଙ୍କ ପାଇଁ ଶୋକାକୁଳ ହୋଇ ପଡ଼ିଲା । ବାରମ୍ବାର ସେ ନିଜର ଖଡ୍‍ଗ ଆଡ଼କୁ ଦୃଷ୍ଟିପାତ କରିବାକୁ ଲାଗିଲା ଯେପରିକି ପ୍ରତିଶୋଧ ନେବା ଆଶାରେ ସେଇ ଖଡ୍‍ଗ ଉପରେ ଗଭୀର ଆସ୍ଥା ସ୍ଥାପନ କରିଚି । କିଛି ଦିନ ଅନ୍ତେ ସେ ବୀର ନିଜ ବନ୍ଧୁମାନଙ୍କୁ ଭେଟିବା ପାଇଁ ନିଷ୍ଠୁରକ ସହିତ ଉଜ୍ଜୟିନୀ ନଗରକୁ ବାହାରିଲା-

 

ନଦୀରେ ଡେଇଁବା ପରଠାରୁ ନିଜର ଅଭିଜ୍ଞତା ବନ୍ଧୁକୁ ବର୍ଣ୍ଣନା କରି କରି ବାଟରେ ଚାଲିଥିବାବେଳେ ଶ୍ରୀଦତ୍ତ ରାସ୍ତାରେ ଜଣେ ସ୍ତ୍ରୀଲୋକ କାନ୍ଦୁଥିବାର ଦେଖିଲା । ନାରୀଟି କହିଲା, ‘‘ଉଜ୍ଜୟିନୀକୁ ଯାଉ ଯାଉ ମୁଁ ବାଟ ଭୁଲି ଯାଇଚି ।’’ ଶ୍ରୀଦତ୍ତ ଦୟାପରବଶ ହୋଇ ତାକୁ ସାଙ୍ଗରେ ନେଲା । ସେ ଏବଂ ନିଷ୍ଠୁରକ ସ୍ତ୍ରୀଲୋକଟି ସଙ୍ଗରେ ଗୋଟିଏ ପରିତ୍ୟକ୍ତ ନିର୍ଜନ ନଗରରେ ଅବସ୍ଥାନ କଲେ । ରାତିରେ ସେ ହଠାତ୍ ଉଠିପଡ଼ି ଦେଖିଲା ସେ ନାରୀ ନିଷ୍ଠୁରକକୁ ହତ୍ୟାକରି ତା’ ମାଂସକୁ ଖୁବ୍ ଆନନ୍ଦରେ ଗିଳି ଲାଗିଚି । ନିଜର ଖଡ୍‍ଗ ମୃଗାଙ୍କକୁ ନିଷ୍କୋସିତ କରି ସେ ଉଠି ପଡ଼ିଲା । ନାରୀଟି ମଧ୍ୟ ରାକ୍ଷସୀର ଏକ ଭୟାନକ ରୂପ ଧାରଣ କଲା । ଶ୍ରୀଦତ୍ତ ସେ ନିଶାଚରୀର କେଶକୁ ଧରି ହତ୍ୟା କରିବା ପାଇଁ ଉଦ୍ୟତ ହେଲା । ସାଙ୍ଗେ ସାଙ୍ଗେ ସେ ଏକ ସ୍ୱର୍ଗୀୟ ରୂପ ଧାରଣ କରି କହିଲା, ‘‘ହେ ବୀର, ମତେ ମାରନାହିଁ, ଛାଡ଼ିଦିଅ । ବିଶ୍ୱାମିତ୍ର ଋଷିଙ୍କ ଅଭିଶାପରେ ମୁଁ ଏପରି ହୋଇଥିଲି । ଥରେ ଯେତେବେଳେ ସେ କୁବେର ପଦବୀ ପାଇଁ ଇଚ୍ଛାକରି ତପ ଆଚରଣ କଲେ ତାଙ୍କର ତପ ଭଗ୍ନ ପାଇଁ କୁବେର ମତେ ପଠାଇଲେ । ମୋର ସୌନ୍ଦର୍ଯ୍ୟରେ ତାଙ୍କୁ ପ୍ରଲୁବ୍ଧ କରି ନ ପାରିବାରୁ ଖୁବ୍ ଲଜ୍ଜିତ ହେଲି ଏବଂ ତାଙ୍କୁ ଭୟ ଦେଖାଇବା ପାଇଁ ଏହି ଭୀଷଣ ରୂପ ଧାରଣ କଲି । ଋଷି ମତେ ଦେଖିପାରି ମୋ ଦୋଷପାଇଁ ଉପଯୁକ୍ତ ଅଭିଶାପ ଦେଇ କହିଲେ, ‘‘ଦୁଷ୍ଟା, ତୁ ରାକ୍ଷସୀ ହୋ ଏବଂ ମଣିଷଙ୍କୁ ହତ୍ୟାକର ।’’ ତୁମେ ମୋର କେଶାକର୍ଷଣ କଲେ ମୋର ଏହି ଅଭିଶାପ ଦୂର ହେବ ବୋଲି ସେ କହିଲେ । ସେହିଦିନଠାରୁ ମୁଁ ରାକ୍ଷସୀର ଏହି କୁତ୍ସିତ ରୂପ ଧାରଣ କରି ଏହି ନଗରୀର ସମସ୍ତ ଅଧିବାସୀଙ୍କୁ ଖାଇଚି । ଆଜି ବହୁଦିନ ପରେ ପୂର୍ବୋକ୍ତମତେ ତୁମେ ମୋତେ ଅଭିଶାପରୁ ମୁକ୍ତ କରିଚ । ତେଣୁ ମୋ’ଠାରୁ ଯେ କୌଣସି ବର ଗ୍ରହଣ କର ।

 

ଏହି ଉକ୍ତି ଶୁଣି ଶ୍ରୀଦତ୍ତ ସମ୍ମାନରେ କହିଲା, ‘‘ମାତ ! ମୋର ବନ୍ଧୁଙ୍କୁ ପୁନର୍ଜୀବନ ଦାନ କରନ୍ତୁ । ଅନ୍ୟ ବରରେ ମୋର ପ୍ରୟୋଜନ କ’ଣ ?’’ ‘ତାହା ହେଉ’ କହି ସେ ଅଦୃଶ୍ୟ ହୋଇଗଲା ଏବଂ ନିଷ୍ଠୁରକ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଜିଇଁ ଉଠିଲା । ଆଶ୍ଚର୍ଯ୍ୟ ଏବଂ ଉତ୍‌ଫୁଲ୍ଲିତ ଚିତ୍ତରେ ଶ୍ରୀଦତ୍ତ ପରଦିନ ପ୍ରଭାତରେ ଯାତ୍ରାରମ୍ଭ କଲା ଏବଂ ଶେଷରେ ଉଜ୍ଜୟିନୀରେ ପହଞ୍ଚିଲା । ମୟୂର ମେଘର ଆଗମନକୁ ପ୍ରତୀକ୍ଷା କଲାପରି ସେଠାରେ ତା’ର ବନ୍ଧୁମାନେ ତା’ର ଆଗମନକୁ ପ୍ରତୀକ୍ଷା କରି ରହିଥିଲେ ଏବଂ ଶ୍ରୀଦତ୍ତର ଉପସ୍ଥିତିରେ ସେମାନେ ନବ ଉନ୍ମାଦନାରେ ଜାଗି ଉଠିଲେ । ବାହୁଶାଳିନ୍ ତା’ଠାରୁ ସମସ୍ତ ଆଶ୍ଚର୍ଯ୍ୟଜନକ ଦୁଃସାଧ୍ୟ ଅଭିଯାନର କାହାଣୀ ଶୁଣିସାରିବା ପରେ ସମସ୍ତ ପ୍ରକାର ଆତିଥେୟତା ସହିତ ତାକୁ ନିଜ ଘରକୁ ନେଇଗଲା । ସେଠାରେ ବାହୁଶାଳିନ୍‌ର ପିତାମାତା ଶ୍ରୀଦତ୍ତର ଯତ୍ନ ନେଲେ ଏବଂ ସେ ବନ୍ଧୁମାନଙ୍କ ସହିତ ସେଠାରେ ନିଜ ଘର ପରି ଚଳିବାକୁ ଲାଗିଲା ।

 

ଥରେ ବସନ୍ତୋତ୍ସବରେ ସେ ତା’ର ବନ୍ଧୁମାନଙ୍କ ସହ ଏକ ଉଦ୍ୟାନରେ ଅନୁଷ୍ଠିତ ହେଉଥିବା ଏକ ଆନନ୍ଦୋତ୍ସବ ଦେଖିବାକୁ ଯାଇଥିଲା । ସେଠାରେ ସେ ଦେଖିଲା ଗୋଟିଏ ବାଳିକାକୁ । ସେ ରାଜା ବିମ୍ବକଙ୍କର କନ୍ୟା । ସେ ମଧ୍ୟ ଆସିଥିଲା ଉତ୍ସବ ଦେଖିବା ପାଇଁ । ସେ ସୌନ୍ଦର୍ଯ୍ୟର ରାଣୀ ପରି ଦେଖା ଯାଉଥିଲା । ଯେପରି ବସନ୍ତର ସମସ୍ତ ସୁଷମାକୁ ନେଇ ମୂର୍ତ୍ତିଟିଏ ଗଢ଼ା ଯାଇଚି । ତା’ର ନାଁ ମୃଗାଙ୍କବତୀ । ଶ୍ରୀଦତ୍ତ ତା’କୁ ଦେଖିବା ମାତ୍ରେ ତା’ର ଚକ୍ଷୁ ଦ୍ୱାରଦେଇ ତା’ର ହୃଦୟରେ ପ୍ରବେଶ କଲା । ପ୍ରେମ ଉଦ୍‌ଗମର ସୂଚନା ଦେଇଥିବା ବାଳିକାର ସକାମ ଚାହାଣି ମଧ୍ୟ ବାରମ୍ବାର ଘୂରି ଘୂରି ଶ୍ରୀଦତ୍ତ ଉପରେ ପଡ଼ୁଥିଲା ଜଣେ ଅନ୍ତରଙ୍ଗ ବନ୍ଧୁପରି । ସେ ବୃକ୍ଷଗହଳରେ ଲୁଚିଯିବା ମାତ୍ରେ ତାକୁ ଦେଖି ନପାରି ଶ୍ରୀଦତ୍ତକୁ ମନେହେଲା ଯେପରି ତା’ର ହୃଦୟ ଶୂନ୍ୟ ହୋଇଯାଇଚି । ନିଜର ଅବସ୍ଥିତି ମଧ୍ୟ ସେ ଭୁଲିଗଲା । ବନ୍ଧୁ ବାହୁଶାଳିନତା ଭାବଭଙ୍ଗୀର ଭାଷା ଠଉରେଇ ପାରି କହିଲା, ‘‘ବନ୍ଧୁ ! ତୁମର ହୃଦୟ ମୁଁ ଚିହ୍ନେ । ନିଜର କାମନାକୁ ଆଉ ଅସ୍ୱୀକାର କରନାହିଁ, ଆସ ଉଦ୍ୟାନର ଯେଉଁ ପାଖରେ ରାଜକନ୍ୟା ଅଛି ସେଇପଟକୁ ଯିବା-।’’

 

ଏହି ସମୟରେ ଗୋଟାଏ ଚିତ୍କାର ଶୁଣାଗଲା, ‘‘ହାୟ, ଜେମାକୁ ସାପ କାମୁଡ଼ି ଦେଲା’’ ଏହା ଶୁଣି ଶ୍ରୀଦତ୍ତର ହୃଦୟ ଶଙ୍କାକୁଳ ହୋଇ ଉଠିଲା । ବାହୁଶାଳିନ୍ ଜେମାଙ୍କ ଅଙ୍ଗରକ୍ଷୀକୁ ଯାଇ କହିଲା, ‘‘ଏଠାରେ ମୋର ଜଣେ ବନ୍ଧୁଙ୍କର ଗୋଟିଏ ମୁଦି ଅଛି ଯାହାର ବିଷହାରୀ ଓ କ୍ଷତଉପଶମକାରୀ ଗୁଣ ଅଛି । ସାଙ୍ଗେ ସାଙ୍ଗେ ଅଙ୍ଗରକ୍ଷୀ ଆସି ଶ୍ରୀଦତ୍ତର ପଦରେ ପ୍ରଣାମ କରି ଜେମାଙ୍କ ନିକଟକୁ ନେଇ ଗଲା । ସେ ଜେମାଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଇ ଦେଇ ମନ୍ତ୍ରୋଚ୍ଚାରଣ କରନ୍ତେ ଜେମା ଉଠି ବସିଲେ । ଅନୁଚରମାନେ ଖୁବ୍ ଆନନ୍ଦିତ ହୋଇ ଶ୍ରୀଦତ୍ତର ଉଚ୍ଚ ପ୍ରଶଂସା କଲେ । ରାଜା ବିମ୍ବକ ମଧ୍ୟ ଘଟଣା ଶୁଣି ସେ ସ୍ଥଳରେ ଉପସ୍ଥିତ ହେଲେ । ଶ୍ରୀଦତ୍ତ ମୁଦିଟିକୁ ଫେରାଇ ନ ନେଇ ବନ୍ଧୁମାନଙ୍କ ସଙ୍ଗେ ବାହୁଶାଳିନ୍‍ର ଘରକୁ ଫେରି ଆସିଲା ଏବଂ ରାଜା ଖୁସିରେ ଯେଉଁ ସୁନା ମୁଦି ଓ ଅନ୍ୟାନ୍ୟ ଉପହାରମାନ ତା’ ପାଖକୁ ପଠାଇଲେ ସେ ସେସବୁ ବାହୁଶାଳିନ୍‍ର ପିତାକୁ ଅର୍ପଣ କରିଦେଲା । ସେଇ ସୁନ୍ଦରୀ ବିଷୟ ଚିନ୍ତା କରି କରି ସେ ଏତେ ଅଧୀର ହୋଇ ପଡ଼ିଲା ଯେ ତା’ର ବନ୍ଧୁଗଣ କ’ଣ କରାଯିବ କିଛି ଭାବି ପାରିଲେ ନାହିଁ ।

 

ଏହି ସମୟରେ ଭାବନିକା ନାମରେ ଜେମାର ଜଣେ ପ୍ରିୟ ସଖୀ ମୁଦିଟିକୁ ଫେରାଇଦେବା ବାହାନାରେ ତା’ ନିକଟକୁ ଆସି କହିଲା, ‘‘ଯଶସ୍ୱୀ ମହାଶୟ, ମୋର ସଖୀ ସ୍ଥିର କରିଛି ଯେ ଆପଣ ଯଦି ତାକୁ ପତ୍ନୀରୂପେ ବରଣ କରି ତା’ର ଜୀବନ ରକ୍ଷା ନ କରନ୍ତି ସେ ମୃତ୍ୟୁକୁହିଁ ବରଣ କରିବ । ଭାବନିକାଠାରୁ ଏ କଥା ଶୁଣି ଶ୍ରୀଦତ୍ତ, ବାହୁଶାଳିନ୍ ଏବଂ ଅନ୍ୟ ବନ୍ଧୁମାନେ ଏକତ୍ର ଚିନ୍ତାକରି ନିମ୍ନ ପ୍ରକାରେ ସିଦ୍ଧାନ୍ତ କଲେ–ଆମେ ରାଜଜେମାକୁ କୌଶଳରେ ଲୁଚାଇ ଏଠାରୁ ନେଇଯିବା ଏବଂ ଅଜ୍ଞାତରେ ଏଠାରୁ ମଥୁରା ଚାଲିଯାଇ ସେଠାରେ ବାସ କରିବା । ଯୋଜନା ତନ୍ନତନ୍ନ ରୂପେ ଆଲୋଚିତ ହେବା ପରେ ଯୋଜନାକାରିମାନେ କିଏ କେଉଁ ଦାୟିତ୍ୱ ଗ୍ରହଣ କରିବେ ସେ ବିଷୟରେ ନିଜ ନିଜ ମଧ୍ୟରେ ସ୍ଥିର କରି ନେଲେ । ତା’ପରେ ଭାବନିକା ବିଦାୟ ନେଲା ।

 

ପରଦିନ ବାହୁଶାଳିନ୍ ତିନିଜଣ ବନ୍ଧୁଙ୍କୁ ସାଙ୍ଗରେ ଧରି ବାଣିଜ୍ୟ କରିବା ଆଳରେ ମଥୁରା ଯାତ୍ରା କଲା ଏବଂ ଯିବାବେଳେ କିଛି କିଛି ଦୂର ଛଡ଼ାରେ ରାଜଜେମାକୁ ନେଇ ଯିବା ପାଇଁ ଦ୍ରୁତଗାମୀ ଅଶ୍ୱସବୁ ଲୁଚାଇ ରଖିଥିଲା । ଶ୍ରୀଦତ୍ତ ସନ୍ଧ୍ୟା ସମୟରେ ଜଣେ ସ୍ତ୍ରୀଲୋକ ଓ ତା’ର କନ୍ୟାକୁ ମଦ୍ୟପାନ କରାଇ ଜେମାର ପ୍ରାସାଦକୁ ନେଇ ଆସିଲା । ତା’ପରେ ଭାବନିକା ଆଲୋକ ଲଗାଇବା ଆଳରେ ପ୍ରାସାଦରେ ଅଗ୍ନି ସଂଯୋଗ କରିଦେଲା ଏବଂ ଲୁକ୍‌କାୟିତ ଭାବରେ ରାଜଜେମାକୁ ବାହାରକୁ ନେଇ ଚାଲି ଆସିଲା । ଶ୍ରୀଦତ୍ତ ବାହାରେ ଅପେକ୍ଷା କରିଥିଲା । ସେ ତାକୁ ପ୍ରଭାତରୁ ଆଗରୁ ଚାଲିଯାଇଥିବା ବାହୁଶାଳିନ୍ ନିକଟକୁ ପଠାଇ ଦେଲା ଏବଂ ଜେମା ଓ ଭାବନିକାକୁ ଜଗିବା ପାଇଁ ଦୁଇଜଣ ବନ୍ଧୁଙ୍କୁ ନିର୍ଦ୍ଦେଶ ଦେଲା । ମଦ୍ୟପାନ କରିଥିବା ସେହି ମହିଳା ଓ ତା’ର କନ୍ୟା, ରାଜଜେମାର ଜ୍ୱଳନ୍ତ ପ୍ରାସାଦରେ ପୋଡ଼ି ହୋଇ ମଲେ କିନ୍ତୁ ଲୋକେ ତାଙ୍କୁ ଦେଖି ଅନୁମାନ କଲେ ଯେ ରାଜଜେମା ଓ ତାଙ୍କ ସଖୀ ପୋଡ଼ି ଯାଇଛନ୍ତି ।

 

କିନ୍ତୁ ଚତୁର ଶ୍ରୀଦତ୍ତ ତା’ ପରଦିନ ସକାଳେ ସମସ୍ତେ ଦେଖି ପାରିଲା ପରି ନଗରରେ ବୁଲାଚଲା କଲା ଏବଂ ୨ୟ ଦିନ ରାତିରେ ନିଜର ଖଡ୍‍ଗ ମୃଗଙ୍କକୁ ଧରି ପୂର୍ବରୁ ଯାଇଥିବା ତା’ର ପ୍ରେମିକାର ଅନୁସରଣ କଲା । ଆଗ୍ରହାତିଶଯ୍ୟ ହେତୁ ସେ ସେହି ରାତିରେ ମଧ୍ୟ ବହୁଦୂର ଚାଲିଗଲା ଏବଂ ପ୍ରଭାତରେ ବିନ୍ଧ୍ୟ ଅରଣ୍ୟ ମଧ୍ୟରେ ପ୍ରବେଶ କଲା । ସେଠାରେ ସେ ପ୍ରଥମେ କେତେକ ଅଶୁଭ ଶକୁନ ଦେଖିଲା ଏବଂ ପରେ ପରେ ଦେଖିଲା ଭାବନିକା ସହିତ ତା’ର ସମସ୍ତ ବନ୍ଧୁ ରାସ୍ତା ଉପରେ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ି ରହିଛନ୍ତି । ସେ ସେମାନଙ୍କୁ ଦେଖି ମୁହ୍ୟମାନ ହୋଇ ପଡ଼ନ୍ତେ ସେମାନେ କହିଲେ, ‘‘ଦଳେ ଅଶ୍ୱାରୋହୀ ତସ୍କର ଆମ୍ଭମାନଙ୍କୁ ଆକ୍ରମଣ କରି ଲୁଣ୍ଠନ କଲେ । ଆମର ଏପରି ଅବସ୍ଥା ହେବାପରେ ଜଣେ ଅଶ୍ୱାରୋହୀ ତ୍ରସ୍ତା ରାଜଜେମାଙ୍କୁ ନିଜ ଅଶ୍ୱପୃଷ୍ଠରେ ପକାଇ ଘେନି ପଳାଇଲା । ସେମାନେ ତାଙ୍କୁ ବେଶି ଦୂର ନେଇଯିବା ପୂର୍ବରୁ ଏଇ ଦିଗରେ ଯାଅ । ଆମ ନିକଟରେ ଆଉ ବିଳମ୍ବ କର ନାହିଁ କାରଣ ଜେମାଙ୍କ କୁଶଳ ଆମଠାରୁ ଅଧିକ ପ୍ରୟୋଜନୀୟ ।’’ ବନ୍ଧୁମାନେ ଏହିପରି ଉକ୍ତିରେ ବାଧ୍ୟ କରିବାରୁ ଶ୍ରୀଦତ୍ତ ଅତି ଶୀଘ୍ର ରାଜକନ୍ୟାଙ୍କୁ ଅନୁଧାବନ କଲେହେଁ ବାରମ୍ବାର ସେମାନଙ୍କ ଆଡ଼କୁ ଫେରି ଚାହୁଁଥିଲା । କେତେଦୂର ଯିବାପରେ ସେ ସେହି ଅଶ୍ୱାରୋହୀ ଦଳଙ୍କୁ ଦେଖିଲା । ସେମାନଙ୍କ ମଝିରେ ଜଣେ କ୍ଷତ୍ରିୟ ଯୁବକ ନିଜ ଅଶ୍ୱ ପୃଷ୍ଠରେ ରାଜକନ୍ୟାଙ୍କୁ ଧରିଥିଲା । ସେ ଧୀରେ ଧୀରେ କ୍ଷତ୍ରିୟ ଯୁବକ ନିକଟକୁ ଯାଇ ତାକୁ ଅନୁରୋଧ କଲା କିନ୍ତୁ କଅଁଳ କଥାରେ ରାଜକନ୍ୟାକୁ ଛାଡ଼ି ଦେବା ପାଇଁ ତାକୁ ଜମା ମଙ୍ଗାହୋଇ ପାରିବ ନାହିଁ ଜାଣିପାରି ସେ ତାକୁ ଶକ୍ତ ଗୋଇଠାଟାଏ ମାରି ଘୋଡ଼ା ଉପରୁ ତଳକୁ ଖସେଇ ଦେଲା ଏବଂ ଗୋଟାଏ ପଥର ଉପରେ ପିଟି ଫଡ଼ା ଫଡ଼ା କରିଦେଲା । ତା’କୁ ମାରି ସାରିବା ପରେ ତା’ରି ଘୋଡ଼ା ଉପରେ ବସି କ୍ରୋଧରେ ତାକୁ ଆକ୍ରମଣ କରିବାକୁ ଆସୁଥିବା ଘୋଡ଼ାସବାରମାନଙ୍କ ମଧ୍ୟରୁ କେତେକଙ୍କୁ ମଧ୍ୟ ସେ ନିହତ କଲା । ଅନ୍ୟମାନେ ତା’ର ଏହି ଅସାଧାରଣ ବୀରତ୍ୱ ଦେଖି ଭୟରେ ପଳାଇଲେ ଏବଂ ଶ୍ରୀଦତ୍ତ ରାଜକୁମାରୀ ମୃଗାଙ୍କବତୀ ସହିତ ଅଶ୍ୱପୃଷ୍ଠରେ ବସି ତା’ର ବନ୍ଧୁମାନଙ୍କୁ ଭେଟିବାକୁ ବାହାରି ପଡ଼ିଲା ।

 

କିଛି ବାଟ ଯିବା ଉତ୍ତାରେ ସେ ଏବଂ ତା’ର ପତ୍ନୀ ଯୁଦ୍ଧରେ ଖୁବ୍ କ୍ଷତ ବିକ୍ଷତ ହୋଇ ପଡ଼ିଥିବା ସେହି ଅଶ୍ୱପୃଷ୍ଠରୁ ଓହ୍ଲାଇ ପଡ଼ିଲେ । ଅଶ୍ୱଟି ସାଙ୍ଗେ ସାଙ୍ଗେ ସେଇଠି ପଡ଼ି ମରିଗଲା । ପ୍ରେମିକା ମୃଗାଙ୍କବତୀ ମଧ୍ୟ ଶ୍ରମ ଏବଂ ଭୟଜନିତ କ୍ଳାନ୍ତି ଯୋଗୁଁ ଖୁବ୍ ତୃଷାର୍ତ୍ତ ହୋଇ ପଡ଼ିଥିଲା । ତାଙ୍କୁ ସେଇଠାରେ ଛାଡ଼ି ଶ୍ରୀଦତ୍ତ ଏଣେତେଣେ ଅନେକ ପଥ ପାଣି ଖୋଜି ବୁଲୁଥିଲା ବେଳେ ସୂର୍ଯ୍ୟ ଅସ୍ତ ହୋଇଗଲେ । ସେ ଦେଖିଲା ଯେ ସେ ପାଣି ପାଇଚି କିନ୍ତୁ ରାସ୍ତା ଭୁଲି ଯାଇଚି । ସମସ୍ତ ରାତି ସେ ସେଇ ଅରଣ୍ୟ ଭିତରେ ବୁଲି ବୁଲି ଚକ୍ରବାକପରି ଉଚ୍ଚ ସ୍ୱରରେ କ୍ରନ୍ଦନ କରି କରି କଟେଇ ଦେଲା । ସକାଳେ ସେ ସେଇ ଜାଗାରେ ଯାଇ ପହଞ୍ଚିଲା । ମୃତ ଅଶ୍ୱର ଶରୀର ସେଇଠାରେ ପଡ଼ିଥିବାରୁ ଚିହ୍ନିବାରେ କିଛି ଅସୁବିଧା ହେଲା ନାହିଁ, କିନ୍ତୁ କେଉଁଠାରେ ହେଲେ ତା’ ପ୍ରିୟା ରାଜଜେମାକୁ ଦେଖିବାକୁ ପାଇଲା ନାହିଁ ।

 

ଦୁଃଖରେ ଅଭିଭୂତ ହୋଇ ସେ ଜେମାକୁ ଚତୁର୍ଦ୍ଦିଗରେ ନିରୀକ୍ଷଣ କରିବା ପାଇଁ ମୃଗାଙ୍କ ଖଡ୍‍ଗକୁ ତଳେ ଥୋଇ ଦେଇ ଗୋଟିଏ ଗଛ ଉପରେ ଚଢ଼ିଲା । ଠିକ୍ ସେଇ ସମୟରେ ଜଣେ ଶବର ସର୍ଦ୍ଦାର ସେଇ ବାଟଦେଇ ଯାଉଥିଲା । ସେ ଆସି ଗଛତଳୁ ଖଡ୍‍ଗଟି ଉଠାଇ ନେଲା । ଶବର ସର୍ଦ୍ଦାରକୁ ଦେଖି ଶ୍ରୀଦତ୍ତ ଗଛରୁ ଓହ୍ଲାଇ ଅତି ଦୁଃଖରେ ତା’ର ପ୍ରିୟାର ଖବର ପଚାରନ୍ତେ ସେ କହିଲା, ‘‘ଏ ସ୍ଥାନ ତ୍ୟାଗ କରି ମୋ ଗ୍ରାମକୁ ଆସ । ତୁମେ ଯାହାକୁ ଖୋଜୁଚ ସେ ନିଶ୍ଚୟ ସେଇଠାକୁ ଯାଇଚି । ସେଇଠାରେ ମୁଁ ତୁମର ଖଣ୍ଡା ଫେରେଇ ଦେବି ।’’ ଶବର ସର୍ଦ୍ଦାର ଏହିପରି କହି ବଳେଇବାରୁ ଶ୍ରୀଦତ୍ତ ନିଜେ ମଧ୍ୟ ଗଭୀର ଆଶା ପୋଷଣ କରି ସର୍ଦ୍ଦାରର ଅନୁଚରମାନଙ୍କ ସହିତ ତା’ର ଗ୍ରାମକୁ ଗଲା । ସେଠାରେ ସେ ଲୋକମାନେ କହିଲେ, ‘‘ଶୋଇପଡ଼ି କ୍ଳାନ୍ତି ଦୂର କର-।’’ ଶବର ସର୍ଦ୍ଦାରର ଘରେ ପହଞ୍ଚିବା ପରେ କ୍ଳାନ୍ତି ହେତୁ ସେ ସଙ୍ଗେ ସଙ୍ଗେ ଶୋଇ ପଡ଼ିଲା-

 

ନିଦ୍ରା ତ୍ୟାଗ କରି ଦେଖିଲା ଯେ, ତା’ର ପ୍ରିୟାକୁ ଉଦ୍ଧାର କରିବା ପାଇଁ ସେ କରିଥିବା ଦୁଇଟି ବ୍ୟର୍ଥ ଉଦ୍ୟମ ପରି ଏଠାରେ ମଧ୍ୟ ତା’ର ପଦ ଦୁଇଟି ପଦଶୃଙ୍ଖଳରେ ଆବଦ୍ଧ । ସେ ସେହିଠାରେ ପଡ଼ିରହି ତା’ର ପ୍ରିୟାକୁ ଝୁରିବାକୁ ଲାଗିଲା । ଭାଗ୍ୟ ତା’କୁ ଏକ ମୁହୂର୍ତ୍ତରେ ଆନନ୍ଦ ଦେଇ ପର ମୁହୂର୍ତ୍ତରେ ସମସ୍ତ ଆଶା ଧୂଳିସାତ କରିଦେଇଚି ।

 

ଦିନେ ମୋଚନିକା ନାମକ ଜଣେ ଦାସୀ ତା’ ନିକଟକୁ ଆସି କହିଲା ‘‘ମହାଶୟ ବୁଦ୍ଧିହୀନତା ଯୋଗୁଁ ଆପଣ ଏଠାକୁ ମୃତ୍ୟୁ ମୁହଁକୁ ଆସିଚନ୍ତି, କାରଣ ଶବର ସର୍ଦ୍ଦାର କୌଣସି ଗୁରୁତର କାର୍ଯ୍ୟପାଇଁ କୁଆଡ଼େ ଯାଉଚି । ଫେରିଲେ ସେ ତୁମକୁ ଚଣ୍ଡିକା ଆଗରେ ବଳୀ ଦେବ । ସେଥିପାଇଁ ସେ ବିନ୍ଧ୍ୟାରଣ୍ୟର ପାଦଦେଶରୁ କୌଶଳ କ୍ରମେ ତୁମକୁ ଭୁଲାଇ ଆଣି ସଙ୍ଗେ ସଙ୍ଗେ ଏଠାରେ ଏପରି ଭାରବେ ଶୃଙ୍ଖଳାବଦ୍ଧ କରି ଦେଇଛି । ଦେବୀ ସମ୍ମୁଖରେ ବଳୀ ଦେବାର ଉଦ୍ଦେଶ୍ୟ ଥିବାରୁ ସେ ସର୍ବଦା ଆପଣଙ୍କୁ ଖାଦ୍ୟ ଓ ପରିଚ୍ଛଦ ପ୍ରଭୃତି ଦେଉଚି । ଆପଣ ଯଦି ଅଙ୍ଗୀକାର କରନ୍ତି ତେବେ ଆପଣଙ୍କ ଉଦ୍ଧାରର ଗୋଟିଏ ମାତ୍ର ଉପାୟ ମୁଁ ବତାଇ ଦେଇ ପାରିବି । ଏଇ ଶବର ସର୍ଦ୍ଦାରର ସୁନ୍ଦରୀ ନାମରେ ଗୋଟିଏ କନ୍ୟା ଅଛି । ସେ ଆପଣଙ୍କୁ ଦେଖି ଅତିଶୟ ପ୍ରେମବିହ୍ୱଳା ହୋଇ ପଡ଼ିଚି । ମୋର ସେଇ ସଖୀକୁ ବିବାହ କଲେ ଆପଣ ମୁକ୍ତ ହୋଇ ପାରିବେ-।’’ ମୁକ୍ତ ହେବା ଇଚ୍ଛାକରି ଶ୍ରୀଦତ୍ତ ତା’ର ଏ କଥାରେ ରାଜି ହେଲା ଏବଂ ଗାନ୍ଧର୍ବ ପ୍ରଥାରେ ଗୁପ୍ତରେ ସୁନ୍ଦରୀକୁ ବିବାହ କଲା । ପ୍ରତ୍ୟେକ ରାତ୍ରୀରେ ସୁନ୍ଦରୀ ତା’ର ବନ୍ଧନ ମୁକ୍ତ କରିଦିଏ ।

 

ଅଳ୍ପ କେତେଦିନ ମଧ୍ୟରେ ସୁନ୍ଦରୀ ଗର୍ଭବତୀ ହେଲା । ତା’ର ମାତା ମୋଚନିକାଠାରୁ ସମସ୍ତ ବୃତ୍ତାନ୍ତ ଶୁଣିବାପରେ ନିଜ ଜାମାତା ପ୍ରତି ଅତ୍ୟନ୍ତ ସ୍ନେହଶୀଳା ହୋଇ ନିଜେ ତା’ ନିକଟକୁ ଯାଇ କହିଲେ, ‘‘ବତ୍ସ, ସୁନ୍ଦରୀର ପିତା ଶ୍ରୀଚଣ୍ଡ ଖୁବ୍ କ୍ରୋଧୀ । ସେ ତୁମ ପ୍ରତି ଆଦୌ ଦୟା ପ୍ରକାଶ କରିବେ ନାହିଁ, ତେଣୁ ତୁମେ ପଳାଇ ଯାଅ, କିନ୍ତୁ ସୁନ୍ଦରୀକୁ ଯେପରି ନ ଭୁଲ’’ ଶାଶୁ ଏହିପରି କହି ତା’କୁ ବନ୍ଧନରୁ ମୁକ୍ତ କରିଦେଲେ । ବିଦାୟ ନେଲାବେଳେ ସେ ସୁନ୍ଦରୀକୁ କହିଲା ଯେ ପିତାଙ୍କ ପାଖରେ ଯେଉଁ ଖଣ୍ଡା ଥିଲା ସେଇଟା ପ୍ରକୃତରେ ତା’ର ।

 

ମୃଗାଙ୍କବତୀର ଅନୁସନ୍ଧାନ କରିବାପାଇଁ ସେ ପୁଣି ଆକୁଳ ପ୍ରାଣରେ ପୂର୍ବରୁ ବୁଲିଥିବା ଅରଣ୍ୟ ମଧ୍ୟରେ ପ୍ରବେଶ କଲା । କେତେକ ଶୁଭଶକୁନ ଦେଖିପାରି ସେ ତା’ର ଅଶ୍ୱ ମରି ପଡ଼ିଥିବା ଏବଂ ପତ୍ନୀ ଅପହୃତା ହୋଇଥିବା ସ୍ଥଳରେ ଆସି ପହଞ୍ଚିଲା । ସେଠାରେ ସେ ଜଣେ ଶିକାରୀ ତା’ ଆଡ଼କୁ ଆସୁଥିବା ଦେଖି ତାକୁ ପ୍ରିୟାର ସମ୍ବାଦ ପଚାରିଲା । ଶିକାରୀଟି ତାକୁ ପଚାରିଲା, ‘‘ତୁମେ କ’ଣ ଶ୍ରୀଦତ୍ତ ।’’ ଦୀର୍ଘଶ୍ୱାସ ପକାଇ ସେ ଉତ୍ତର ଦେଲା, ‘‘ହଁ ମୁଁ ସେଇ ଭାଗ୍ୟହୀନ ।’’ ତା’ପରେ ସେ ଶିକାରୀ କହିଲା, ‘‘ବନ୍ଧୁ, ଶୁଣ । ମୋର ତୁମକୁ କେତେକ କଥା କହିବାର ଅଛି । ମୁଁ ତୁମ ପତ୍ନୀକୁ ତୁମ ବିଚ୍ଛେଦରେ କାନ୍ଦି କାନ୍ଦି ଏଣେତେଣେ ବୁଲୁଥିବାର ଦେଖିଲି । ତା’ଠାରୁ ସବୁ ବିଷୟ ଶୁଣି, ସଦୟ ହୃଦୟରେ ତାକୁ ଆଶ୍ୱାସନା ଦେଇ ଏ ଜଙ୍ଗଲ ମଧ୍ୟରୁ ମୋ ଗ୍ରାମକୁ ନେଇଗଲି । କିନ୍ତୁ ସେଠାରେ ପୁଳିନ୍ଦ ଯୁବକମାନଙ୍କୁ ଦେଖି ମୁଁ ଭୟ ପାଇ ତାକୁ ମଥୁରା ନିକଟର ନାଗସ୍ଥଳି ନାମକ ଗ୍ରାମକୁ ନେଇଗଲି । ସେଠାରେ ବିଶ୍ୱଦତ୍ତ ନାମରେ ଜଣେ ବୃଦ୍ଧ ବ୍ରାହ୍ମଣଙ୍କ ଘରେ ସମ୍ମାନର ସହିତ ତାଙ୍କରି ଦାୟିତ୍ୱ ଓ ଯତ୍ନରେ ରଖାଇ ଦେଲି । ତା’ପରେ ତା’ ମୁହଁରୁ ତୁମ ନାମ ଶୁଣି ମୁଁ ଏଠାକୁ ଆସିଚି । ତେଣୁ ତୁମେ ଅତି ଶୀଘ୍ର ତାକୁ ଖୋଜିବା ପାଇଁ ନାଗସ୍ଥଳକୁ ଯାତ୍ରା କର ।’’

 

ଶିକାରୀଠାରୁ ଏକଥା ଶୁଣି ଶ୍ରୀଦତ୍ତ ଖୁବ୍ ଶୀଘ୍ର ବାହାରି ପଡ଼ିଲା ଏବଂ ଦ୍ୱିତୀୟ ଦିନ ସନ୍ଧ୍ୟାବେଳେ ନାଗସ୍ଥଳରେ ପହଞ୍ଚିଲା । ସେଠାରେ ସେ ବିଶ୍ୱଦତ୍ତଙ୍କ ଗୃହକୁ ଯାଇ ତାକୁ ଦେଖିପାରି ପଚାରିଲା, ‘‘ଶିକାରୀ ଆପଣଙ୍କ ଜିମା ମୋର ପତ୍ନୀଙ୍କୁ ଛାଡ଼ିଯାଇଥିଲା, ତାକୁ ମତେ ଦିଅନ୍ତୁ ।’’ ବିଶ୍ୱଦତ୍ତ ଏକଥା ଶୁଣି କହିଲେ, ‘‘ମଥୁରାରେ ମୋର ଜଣେ ବ୍ରାହ୍ମଣ ବନ୍ଧୁ ଅଛନ୍ତି । ସେ ଖୁବ୍ ଗୁଣୀ, ରାଜା ଶୂରସେନଙ୍କ ମନ୍ତ୍ରୀ ଏବଂ ଆଧ୍ୟାତ୍ମିକ ଶିକ୍ଷକ । ତାଙ୍କରି ଜିମା ମୁଁ ତୁମର ପତ୍ନୀଙ୍କୁ ରଖି ଆସିଚି, କାରଣ ଏ ଗ୍ରାମ ଅପ୍ରାନ୍ତରେ ଅବସ୍ଥିତ ଥିବାରୁ ତାଙ୍କର ସୁରକ୍ଷା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ । କାଲି ପ୍ରଭାତରୁ ସେଇ ନଗରୀକୁ ଯାଅ କିନ୍ତୁ ଆଜି ଏଠାରେ ବିଶ୍ରାମ ନିଅ ।’’

 

ବିଶ୍ୱଦତ୍ତାଠାରୁ ଏକଥା ଶୁଣି ସେ ରାତିକ ସେଠାରେ ବିଶ୍ରାମ ନେଇ ପରଦିନ ସକାଳୁ ଯାତ୍ରାରମ୍ଭ କଲା ଏବଂ ଦ୍ୱିତୀୟ ଦିନ ମଥୁରାରେ ପହଞ୍ଚିଲା । ବହୁଦୂର ଯାତ୍ରା ଯୋଗୁଁ କ୍ଳାନ୍ତ ଏବଂ ଧୂଳି ଧୂସରିତ ହୋଇ ପଡ଼ିଥିବାରୁ ନଗର ବାହାରେ ଥିବା ହ୍ରଦର ସ୍ୱଚ୍ଛ ଜଳରେ ସ୍ନାନ କଲା । ହ୍ରଦର ମଧ୍ୟସ୍ଥଳରେ କୌଣସି ଡକାଏତ ଦ୍ୱାରା ପକାଯାଇଥିବା ଗୋଟିଏ ପୋଷାକ ଦେଖିପାରି ସେ କୌଣସି ବିପଦ ଆଶଙ୍କା ନ କରି ତାକୁ ଘେନି ଆସିଲା । ସେଇ ପୋଷାକର ଗୋଟିଏ କଣରେ ଗଣ୍ଠି ପଡ଼ିଥିଲା ଏବଂ ସେଥିରେ ଗୋଟିଏ ହାର ଲୁଚା ହୋଇଥିଲା । ଶ୍ରୀଦତ୍ତ ସେ ପୋଷାକଟିକୁ ନେଇଗଲା କିନ୍ତୁ ପତ୍ନୀ ସହିତ ମିଳିତ ହେବାର ଉତ୍ସୁକତା ଯୋଗୁଁ ହାରଟିକୁ ଦେଖି ପାରିଲା ନାହିଁ । ତାକୁ ଧରି ସେ ମଥୁରା ନଗରରେ ପ୍ରବେଶ କଲା । ନଗରରକ୍ଷକ ପୋଷାକଟି ଚିହ୍ନି ପାରିଲେ ଏବଂ ସେଥିରୁ ହାର ଦେଖିପାରି ଶ୍ରୀଦତ୍ତକୁ ଚୋର ବୋଲି ବନ୍ଦୀ କଲେ ଏବଂ ଯେପରି ଅବସ୍ଥାରେ ସେ ପୋଷାକ ସହିତ ଧରା ପଡ଼ିଥିଲା ସେହିପରି ଅବସ୍ଥାରେ ନେଇ ପ୍ରଧାନ କର୍ମଚାରୀଙ୍କ ନିକଟରେ ହାଜର କରାଇଲେ । ଉପରୋକ୍ତ କର୍ମଚାରୀ ତାଙ୍କୁ ରାଜାଙ୍କ ପାଖକୁ ପଠାଇଦେଲେ ଏବଂ ରାଜା ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ ।

 

ବାଜାବଜାଇ ତାକୁ ଶୂଳି ଦିଆଯିବା ସ୍ଥାନକୁ ନିଆଗଲାବେଳେ ଦୂରରୁ ତା’ ସ୍ତ୍ରୀ ମୃଗାଙ୍କବତୀ ତାକୁ ଦେଖି ପାରିଲା । ସେ ପାଗଳିନୀ ପରି ଦଉଡ଼ି ଯାଇ ଯେଉଁ ପ୍ରଧାନମନ୍ତ୍ରୀଙ୍କ ଘରେ ସେ ଅବସ୍ଥାନ କରୁଥିଲା ତାଙ୍କୁ କହିଲା, ‘‘ସେମାନେ ମୋ ସ୍ୱାମୀଙ୍କୁ ମାରିବା ପାଇଁ ନେଇ ଯାଉଛନ୍ତି ।’’ ମନ୍ତ୍ରୀ ଘାତକମାନଙ୍କୁ କ୍ଷାନ୍ତ ହେବା ପାଇଁ ଆଦେଶ ଦେଲେ । ତା’ପରେ ସେ ରାଜାଙ୍କ ପାଖରେ ଆବେଦନ ଜଣାଇ ଶ୍ରୀଦତ୍ତକୁ କ୍ଷମା ଦିଆଇଲେ ଏବଂ ନିଜ ଘରକୁ ଅଣାଇଲେ । ଶ୍ରୀଦତ୍ତ ଘରକୁ ଆସି ମନ୍ତ୍ରୀଙ୍କୁ ଦେଖିବା ମାତ୍ରେ ତାଙ୍କ ପାଦତଳେ ପଡ଼ି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘କ’ଣ ! ଇଏ କ’ଣ ମୋର ପିତୃବ୍ୟ ବିଗତଭୟ ଯେ କି ବହୁଦିନରୁ ବିଦେଶକୁ ଚାଲିଯାଇଥିଲେ ଏବଂ ସୌଭାଗ୍ୟବଶରୁ ମୁଁ ତାକୁ ଆଜି ମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାର ଦେଖୁଚି ?’’ ମନ୍ତ୍ରୀ ମଧ୍ୟ ତାଙ୍କ ପୁତୁରା ଶ୍ରୀଦତ୍ତକୁ ଚିହ୍ନିପାରି ଆଶ୍ଚର୍ଯ୍ୟ ହେଲେ ଏବଂ ଆଲିଙ୍ଗନ କରି ତା’ର ସମସ୍ତ ସାହସିକ ଅଭିଯାନର କାହାଣୀ ବିଷୟ ପଚାରିଲେ ।

 

ଶ୍ରୀଦତ୍ତ ତା’ର ପିତାଙ୍କ ହତ୍ୟାଠାରୁ ଆରମ୍ଭ କରି ସମସ୍ତ ଘଟଣା କହନ୍ତେ ସେ ଶୋକ କଲେ ଏବଂ ପୁତୁରାକୁ ଏକାନ୍ତରେ କହିଲେ, ‘‘ବତ୍ସ, ନିରାଶ ହୁଅ ନାହିଁ । ଥରେ ଯାଦୁ ବିଦ୍ୟାରେ ମୁଁ ଗୋଟିଏ ଯକ୍ଷିଣୀକୁ ଆୟତ୍ତ କରିଥିଲି ଏବଂ ସେ ମୋତେ ପାଞ୍ଚ ହଜାର ଅଶ୍ୱ ଏବଂ ସତୁରି ନିୟୁତ ସ୍ୱର୍ଣ୍ଣ ମୁଦ୍ରା ଦେଇଥିଲା । ମୋର ଅନ୍ୟ କେହି ପୁଅ ନ ଥିବାରୁ ସେ ସମସ୍ତ ଧନ ତୋର ।’’ ଏକଥା କହିସାରି ତା’ର ପିତୃବ୍ୟ ତା’ର ପ୍ରେମିକା ରାଜକନ୍ୟାକୁ ତା’ ନିକଟକୁ ଆଣିଲେ ଏବଂ ସେଇଠାରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଗଲା । ସେଠାରେ ସେ ଶ୍ୱେତ ଶତଦଳର ଶଯ୍ୟାରେ ରାତ୍ରୀର ମିଳନ ହେବାପରି ମୃଗାଙ୍କବତୀ ସହିତ ମିଳିତ ହୋଇ ଆନନ୍ଦରେ କାଳ ଯାପନ କଲା ।

 

ସେ ଚରମ ଆନନ୍ଦ ଭିତରେ ମଧ୍ୟ ପୂର୍ଣ୍ଣଚନ୍ଦ୍ରରେ କଳଙ୍କ ପରି ବାହୁଶାଳିନ୍ ଏବଂ ତା’ର ବନ୍ଧୁମାନଙ୍କ ବିଷୟରେ ଉଦବେଗ ତା’ର ହୃଦୟକୁ ଅଧିକାର କଲା । ଏହି ସମୟରେ ଶ୍ରୀଦତ୍ତକୁ ଦିନେ ତା’ର ପିତୃବ୍ୟ ଗୋପନରେ କହିଲେ, ‘‘ବତ୍ସ, ରାଜା ଶୂରସେନଙ୍କର ଗୋଟିଏ ଅନୂଢ଼ା କନ୍ୟା ଅଛି । ତାଙ୍କର ଆଦେଶ ଅନୁଯାୟୀ ସେ କନ୍ୟାକୁ ବିବାହ ଦେବାପାଇଁ ମତେ ତାକୁ ନେଇ ଅବନ୍ତୀ ଯିବାକୁ ପଡ଼ିବ । ମୁଁ ତାକୁ ସେହି ବ୍ୟାଜରେ ଏଠାରୁ ନେଇ ତୋତେ ବିବାହ କରାଇ ଦେବି । ଯେଉଁ ସୈନ୍ୟବାହିନୀ କନ୍ୟାର ଅନୁସରଣ କରୁଥିବେ ସେମାନେ ତୋର ଆୟତ୍ତକୁ ଆସିବା ପରେ ତା’ ସହିତ ତୋ ଅଧୀନରେ ଥିବା ମୋର ବାହିନୀକୁ ଏକତ୍ରକରି ତୁ, ଲକ୍ଷ୍ମୀ ତତେ ଯେଉଁ ରାଜ୍ୟ ପାଇବାର ବର ଦେଇଚନ୍ତି ସେଇ ରାଜ୍ୟ ଅଧିକାର କରି ପାରିବୁ ।’’

 

ଏହିପରି ପ୍ରସ୍ତାବ କରି ଶ୍ରୀଦତ୍ତ ଏବଂ ତା’ର ପିତୃବ୍ୟ ନିଜ ଅନୁଚରଗଣଙ୍କ ସହ ସେ ରାଜାଙ୍କ କନ୍ୟାକୁ ନେଇ ବାହାରି ପଡ଼ିଲେ । କିନ୍ତୁ ସେମାନେ ବିନ୍ଧ୍ୟାରଣ୍ୟରେ ପହଞ୍ଚିବା ମାତ୍ରେ ବିପଦପ୍ରତି ସାବଧାନ ହେବା ପୂର୍ବରୁ ଦଳେ ଦସ୍ୟୁ ସେମାନଙ୍କୁ ଆକ୍ରମଣ କରି ଶର ବୃଷ୍ଟି କରିବାକୁ ଲାଗିଲେ । ଶ୍ରୀଦତ୍ତର ବଳକୁ ପରାସ୍ତ କରି ଏବଂ ସମସ୍ତ ଧନ ଅଧିକାର କରି, କ୍ଷତଯୋଗୁଁ ମୂର୍ଚ୍ଛିତ ଶ୍ରୀଦତ୍ତକୁ ବାନ୍ଧି ସେମାନଙ୍କ ଗ୍ରାମକୁ ଘେନିଗଲେ । ସେମାନେ ତା’କୁ ବଳୀ ଦେବାପାଇଁ ଦୁର୍ଗାଙ୍କର ପ୍ରକାଣ୍ଡ ମନ୍ଦିରକୁ ଘେନିଗଲେ ଏବଂ ମର୍ଦଳ ଶବ୍ଦରେ ଯେପରିକି ମୃତ୍ୟୁଦେବତାର ଆବାହନ କଲେ-। ସେଠାରେ ତା’ର ଅନ୍ୟତମା ପତ୍ନୀ, ଗ୍ରାମ ସର୍ଦ୍ଦାରର କନ୍ୟା ସୁନ୍ଦରୀ ତାକୁ ଦେଖିଲା । ସେ ତା’ର ଛୋଟ ପୁଅକୁ ସାଙ୍ଗରେ ଧରି ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲା । ଆନନ୍ଦରେ ଅଧୀର ହୋଇ ସେ ତା’ର ଓ ତା’ ସ୍ୱାମୀ ମଝିରେ ଥିବା ଦସ୍ୟୁବୃନ୍ଦଙ୍କୁ ଆଡ଼େଇ ଯିବା ପାଇଁ ଆଦେଶ ଦେଲା ଏବଂ ତା’ପରେ ଶ୍ରୀଦତ୍ତ ତା’ ସହିତ ପ୍ରାସାଦ ମଧ୍ୟରେ ପ୍ରବେଶ କଲା ।

 

ସୁନ୍ଦରୀର ପିତାର କୌଣସି ପୁତ୍ର ନଥିବାରୁ ମୃତ୍ୟୁ ପୂର୍ବରୁ ନିଜର କନ୍ୟାକୁ ସେ ଜନପଦର ଶାସନ ଭାର ନ୍ୟସ୍ତ କରି ଯାଇଥିଲା । ଶ୍ରୀଦତ୍ତ ସଙ୍ଗେ ସଙ୍ଗେ ଉକ୍ତ ଜନପଦର ଅଧିନାୟକତ୍ୱ ଲାଭ କଲା । ଶ୍ରୀଦତ୍ତ ତା’ର ସେହି ପତ୍ନୀ ଏବଂ ଖଡ୍‍ଗ ମୃଗାଙ୍କକୁ ଫେରିପାଇଲା ଏବଂ ତା’ ସହିତ ଦସ୍ୟୁମାନଙ୍କ ଦ୍ୱାରା ବନ୍ଦୀ ହୋଇଥିବା ନିଜର ପିତୃବ୍ୟ ଓ ଅନୁଚରଣଗଣଙ୍କୁ ମଧ୍ୟ । ସେହି ଜନପଦରେ ଥିବା ସମୟରେ ସେ ଶୂରସେନଙ୍କ ଦୁହିତାକୁ ବିବାହ କରି ଏକ ବିରାଟ ରାଜ୍ୟର ରାଜା ହୋଇଗଲା । ସେଇଠାରେ ଥାଇ ସେ ତା’ର ଦୁଇ ଶ୍ୱଶୁର ରାଜା ବିମ୍ବଳି ଓ ଶୂରସେନଙ୍କ ନିକଟକୁ ଦୂତ ପଠାଇଲା । ସେମାନେ ସେମାନଙ୍କ ପ୍ରତି ଅତ୍ୟଧିକ ସ୍ନେହ ପ୍ରବଣତା ହେତୁ ଆନନ୍ଦରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ରାଜି ହେଲେ ଏବଂ ସେମାନଙ୍କର ସମସ୍ତ ବଳ ସଙ୍ଗରେ ଧରି ତା’ ସହିତ ମିଳନ ହେବାପାଇଁ ଆସିଲେ । ତା’ଠାରୁ ଅଲଗା ହୋଇ ପଡ଼ିଥିବା ବାହୁଶାଳିନ୍‍ ଏବଂ ଅନ୍ୟାନ୍ୟ ବନ୍ଧୁଗଣ ମଧ୍ୟ ସମସ୍ତ ଘଟଣା ଶୁଣି ତା’ ପାଖକୁ ଆସିଲେ । କ୍ଷତ ଆରୋଗ୍ୟ ହୋଇ ସେମାନେ ପୂର୍ଣ୍ଣ ସୁସ୍ଥ ହୋଇଗଲେ । ତା’ପରେ ସେ ବୀର ତା’ର ଶ୍ୱଶୁରମାନଙ୍କ ଗହଣରେ ଅଗ୍ରସର ହେଲା ଏବଂ ପିତୃହନ୍ତା ବିକ୍ରମଶକ୍ତିକୁ ତା’ର କ୍ରୋଧର ଅନଳରେ ଆହୁତି ପ୍ରଦାନ କଲା । ତହୁଁ ଶ୍ରୀଦତ୍ତ ସସାଗରା ଧରାର ଅଧିଶ୍ୱର ହୋଇ ଶୋକ ଓ ବିଚ୍ଛେଦରୁ ମୁକ୍ତିଲାଭ କରି ମୃଗାଙ୍କବତୀ ସହିତ ଆନନ୍ଦରେ କାଳଯାପନ କଲା ।

Image

 

Unknown

ଦେବସ୍ମିତା

 

ଧରାପୃଷ୍ଠରେ ତାମ୍ରଲିପ୍ତ ନାମରେ ଏକ ପ୍ରସିଦ୍ଧ ନଗରୀ ଅଛି । ସେହି ନଗରୀରେ ଧନଦତ୍ତ ନାମରେ ଏକ ମହା ଧନବନ୍ତ ବଣିକ ବାସ କରୁଥିଲେ । ସେ ନିଃସନ୍ତାନ ଥିବାରୁ ବହୁ ବ୍ରାହ୍ମଣଙ୍କୁ ଏକତ୍ର କରାଇ ସେମାନଙ୍କୁ ସସମ୍ମାନେ କହିଲେ, ‘‘ମୋର ଯେପରି ଅତିଶୀଘ୍ର ପୁତ୍ର ଲାଭ ହେବ ତା’ର ବିଧାନ କରନ୍ତୁ ।’’ ସେ ବ୍ରାହ୍ମଣମାନେ ତାଙ୍କୁ କହିଲେ, ‘‘ଏହା ଆଦୌ ଦୁଃସାଧ୍ୟ ନୁହେଁ । ବ୍ରାହ୍ମଣମାନେ ଶାସ୍ତ୍ରାନୁମୋଦିତ ପନ୍ଥାରେ ଅନୁଷ୍ଠାନମାନ କରାଇ ଏ ପୃଥିବୀରେ ସମସ୍ତ କିଛି କରି ପାରନ୍ତି । ଉଦାହରଣ ସ୍ୱରୂପ ପୂର୍ବକାଳରେ ଜଣେ ନିଃସନ୍ତାନ ରାଜା ଥିଲେ । ଅନ୍ତଃପୁରରେ ତାଙ୍କର ଶହେ ପାଞ୍ଚଜଣ ସ୍ତ୍ରୀ ଥିଲେ । ପୁତ୍ର ଲାଭ ପାଇଁ ଯାଗ ଯଜ୍ଞାଦି ଦ୍ୱାରା ସେ ପୁତ୍ରଟିଏ ଲାଭ କଲେ । ତା’ର ନାମ ଜନ୍ତୁ । ତାଙ୍କର ପତ୍ନୀମାନଙ୍କ ଚକ୍ଷୁରେ ସେ ନବେଦିତ ଶଶୀପରି ଶୋଭା ପାଇଲା । ଦିନେ ସେ ଶିଶୁପୁତ୍ର ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାବେଳେ ତା’ ଜଙ୍ଘକୁ ପିମ୍ପୁଡ଼ି କାମୁଡ଼ନ୍ତେ ସେ ଖୁବ୍ ବିକଳରେ ଚିତ୍କାର କରି କାନ୍ଦି ଉଠିଲା । ତହୁଁ ସମଗ୍ର ଅନ୍ତଃପୁର ବିଶୃଙ୍ଖଳିତ କ୍ରନ୍ଦନ ଧ୍ୱନିରେ ପୂରି ଉଠିଲା । ରାଜା ନିଜେ ମଧ୍ୟ ଇତର ଲୋକଙ୍କ ପରି ‘ହା ମୋ ପୁତ୍ର, ହା ମୋ ପୁତ୍ର’ ବୋଲି ଚିତ୍କାର କଲେ । ପିମ୍ପୁଡ଼ିଟି କାଢ଼ି ନିଅନ୍ତେ ପୁଅ ତୁନି ହେଲା । ରାଜା, ଗୋଟିଏ ପୁଅ ଥିବାରୁ ଏତେ ଦୁଃଖ ସହିବାକୁ ପଡ଼ିଲା ବୋଲି ନିଜ କର୍ମକୁ ନିନ୍ଦା କଲେ । ଏହି ଅବସ୍ଥାରେ ପଡ଼ି ସେ ବ୍ରାହ୍ମଣମାନଙ୍କୁ ପଚାରିଲେ ଯେ ତାଙ୍କର ବହୁତଗୁଡ଼ିଏ ସନ୍ତାନ ପାଇବାପାଇଁ କିଛି ଉପାୟ ଅଛି କି ? ସେମାନେ ଉତ୍ତର ଦେଲେ, ‘‘ହେ ରାଜା, ଆପଣଙ୍କ ପାଇଁ ଗୋଟିଏ ମାତ୍ର ଉପାୟ ଅଛି । ଆପଣ ଏହି ପୁତ୍ରଟିକୁ ମାରି ତା’ର ମାଂସ ଅଗ୍ନିଙ୍କୁ ଉତ୍ସର୍ଗ କରନ୍ତୁ । ସେଇ ଉତ୍ସର୍ଗର ଗନ୍ଧ ଆଘ୍ରାଣକରି ଆପଣଙ୍କର ସମସ୍ତ ପତ୍ନୀ ପୁତ୍ରଲାଭ କରିବେ ।’’

 

ରାଜା ଏହା ଶୁଣି ସେହିପରି ଅନୁଷ୍ଠାନ କରାଇଲେ ଏବଂ ତାଙ୍କର ଯେତେକ ପତ୍ନୀ ସେତିକି ପୁତ୍ର ସେ ଲାଭକଲେ । ଧନଦତ୍ତକୁ ଏପରି କହିବା ପରେ ତା’ଠାରୁ ଯଜ୍ଞର ଦକ୍ଷିଣାର ପ୍ରତିଶ୍ରୁତି ପାଆନ୍ତେ ବ୍ରାହ୍ମଣମାନେ ଯଜ୍ଞ ଅନୁଷ୍ଠାନ କଲେ । ତା’ପରେ ସେ ବଣିକର ଗୋଟିଏ ପୁତ୍ର ଜାତ ହେଲା । ସେ ପୁତ୍ରର ନାମ ଗୁହସେନ । କ୍ରମେ ସେ ବୟସ ଲାଭ କରନ୍ତେ ତା’ର ପିତା ଧନଦତ୍ତ ତା’ପାଇଁ ପତ୍ନୀର ସନ୍ଧାନ କଲେ ।

 

ଥରେ ତା’ର ପିତା ପୁତ୍ର ସହିତ ବାଣିଜ୍ୟ ବ୍ୟାଜରେ ଅନ୍ୟ ଏକ ଦେଶକୁ ଗଲେ, କିନ୍ତୁ ପ୍ରକୃତରେ ଗୋଟିଏ ପୁତ୍ରବଧୂ ଉଦ୍ଦେଶ୍ୟରେ । ସେଠାରେ ସେ ଧର୍ମଗୁପ୍ତ ନାମକ ଏକ ଉତ୍ତମ ବଣିକକୁ ତାଙ୍କର କନ୍ୟା ଦେବସ୍ମିତାକୁ ଗୁହସେନ ପାଇଁ ଦେବାକୁ କହିଲେ । କିନ୍ତୁ ଧର୍ମଗୁପ୍ତ ତା’ର କନ୍ୟାପ୍ରତି ଅତି ସ୍ନେହଶୀଳ ଥିବାରୁ ଏହି ସମ୍ପର୍କରେ ରାଜି ହେଲା ନାହିଁ କାରଣ ସେ ଭାବିଲା ଯେ ତାମ୍ରଲିପ୍ତାନଗର ଖୁବ୍ ଦୂର ହେବ । କିନ୍ତୁ ଦେବସ୍ମିତା ଯେତେବେଳେ ଗୁହସେନକୁ ଦେଖିଲା ତା’ର ସୁଗୁଣରେ ସେ ସଙ୍ଗେ ସଙ୍ଗେ ଆକର୍ଷିତା ହୋଇପଡ଼ିଲା ଏବଂ ତା’ର ସ୍ୱଜନଙ୍କୁ ଛାଡ଼ି ଯିବାପାଇଁ ମନସ୍ଥ କଲା । ସେ ନିଜର ବିଶ୍ୱସ୍ତ ଲୋକ ଜରିଆରେ ତା’ ସହିତ କଥାବାର୍ତ୍ତା କରି ତା’ର ପ୍ରିୟ ଗୁହସେନ ଓ ତା’ ପିତା ସହିତ ରାତିରେ ସେ ରାଜ୍ୟ ଛାଡ଼ି ଚାଲିଗଲା । ସେମାନେ ତାମ୍ରଲିପ୍ତାରେ ପହଞ୍ଚି ବିବାହ କଲେ ଏବଂ ଯୁବଦମ୍ପତିଙ୍କ ମନ ପାରସ୍ପରିକ ପ୍ରେମ ରଜ୍ଜୁରେ ଆବଦ୍ଧ ହୋଇ ରହିଲା-

 

ଗୁହସେନର ପିତାଙ୍କର ମୃତ୍ୟୁ ପରେ ତା’ର ସମ୍ପର୍କୀୟମାନେ ତାକୁ ବାଣିଜ୍ୟ ପାଇଁ କଟାହ ଦେଶକୁ ଯିବା ପାଇଁ ପ୍ରବର୍ତ୍ତାଇଲେ । କିନ୍ତୁ ତା’ର ସ୍ତ୍ରୀ ଈର୍ଷାରେ ଏହି ଯାତ୍ରା ପାଇଁ ସମ୍ମତ ହେଲାନାହିଁ । ତା’ର ଖୁବ୍ ଭୟ ହେଲା କାଳେ ସେ ଅନ୍ୟ କୌଣସି ନାରୀ ପ୍ରତି ଆକର୍ଷିତ ହୋଇପଡ଼ିବ । ସ୍ତ୍ରୀ ରାଜି ହେଉନଥିବାରୁ ଏବଂ ସମ୍ପର୍କୀୟମାନେ ବାରମ୍ବାର ପ୍ରବର୍ତ୍ତାଉଥିବାରୁ ନିଜକର୍ତ୍ତବ୍ୟ ପ୍ରତି ଦୃଢ଼ମନା ଗୁହସେନ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲା । ତହୁଁ ସେ ଦେବ ମନ୍ଦିରକୁ ଯାଇଁ କାଷ୍ଠା ଉପବାସ ରହି ଅଧିଆ ପଡ଼ିଲା; ଦେବତା ତା’ର ଏଇ ଅବସ୍ଥାରେ କୌଣସି ପନ୍ଥା ଦେଖାଇବେ ବୋଲି ଭରସା ରଖି । ତା’ର ସ୍ତ୍ରୀ ଦେବସ୍ମିତା ମଧ୍ୟ ତା’ ସହିତ ଅଧିଆ ପଡ଼ିଲା । ଶିବ ସେଇ ଦମ୍ପତିଙ୍କ ଉପରେ ଖୁସିହୋଇ ସ୍ୱପ୍ନରେ ସେମାନଙ୍କୁ ଦେଖାଦେଲେ ଏବଂ ଦୁଇଟି ରକ୍ତପଦ୍ମ ଦେଇ କହିଲେ, ‘‘ତୁମେ ପ୍ରତ୍ୟେକ ନିଜ ହାତରେ ଏଥିରୁ ଗୋଟିଏ ଲେଖାଏଁ ପଦ୍ମ ନିଅ । ବିଚ୍ଛେଦ ସମୟରେ କେହି ଯଦି ଅନ୍ୟ ପ୍ରତି ବିଶ୍ୱାସଘାତକତା କରେ ତେବେ ଅନ୍ୟଜଣକ ହାତରେ ଥିବା ପଦ୍ମଟି ମଉଳିଯିବ, ଅନ୍ୟଥା ନୁହେଁ ।’’

 

ଏକଥା ଶୁଣି ଦୁଇଜଣଯାକ ଉଠିଲେ ଏବଂ ପ୍ରତ୍ୟେକ ଅନ୍ୟ ହାତରେ ଗୋଟିଏ ରକ୍ତପଦ୍ମ ଦେଖିଲେ । ଜଣାଯାଉଥିଲା ଯେପରି ଦୁହେଁ ପରସ୍ପର ହୃଦୟକୁ ହାତରେ ଧରିଛନ୍ତି । ତା’ପରେ ଗୁହସେନ ହାତରେ ପଦ୍ମଟି ଧରି ଯାତ୍ରାରମ୍ଭ କଲା ଏବଂ ଦେବସ୍ମିତା ପୁଷ୍ପଟି ଉପରେ ଚକ୍ଷୁ ନିବଦ୍ଧ କରି ଘରେ ରହିଲା । ଗୁହସେନ ତା’ପରେ ଖୁବ୍ ଶୀଘ୍ର କଟାହ ରାଜ୍ୟରେ ପହଞ୍ଚି ରତ୍ନାଦି ବିକାକିଣା ଆରମ୍ଭ କଲା । ସେ ଦେଶର ଚାରିଜଣ ବଣିକ ତା’ ହାତରେ ସର୍ବଦା ରଖିଥିବା ସେହି ଅମ୍ଳାନ ପଦ୍ମକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଘଟନାକ୍ରମେ ସେମାନେ କୌଶଳରେ ତାକୁ ଘରକୁ ନେଇଗଲେ ଏବଂ ଅତ୍ୟଧିକ ମଦ୍ୟପାନ କରାଇ ସେହି ପଦ୍ମର ସମସ୍ତ ତଥ୍ୟ ପଚାରିଲେ । ମଦ୍ୟଦ୍ୱାରା ମତ୍ତ ହୋଇଥିବାରୁ ସେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରିଗଲା । ତା’ପରେ ଉକ୍ତ ଚାରିଜଣ ଯୁବକ ବଣିକ, ଗୁହସେନର ମଣିମୁକ୍ତା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ରୟ ବିକ୍ରୟରେ ବହୁଦିନ ଲାଗିଯିବ ବୋଲି ଜାଣି, ନିଜେ ଖୁବ୍ ଦୁଷ୍ଟ ପ୍ରକୃତିର ହୋଇଥିବାରୁ କୌତୂହଳ ବଶତଃ ତା’ର ସ୍ତ୍ରୀକୁ ଭ୍ରଷ୍ଟା କରାଇବା ପାଇଁ ନିଜ ନିଜ ଭିତରେ ଯୋଜନା କଲେ ଏବଂ ତାହା କାର୍ଯ୍ୟକାରୀ କରିବା ପାଇଁ ଶୀଘ୍ର ଗୁପ୍ତରେ ତାମ୍ରଲିପ୍ତା ଯାତ୍ରା କଲେ, ଯେପରି ତାହା କେହି ଜାଣି ନ ପାରନ୍ତି ।

 

ସେଠାରେ ପହଞ୍ଚି ସେମାନେ ବିଭିନ୍ନ ଉପାୟ ଖୋଜି ଲାଗିଲେ ଏବଂ ଅବଶେଷରେ ଗୋଟିଏ ବୌଦ୍ଧବିହାରରେ ବାସ କରୁଥିବା ଯୋଗକରଣ୍ଡିକା ନାମକ ସନ୍ନ୍ୟାସିନୀର ସାହାଯ୍ୟ ଭିକ୍ଷା କଲେ । ସେମାନେ ତାକୁ ଅନୁରାଗ ସ୍ୱରରେ କହିଲେ, ‘‘ଭଦ୍ରେ, ଆପଣଙ୍କର ସାହାଯ୍ୟ ପାଇ ଯଦି ଆମର ମନୋରଥ ସିଦ୍ଧ ହୁଏ ତେବେ ଆମେ ଆପଣଙ୍କୁ ବହୁ ଧନ ଦେବୁ ।’’ ସେ ଉତ୍ତର ଦେଲା, ‘‘ତୁମେ ଯୁବକମାନେ ନିଶ୍ଚୟ ଏ ନଗରର କୌଣସି ନାରୀର ଅନୁସନ୍ଧାନ କରୁଚ । କାହାକୁ ଖୋଜୁଚ ମୋ ଆଗରେ ପ୍ରକାଶ କର, ମୁଁ ତାକୁ ଆଣି ଦେବି, କିନ୍ତୁ ମୋର କୌଣସି ଧନ ପାଇବାର ଇଚ୍ଛା ନାହିଁ । ମୋର ସିଦ୍ଧିକରୀ ନାମରେ ଜଣେ ଅସାଧାରଣ କର୍ମକୁଶଳା ଶିଷ୍ୟା ଅଛି । ତା’ର ଦୟାରୁ ମୁଁ ପ୍ରଚୁର ଧନଲାଭ କରିଛି ।’’ ବଣିକମାନେ ପଚାରିଲେ, ‘‘ଜଣେ ଶିଷ୍ୟାର ସାହାଯ୍ୟରେ ଆପଣ କିପରି ପ୍ରଚୁର ଧନ ପାଇଲେ ?’’ ଏହି ପ୍ରଶ୍ନ ପଚରାଯାନ୍ତେ ସନ୍ନ୍ୟାସିନୀ କହିଲା, ‘‘ବତ୍ସ, ଯଦି ସେ ବିଷୟ ଶୁଣିବା ପାଇଁ ତୁମର ଆଗ୍ରହ ତେବେ ଶୁଣ । ମୁଁ ତୁମକୁ ସମସ୍ତ ବିଷୟ କହିବି ।’’

 

ଧୂର୍ତ୍ତା ସିଦ୍ଧିକରୀ–ପୂର୍ବେ ଉତ୍ତରରୁ ଏହି ସ୍ଥାନକୁ ଜଣେ ବଣିକ ଆସିଥିଲେ । ସେ ଏଠାରେ ବାସ କରୁଥିବାବେଳେ ମୋର ଶିଷ୍ୟା କୁଟିଳ ଅଭିସନ୍ଧି ରଖି ନିଜ ରୂପ ପରିବର୍ତ୍ତନ କରି ତା’ ଘରେ ଦାସୀରୂପେ ନିଯୁକ୍ତି ପାଇଲା ଏବଂ ବଣିକର ସମ୍ପୂର୍ଣ୍ଣ ବିଶ୍ୱାସଭାଜନ ହେବାପରେ ତା’ ଘରୁ ତା’ର ଗଚ୍ଛିତ ସମସ୍ତ ସୁବର୍ଣ୍ଣ ଚୋରି କରି ପ୍ରତ୍ୟୁଷରୁ ଗୁପ୍ତରେ ପଳାଇଗଲା । ନଗରର ବାହାରକୁ ଚାଲିଯାଇ ସେ ଭୟରେ ଦଉଡ଼ି ପଳାଉଥିବାବେଳେ ଜଣେ ଡମ୍ବ ତା’ଠାରୁ ଅପହରଣ କରିନେବାପାଇଁ ନିଜ ଢୋଲଟିକୁ ହାତରେ ଧରି ତା’ ପଛେ ପଛେ ବେଗରେ ଧାଇଁଲା । ଗୋଟିଏ ନ୍ୟଗ୍ରୋଧ ବୃକ୍ଷ ତଳେ ପହଞ୍ଚି ସେ ଦେଖିଲା ଯେ ଡମ୍ବଟି ମଧ୍ୟ ତା’ ପାଖକୁ ଆସିଯାଇଚି । ତେଣୁ ସିଦ୍ଧିକରୀ ଗୋପନ ଉଦ୍ଦେଶ୍ୟ ରଖି ତାକୁ କହିଲା ‘‘ଈର୍ଷା ଯୋଗୁଁ ମୋ ସ୍ୱାମୀ ସହିତ କଳହ କରି ମରିବାପାଇଁ ତା’ର ଗୃହ ତ୍ୟାଗକରି ଆସିଚି । ତୁମେ ଦୟାକରି ମୋ’ପାଇଁ ଗୋଟିଏ ଫାଶ ତିଆରି କରିଦିଅ, ସେଇଥିରେ ମୁଁ ଫାଶୀ ଦେଇ ମରିବି । ଡମ୍ବ ଭାବିଲା, ‘‘ସେ ନିଜେ ଫାଶୀ ଦେଇ ମରୁ । ମୁଁ କାହିଁକି ତା’ ମୃତ୍ୟୁରେ ଦୋଷୀ ହେବି, ବିଶେଷତଃ ସେ ଯେତେବେଳେ ଜଣେ ନାରୀ ?’’ ତେଣୁ ସେ ତା’ପାଇଁ ଗୋଟିଏ ଫାଶ କରି ଗଛରେ ଓହଳାଇଦେଲା । ସିଦ୍ଧିକରୀ ଅଜ୍ଞତାର ଛଳନାକରି ଡମ୍ବକୁ କହିଲା, ‘‘ଏ ଫାଶ ବେକରେ କିପରି ଗଳାହୁଏ, ଦୟାକରି ମତେ ଦେଖାଇଦିଅ’’ ତେଣୁ ଡମ୍ବ ନିଜର ଢୋଲ ଉପରେ ଠିଆ ହୋଇ କହିଲା, ‘‘ଏମିତି ଆମେ କରୁ’’ ଫାଶଟିକୁ ନିଜ ବେକରେ ଗୁଡ଼ାଇଲା । ସିଦ୍ଧିକରୀ ଏହି ସୁଯୋଗରେ ଗୋଇଠାଟିଏ ମାରି ଢୋଲଟାକୁ ଖଣ୍ଡଖଣ୍ଡ କରିଦେଲା ଏବଂ ଡମ୍ବଟି ମରିବାଯାଏ ସେଇଠି ଝୁଲି ରହିଲା । ସେହି ସମୟରେ ବଣିକ ତାକୁ ଖୋଜି ଆସି ସେଠାରେ ପହଞ୍ଚିଲା ଏବଂ ବୃକ୍ଷତଳେ ତା’ର ସମସ୍ତ ଧନ ଚୋରୀ କରିଥିବା ସେହି ସିଦ୍ଧିକରୀକୁ ଖୁବ୍ ଦୂରରୁ ଦେଖି ପାରିଲା । ସେ ମଧ୍ୟ ବଣିକକୁ ଆସୁଥିବାର ଦେଖି ଗୁପ୍ତରେ ଗଛ ଉପରକୁ ଚଢ଼ିଗଲା ଏବଂ ନିଜ ଶରୀରକୁ ପତ୍ର ଗହଳ ଭିତରେ ଲୁଚାଇ ଗୋଟିଏ ଶାଖାରେ ବସି ରହିଲା ।

 

ବଣିକ ତା’ର ଅନୁଚରଗଣକୁ ସାଙ୍ଗରେ ଧରି ଆସି ଦେଖିଲା ଯେ ଡମ୍ବ ବେକରେ ଦଉଡ଼ି ଦେଇ ଝୁଲୁଚି କିନ୍ତୁ ସିଦ୍ଧିକରୀ ଦେଖା ଯାଉନାହିଁ । ସେହିକ୍ଷଣି ଜଣେ ଅନୁଚର କହିଲା, ‘‘ମତେ ବୋଧହେଉଚି ସେ ଏଇ ଗଛରେ ଚଢ଼ିଯାଇଚି’’ ଏବଂ ନିଜେ ଚଢ଼ିବାକୁ ଲାଗିଲା । ସିଦ୍ଧିକରୀ ତାକୁ କହିଲା, ‘‘ମୁଁ ତୁମକୁ ସର୍ବଦା ପ୍ରେମ କରୁଥିଲି ଏବଂ ବର୍ତ୍ତମାନ ମୁଁ ରହିଥିବା ସ୍ଥାନକୁ ତୁମେ ଚଢ଼ିଆସିଲଣି । ତେଣୁ ହେ ସୌମ୍ୟ ମୋ ନିକଟରେ ଥିବା ସମସ୍ତଧନ ତୁମର, ଆସ ମୋତେ ଆଲିଙ୍ଗନ କର । ସେ ବଣିକର ସେଇ ଅନୁଚରକୁ ଆଲିଙ୍ଗନ କଲା ଏବଂ ମୁଖରେ ଚୁମ୍ବନ ଦେବାବେଳେ ସେହି ନିର୍ବୁଦ୍ଧିର ଜିହ୍ୱାକୁ କାମୁଡ଼ି ଛିଣ୍ଡାଇଦେଲା । ଯନ୍ତ୍ରଣାରେ ଅଧୀର ହୋଇ ସେ ଗଛ ଉପରୁ ଖସିପଡ଼ିଲା ଏବଂ ମୁଖରୁ ରକ୍ତ ପ୍ରବାହିତ ହେଉଥିବା ଅବସ୍ଥାରେ ‘‘ଲ-ଲ-ଲ’’ ବୋଲି ଅସ୍ପଷ୍ଟ ଧ୍ୱନି କରିବାକୁ ଲାଗିଲା । ବଣିକ ଉକ୍ତ ଅନୁଚରର ଅବସ୍ଥା ଦେଖି ତାକୁ କୌଣସି ପିଶାଚ ଧରିଚି ଭାବି ଭୟରେ ଭୃତ୍ୟମାନଙ୍କ ସହ ନିଜ ଘରକୁ ପଳାଇଲା । ତା’ପରେ ସେହି ସନ୍ନ୍ୟାସିନୀ ସିଦ୍ଧିକରୀ ମଧ୍ୟ ଭୟାର୍ତ୍ତ ହୋଇ ଗଛ ଉପରୁ ଓହ୍ଲାଇଲା ଏବଂ ସମସ୍ତ ଧନ ଘରକୁ ନେଇ ଆସିଲା । ମୋର ଶିଷ୍ୟା ଏହି ଉପସ୍ଥିତ ବୁଦ୍ଧିରେ ପ୍ରବୀଣା । ବତ୍ସ, ଏହିପରି ତା’ର ଦୟା ଯୋଗୁଁ ମୁଁ ଧନ ଲାଭ କରିଚି ।’’

 

ସନ୍ନ୍ୟାସିନୀ ବଣିକ ଯୁବକମାନଙ୍କୁ ଏହା କହୁଥିବା ସମୟରେ ତା’ର ଶିଷ୍ୟା ସେଇ ସମୟରେ ଆସି ପହଞ୍ଚିଲା । ତାକୁ ସେ ସେମାନଙ୍କୁ ଦେଖାଇ କହିଲା, ‘‘ବତ୍ସ, ବର୍ତ୍ତମାନ ପ୍ରକୃତ କଥା କ’ଣ କୁହ କେଉଁ ନାରୀକୁ ତୁମ୍ଭେମାନେ ଇଚ୍ଛାକର । ମୁଁ ଯଥାଶୀଘ୍ର ତୁମପାଇଁ ତାକୁ ନେଇ ଆସିବି ।’’ ସେମାନେ ଏକଥା ଶୁଣି କହିଲେ, ‘‘ଦେବସ୍ମିତା ନାମରେ ବଣିକ ଗୁହସେନର ସ୍ତ୍ରୀକୁ ଆମ ସହିତ ସାକ୍ଷାତ କରାଇ ଦିଅନ୍ତୁ ।’’ ଏକଥା ଶୁଣି ସନ୍ନ୍ୟାସିନୀ ସେମାନଙ୍କ ପାଇଁ ଉପରୋକ୍ତ କାର୍ଯ୍ୟ କରିଦେବାର ସ୍ୱୀକୃତି ଦେଲା ଏବଂ ଘରେ ବଣିକ ଯୁବକମାନଙ୍କୁ ରହିବାକୁ ଦେଲା ।

 

ତା’ପରେ ସେ ଗୁହସେନ ଗୃହର ଭୃତ୍ୟମାନଙ୍କୁ ମିଠାଇ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଦାନରେ ବଶୀଭୂତ କରି ପରେ ନିଜ ଶିଷ୍ୟାସହ ସେଠାରେ ପ୍ରବେଶ କଲା । ଦେବସ୍ମିତାର ଶୟନକକ୍ଷ ଆଡ଼କୁ ଅଗ୍ରସର ହୁଅନ୍ତେ ସେଠାରେ ଶୃଙ୍ଖଳରେ ବନ୍ଧାଥିବା ଗୋଟିଏ କୁକୁରୀ ତାକୁ କକ୍ଷ ନିକଟରେ ପୂରାଇ ଦେଲା ନାହିଁ । ପ୍ରବଳ ପ୍ରତିରୋଧ କଲା । କିନ୍ତୁ ଦେବସ୍ମିତା ନିଜେ ତାକୁ ଦେଖିବାମାତ୍ରେ କ’ଣ ପାଇଁ ଆସିଛନ୍ତି ବୋଲି ଭାବି ଜଣେ ଦାସୀ ପଠାଇ ଘେନି ଆସିଲା । ସେ ଦୁଷ୍ଟା ସନ୍ନ୍ୟାସିନୀ ପ୍ରବେଶ କରିବା ମାତ୍ରେ ଦେବସ୍ମିତାକୁ ଆଶୀର୍ବାଦ କଲା ଏବଂ ସେହି ସତୀନାରୀକୁ ଛଳ ସମ୍ମାନ ପ୍ରଦର୍ଶନପୂର୍ବକ କହିଲା, ‘‘ତୁମକୁ ଦେଖିବାପାଇଁ ମୋର ସର୍ବଦା ଇଚ୍ଛା ଥାଏ କିନ୍ତୁ ଆଜି ମୁଁ ତୁମକୁ ସ୍ୱପ୍ନରେ ଦେଖିଲି । ତେଣୁ ଅତିଶୟ ଆଗ୍ରହରେ ମୁଁ ଆଜି ତୁମ ପାଖକୁ ଆସିଲି । ସ୍ୱାମୀଠାରୁ ତୁମର ବିଚ୍ଛେଦ ହୋଇଥିବା ଦେଖି ମୁଁ ଖୁବ୍ ଦୁଃଖିତ, କାରଣ କାନ୍ତ ନିକଟରେ ନ ରହିଲେ ରୂପ ଓ ଯୌବନ ସବୁ ନଷ୍ଟ ହୁଏ ।’’ ଅଳ୍ପ ସମୟ ଭିତରେ ଏହିପରି ଅନେକ କଥା କହି ସେ ସତୀନାରୀର ବିଶ୍ୱାସ ଭାଜନ ହେବାକୁ ଚେଷ୍ଟା କଲା ଏବଂ ତା’ପରେ ବିଦାୟ ନେଇ ନିଜ ଘରକୁ ଆସିଲା ।

 

ଦ୍ୱିତୀୟଦିନ ସେ ଖଣ୍ଡେ ମାଂସରେ ଗୋଲମରିଚ ଗୁଣ୍ଡ ପୂରାଇ ପୁଣି ଦେବସ୍ମିତା ଘରକୁ ଗଲା ଏବଂ ଦ୍ୱାର ନିକଟରେ ସେ କୁକୁରୀକୁ ସେ ମାଂସଖଣ୍ଡ ଦେଲା । କୁକୁରୀ ସେ ମାଂସ ଖଣ୍ଡକୁ ଗୋଲମରିଚ ସହ ଖାଇ ଦିଅନ୍ତେ ତା’ର ଆଖିରୁ ଓ ନାକରୁ ପାଣି ବୋହିଲା । ତା’ପରେ ସେ ଧୂର୍ତ୍ତା ସନ୍ନ୍ୟାସିନୀ ଦେବସ୍ମିତାଠାରୁ ସମସ୍ତ ଆତିଥେୟତା ପାଇଁ ତା’ କକ୍ଷମଧ୍ୟକୁ ଯିବାପରେ କାନ୍ଦିବାକୁ ଲାଗିଲା । ଦେବସ୍ମିତା ତାକୁ କାନ୍ଦିବାର କାରଣ ପଚାରନ୍ତେ ସେ ପ୍ରଥମେ ଅନିଚ୍ଛାର ଛଳନା କରି କହିଲା, ‘‘ସଖୀ, ଦେଖ, ବାହାରେ ସେ କୁକୁରୀଟି କାନ୍ଦୁଚି । ଆଜି ମୋତେ ସେ ଚିହ୍ନିପାରିଲା ଯେ ପୂର୍ବଜନ୍ମରେ ସେ ମୋର ସମ୍ପର୍କୀୟା ଥିଲା ଏବଂ କାନ୍ଦିବାକୁ ଲାଗିଲା । ସେଥିପାଇଁ ଦୟାରେ ମୋ ଆଖିରୁ ଲୁହ ବହୁଚି ।’’ ଦେବସ୍ମିତା ଏହା ଶୁଣି ଏବଂ ବାହାରେ କୁକୁରୀଟି ପ୍ରାୟ କାନ୍ଦୁଥିବାର ଦେଖି କିଛିକ୍ଷଣ ଭାବିଲାଗିଲା, ‘‘ଏ ବିସ୍ମୟକର ଦୃଶ୍ୟର ଅର୍ଥ କ’ଣ ହୋଇପାରେ ?’’ ସନ୍ନ୍ୟାସିନୀ ପୁଣି ତାକୁ କହିଲା, ‘‘ବତ୍ସ, ପୂର୍ବରୁ ଗୋଟିଏ ଜନ୍ମରେ ମୁଁ ଏବଂ ସେଇ କୁକୁରୀ ଗୋଟିଏ ବ୍ରାହ୍ମଣର ଦୁଇ ପତ୍ନୀ ଥିଲୁ । ଆମର ସ୍ୱାମୀ ବହୁସମୟରେ ରାଜାଦେଶରେ ଅନ୍ୟଦେଶକୁ ଦୈତ୍ୟକାର୍ଯ୍ୟପାଇଁ ଯାଉଥିଲେ ଯେତେବେଳେ ସେ ଘରେ ନ ଥାନ୍ତି ମୁଁ ମୋ ଖୁସିରେ ଅନ୍ୟ ପୁରୁଷମାନଙ୍କ ସଙ୍ଗେ ରହେ । ମୋ ଶରୀରର ପଞ୍ଚଭୂତ ଓ ଇନ୍ଦ୍ରିୟମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ସୁଖଦାନରୁ ବଞ୍ଚିତ କରେ ନାହିଁ । ସେହି ପଞ୍ଚଭୂତ ଓ ଇନ୍ଦ୍ରିୟମାନଙ୍କ ସମୁଚିତ ସେବା କରବାହିଁ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ, ସେଥିପାଇଁ ମୁଁ ଏ ଜନ୍ମରେ ପୂର୍ବଜନ୍ମର ସ୍ମରଣ ରଖି ଜନ୍ମଲାଭ କଲି, କିନ୍ତୁ ଇଏ ସେ ଜନ୍ମରେ ନିଜ ଅଜ୍ଞତା ଫଳରେ ନିଜ ସତୀତ୍ୱ ରକ୍ଷାରେ ସମସ୍ତ ଧ୍ୟାନ ଦେଲା ତେଣୁ ଅଧଃପତିତ ହୋଇ ଶ୍ୱାନଯୋନିରେ ଜନ୍ମଗ୍ରହଣ କଲା; ଯାହାହେଉ ସେ ମଧ୍ୟ ପୂର୍ବଜନ୍ମ ସ୍ମରଣ ରଖିଚି ।’’

 

ବୁଦ୍ଧିମତୀ ଦେବସ୍ମିତା ଭାବିଲା, ‘‘ଏ ତ କର୍ତ୍ତବ୍ୟର ଏକ ଅପୂର୍ବ ସଂଜ୍ଞା । ଏହି ନାରୀ ମୋ’ପାଇଁ ନିଶ୍ଚୟ ଏକ କୃତଘ୍ନତାର ଜାଲ ବିସ୍ତାର କରୁଚି’’ ସେ ତାକୁ କହିଲା ‘‘ହେ ସନ୍ନ୍ୟାସିନୀ ଏତେ ଦିନଧରି ମୁଁ ଏହି କର୍ତ୍ତବ୍ୟ ବିଷୟରେ ଅନଭିଜ୍ଞା ଥିଲି । କୌଣସି ସୁନ୍ଦର ପୁରୁଷକୁ ମୋ ସହିତ ପରିଚିତ କରାଇ ଦିଅନ୍ତୁ’’ ସନ୍ନ୍ୟାସିନୀ କହିଲା, ‘‘ବିଦେଶରୁ ଆସିଥିବା କେତେଜଣ ବଣିକ ଯୁବକ ଏଠାରେ ରହୁଛନ୍ତି । ମୁଁ ସେମାନଙ୍କୁ ତୁମ ନିକଟକୁ ଆଣିବି’’ ଏହି କଥା କହି ସନ୍ନ୍ୟାସିନୀ ଆନନ୍ଦରେ ଘରକୁ ଫେରିଲା ଏବଂ ଦେବସ୍ମିତା ତା’ର ଦାସୀମାନଙ୍କୁ କହିଲା, ‘‘ଏ ବଦମାସ ବଣିକ ଯୁବକମାନେ ଯେ କେହି ହୁଅନ୍ତୁ ପଛେ ନିଶ୍ଚୟ ମୋ ସ୍ୱାମୀଙ୍କ ହାତରେ ଥିବା ଅମ୍ଳାନ ପଦ୍ମ ଦେଖିଛନ୍ତି ଏବଂ କୌଣସି ସମୟରେ ସେ ମଦ୍ୟପାନ କରୁଥିଲାବେଳେ କୌତୂହଳ ବଶତଃ ତାଙ୍କୁ ସବୁ ବୃତ୍ତାନ୍ତ ବର୍ଣ୍ଣନା କରିବାପାଇଁ କହିଛନ୍ତି । ଏବଂ ବର୍ତ୍ତମାନ ମୋତେ ଭ୍ରଷ୍ଟା କରାଇବାପାଇଁ ସେହି ଦ୍ୱୀପରୁ ଆସିଚନ୍ତି । ଏହି ସନ୍ନ୍ୟାସିନୀ ସେହିମାନଙ୍କ ଦ୍ୱାରା ପ୍ରଯୁକ୍ତା । ତେଣୁ ଅତି ଶୀଘ୍ର ଧାତୁରା ମିଶ୍ରିତ କିଛି ମଦ୍ୟ ଆଣ ଏବଂ ତାହା ଆଣିବାପରେ ଯେତେ ଶୀଘ୍ର ପାର ଲୌହନିର୍ମିତ କୁକୁର ପାଦଟିଏ ତିଆରି କରାଅ ।’’

 

ଦେବସ୍ମିତା ଏପରି ଆଦେଶ ଦିଅନ୍ତେ ଦାସୀମାନେ ବିଶ୍ୱସ୍ତତାରେ ତାହା ପାଳନ କଲେ । ଜଣେ ଦାସୀ ଆଦେଶ ମୁତାବକ ନିଜକୁ ଏପରି ସଜ୍ଜିତ କଲା ଯେପରି ତା’ର ପ୍ରଭୁପତ୍ନୀ ପରି ଦେଖାଯିବ, ଚାରିଜଣଯାକ ବଣିକ ଆଗ୍ରହାତିଶଯ୍ୟରେ ‘ମୁଁ ଆଗ ଯିବି’ ବୋଲି କହନ୍ତେ ସନ୍ନ୍ୟାସିନୀ ସେମାନଙ୍କ ମଧ୍ୟରୁ ଜଣକୁ ବାଛି ତାକୁ ସାଙ୍ଗରେ ନେଲା । ତାକୁ ନିଜର ଶିଷ୍ୟାର ପୋଷାକ ପିନ୍ଧାଇ ସନ୍ଧ୍ୟାସମୟରେ ଦେବସ୍ମିତାର ଗୃହରେ ପ୍ରବେଶ କରାଇ ଦେଲା ଏବଂ ବାହାରକୁ ଚାଲିଆସି ଅଦୃଶ୍ୟ ହୋଇଗଲା । ଯେଉଁ ଦାସୀଟି ଦେବସ୍ମିତାର ଛଦ୍ମବେଶ ଧାରଣ କରିଥିଲା ସେ ଯୁବକ ବଣିକକୁ ଭଦ୍ରତା ସହକାରେ ଧାତୁରାମିଶା ମଦ୍ୟରୁ କିଛି ପାନ କରିବାକୁ ପ୍ରବର୍ତ୍ତାଇଲା । ତା’ର ନିର୍ଲଜ୍ଜତା ପରି ସେହି ମଦ ତା’ର ଜ୍ଞାନ ହରଣ କରିନେଲା । ଦାସୀମାନେ ତା’ର ପୋଷାକପତ୍ର ଓ ଅଳଙ୍କାରାଦି କାଢ଼ିନେଇ ସମ୍ପୂର୍ଣ୍ଣ ଉଲଗ୍ନ କରିଦେଲେ । ତା’ପରେ ତା’ କପାଳରେ କୁକୁର ପାଦର ଚିହ୍ନ ଦେଇ ସେଇ ରାତି ଭିତରେ ଘେନିଯାଇ ଆବର୍ଜନାପୂର୍ଣ୍ଣ ଏକ ଖାତ ଭିତରକୁ ଠେଲି ଦେଲେ । ରାତ୍ରୀର ଶେଷ ପ୍ରହରରେ ତା’ର ଚେତନା ଆସନ୍ତେ ସେ ନିଜକୁ ସେଇ ଖାତ ଭିତରେ ପଡ଼ିଥିବାର ଦେଖିଲା ତା’ର ପାପ କର୍ମ ପାଇଁ ଭୋଗ କରୁଥିବା ଅଭୀଚି ନର୍କ ପରି । ତା’ପରେ ସେ ଉଠି ଅଙ୍ଗ ପ୍ରକ୍ଷାଳନ କଲା ଏବଂ ନିଜ ଅଙ୍ଗୁଳିରେ କପାଳରେ ଦଗାଯାଇଥିବା ଚିହ୍ନକୁ ସ୍ପର୍ଶ କରିକରି ସନ୍ନ୍ୟାସିନୀର ଗୃହକୁ ବାହୁଡ଼ିଲା । ସେ ଯେପରି ଏକା ଉପହସିତ ନହୁଏ ସେଥିପାଇଁ ସେ ସେଠାରେ ପହଞ୍ଚି ବନ୍ଧୁମାନଙ୍କୁ କହିଲା ଯେ ବାଟରେ ଆସୁଆସୁ ତା’ର ସର୍ବସ୍ୱ ଲୁଣ୍ଠିତ ହୋଇଗଲା । ପରଦିନ ସକାଳେ ସେ ଦଗାଯାଇଥିବା ନିଜର କପାଳ ଉପରେ ଖଣ୍ଡେ ଲୁଗାବାନ୍ଧି ବସିଲା ଏବଂ ଗୋଟାଏ ଆଳ ଦେଖାଇ କହିଲା ଯେ ରାତିରେ ବହୁ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହି ଏବଂ ବହୁ ମଦ୍ୟପାନ କରି ତା’ର ଶିରବ୍ୟଥା ହେଉଚି । ସେହିପରି ଦ୍ୱିତୀୟ ବଣିକ ଯୁବକ ମଧ୍ୟ ଦେବସ୍ମିତା ଘରକୁ ଯାଇ ଅତ୍ୟାଚାରିତ ହେଲା ଏବଂ ଉଲଗ୍ନ ଅବସ୍ଥାରେ ଘରକୁ ଫେରି କହିଲା ଯେ, ‘‘ମୁଁ ସେଠାରେ ସମସ୍ତ ଭୂଷଣ ପରିଧାନ କରିଥିଲି କିନ୍ତୁ ଫେରିଲାବେଳକୁ ଦସ୍ୟୁମାନଙ୍କ ଦ୍ୱାରା ଲୁଣ୍ଠିତ ହୋଇଗଲି’’ ସକାଳୁ ସେ ମଧ୍ୟ ମୁଣ୍ଡବ୍ୟଥା ଆଳରେ ଦଗାଯାଇଥିବା କପାଳ ଉପରେ ଲୁଗା ଗୁଡ଼ାଇଲା ।

 

ସେହିପରି ଉପାୟରେ ଚାରିଜଣଯାକ ଯୁବକ ବଣିକ ଜଣକ ପରେ ଜଣେ କପାଳରେ ଦଗାଯିବା ଓ ଅନ୍ୟାନ୍ୟ ଅତ୍ୟାଚାର ଭୋଗି ମଧ୍ୟ ପ୍ରକୃତ ବିଷୟକୁ ଗୁପ୍ତ ରଖିଥିଲେ । ପାଇଥିବା ବ୍ୟବହାର ଓ ଅଭିଜ୍ଞତା ବିଷୟରେ ବୌଦ୍ଧ ସନ୍ନ୍ୟାସିନୀକୁ କିଛି ନକହି ସେମାନେ ସେ ସ୍ଥାନରୁ ପଳାଇଲେ । ସନ୍ନ୍ୟାସିନୀ ମଧ୍ୟ ସେହିପରି ଭୋଗକରୁ ବୋଲି ସେ ଇଚ୍ଛା କରୁଥିଲେ ।

 

ପରଦିନ ସନ୍ନ୍ୟାସିନୀ ତା’ର ଶିଷ୍ୟାକୁ ଧରି, ତା’ର ମନୋରଥ ସିଦ୍ଧ ହୋଇଥିବାରୁ ଖୁବ୍ ଆନନ୍ଦ ମନରେ ଦେବସ୍ମିତା ଘରକୁ ଗଲା । ଦେବସ୍ମିତା ତାକୁ ସାଦର ଅଭିନନ୍ଦନ ଜଣାଇଲା ଏବଂ କୃତଜ୍ଞତାର ଚିହ୍ନ ସ୍ୱରୂପ ଧାତୁରା ମିଶା ମଦ ପିଆଇ ଦେଲା । ସେ ଏବଂ ତା’ର ଶିଷ୍ୟା ନିଶାରେ ଘାରି ହୋଇ ପଡ଼ନ୍ତେ ସେ ସତୀନାରୀ ସେମାନଙ୍କର ନାକ ଓ କାନକୁ କାଟି ଆବର୍ଜନା ଖାତ ଭିତରେ ନେଇ ପକେଇ ଦେଲା । କାଳେ ସେହି ଯୁବକ ବଣିକମାନେ ଯାଇଁ ତା’ର ସ୍ୱାମୀକୁ ହତ୍ୟା କରିବେ ଏହି ଚିନ୍ତାରେ ସେ ଶଙ୍କାକୁଳ ହୋଇ ପଡ଼ିଲା ଏବଂ ତା’ର ଶାଶୁକୁ ସମସ୍ତ ଘଟଣା କହିଲା-। ଶାଶୁ କହିଲେ, ‘‘ବୋହୂ, ସାଧ୍ୱୀର କାର୍ଯ୍ୟ କରିଛୁ କିନ୍ତୁ ତୋର ଏଇ କାମ ଫଳରେ ମୋ ପୁଅ ପ୍ରତି କିଛି ବିପଦ ଆସିପାରେ ।’’ ଦେବସ୍ମିତା ଉତ୍ତର ଦେଲା, ‘‘ପୂର୍ବେ ଶକ୍ତିମତୀ ଯେପରି ନିଜ ବୁଦ୍ଧି ବଳରେ ତା’ର ସ୍ୱାମୀକୁ ଉଦ୍ଧାର କରିଥିଲା ମୁଁ ସେହିପରି ତାଙ୍କୁ ଉଦ୍ଧାର କରିବି’’ । ଶାଶୁ ପଚାରିଲେ, ‘‘ବତ୍ସେ ! ଶକ୍ତିମତୀ କିପରି ତା’ର ସ୍ୱାମୀକୁ ଉଦ୍ଧାର କଲା କହ’’ । ତେଣୁ ଦେବସ୍ମିତା ନିମ୍ନ ଗଳ୍ପଟି ବର୍ଣ୍ଣନା କଲା ।

 

ଶକ୍ତିମତୀ ଏବଂ ତା’ର ସ୍ୱାମୀ–ଆମ ଦେଶରେ ପୂର୍ବ-ପୁରୁଷଙ୍କ ଦ୍ୱାରା ନଗର ମଧ୍ୟରେ ମଣିଭଦ୍ର ନାମରେ ମହିମାମୟ ଯକ୍ଷଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ସେଠାରେ ଲୋକମାନେ ବିଭିନ୍ନ ପ୍ରକାର ବର ଲାଭ ଆଶାରେ ଭୋଗ ଓ ଅର୍ଘ୍ୟାଦି ପ୍ରଦାନ କରି ମାନସିକ କରନ୍ତି । ରାତ୍ର କାଳରେ କୌଣସି ଲୋକକୁ ପର ସ୍ତ୍ରୀସହିତ ଥିବାର ଦେଖାଗଲେ ତାକୁ ସେ ସ୍ତ୍ରୀସହିତ ଏହି ଯକ୍ଷ ମନ୍ଦିର ମଧ୍ୟବର୍ତ୍ତୀ ଗୃହରେ ରଖା ଯାଉଥିଲା । ପ୍ରଭାତରୁ ସେ ସ୍ତ୍ରୀ ସହିତ ତାକୁ ସେଠାରୁ ରାଜ ଦରବାରକୁ ନିଆ ଯାଉଥିଲା ଏବଂ ତା’ର ଦୁଷ୍କର୍ମ ସବୁ ପ୍ରକାଶ କରାଯାଇ ତାକୁ ଦଣ୍ଡ ଦିଆ ଯାଉଥିଲା । ଏହିପରି ନୀତି ଚଳି ଆସୁଥିଲା । ଥରେ ନଗରରକ୍ଷକ, ସମୁଦ୍ରଦତ୍ତ ନାମକ ନଗରର ଜଣେ ବଣିକକୁ ଅନ୍ୟଜଣେ ଲୋକର ସ୍ତ୍ରୀ ସହିତ ଥିବାର ଦେଖିଲେ । ତେଣୁ ସେ ତାକୁ ସେ ସ୍ତ୍ରୀ ସହିତ ନେଇ ଯକ୍ଷ ମନ୍ଦିରରେ ରଖିଲେ ଏବଂ ଭଲକରି ଦ୍ୱାରରୁଦ୍ଧ କରିଦେଲେ । ସାଙ୍ଗେ ସାଙ୍ଗେ ଏ ଘଟଣା ବଣିକଙ୍କର ବୁଦ୍ଧିମତୀ ଏବଂ ଅନୁରକ୍ତା ସ୍ତ୍ରୀ ଶକ୍ତିମତୀଙ୍କ କାନକୁ ଆସିଲା । ତହୁଁ ସେ ଦୃଢ଼ସଂକଳ୍ପା ନାରୀ ଛଦ୍ମ ବେଶରେ ନିଜର ଜଣେ ସଖୀ ସହିତ ଦେବପୂଜାପାଇଁ ଅର୍ଘ୍ୟ ପ୍ରଭୃତି ସାଙ୍ଗରେ ନେଇ ଯକ୍ଷ ମନ୍ଦିରରେ ପହଞ୍ଚିଲା । ସେଠାରେ ଥିବା ପୂଜକ ଯେ କି ଦକ୍ଷିଣା ଲୋଭରେ ଦେବତାଙ୍କୁ ଦିଆ ଯାଇଥିବା ଭୋଗ ଭୋଜନ କରନ୍ତି ମନ୍ଦିର ଦ୍ୱାର ଖୋଲି ତା’କୁ ଭିତରକୁ ପ୍ରବେଶ କରାଇଦେଲେ ଏବଂ ଏହି ବିଷୟ ରାଜକର୍ମଚାରୀଙ୍କୁ ଜଣାଇ ଦେଲେ । ଶକ୍ତିମତୀ ଭିତରକୁ ଯାଇ ସ୍ୱାମୀକୁ ଅନ୍ୟଏକ ନାରୀ ସହିତ ମ୍ରିୟମାଣ ଅବସ୍ଥାରେ ଥିବାର ଦେଖିଲେ ଏବଂ ସେ ନାରୀକୁ ତାଙ୍କ ନିଜ ପୋଷାକ ପିନ୍ଧି ବାହାରକୁ ଚାଲିଯିବା ପାଇଁ କହିଲେ । ସେ ସ୍ତ୍ରୀଲୋକଟି ତାଙ୍କ ପୋଷାକ ପିନ୍ଧି ରାତିରେ ବାହାରକୁ ଖସି ଚାଲିଗଲା ଏବଂ ଶକ୍ତିମତୀ ନିଜ ସ୍ୱାମୀ ସହିତ ମନ୍ଦିର ଭିତରେ ରହିଲେ । ପରଦିନ ପ୍ରଭାତରେ ରାଜକର୍ମଚାରୀଗଣ ବଣିକକୁ ଦେଖିବାକୁ ଆସିଲେ କିନ୍ତୁ ସମସ୍ତେ ଦେଖିଲେ ଯେ ସେ ତାଙ୍କ ନିଜ ସ୍ତ୍ରୀ ସହିତ ଅଛନ୍ତି । ରାଜା ଏକଥା ଶୁଣି ବଣିକକୁ ଯକ୍ଷ ମନ୍ଦିରରୁ ପ୍ରାୟ ମୃତ୍ୟୁ ମୁହଁରୁ ମୁକ୍ତ କରିଦେଲେ ଏବଂ ପ୍ରଧାନ ନଗରପାଳକକୁ ଦଣ୍ଡ ଦେଲେ । ଏହିପରି ପୂର୍ବେ ଶକ୍ତିମତୀ ତାଙ୍କର ବୁଦ୍ଧି ଦ୍ୱାରା ନିଜ ସ୍ୱାମୀଙ୍କୁ ରକ୍ଷା କରିଥିଲେ ଏବଂ ସେହିପରି ମୁଁ ଯିବି ଓ ବିଚକ୍ଷଣତା ବଳରେ ସ୍ୱାମୀଙ୍କୁ ରକ୍ଷା କରିବି ।

 

ବୁଦ୍ଧିମତୀ ଦେବସ୍ମିତା ଶାଶୁଙ୍କୁ ଗୋପନରେ ଏକଥା କହି ଜଣେ ଦାସୀକୁ ସଙ୍ଗରେ ଧରି ବଣିକର ବେଶ ପରିଧାନ କଲା । ବାଣିଜ୍ୟ ଯାତ୍ରା ଆଳରେ ସେ ଜାହାଜରେ ଚଢ଼ି ନିଜ ସ୍ୱାମୀ ଥିବା କଟାହ ରାଜ୍ୟରେ ପହଞ୍ଚିଲା । ସେଠାରେ ଉପସ୍ଥିତ ହୋଇ ସେ ଦଳେ ବଣିକଙ୍କ ଗହଣରେ ନିଜର ସ୍ୱାମୀ ଗୁହସେନକୁ ଦେଖିଲା । ତା’ର ହୃଦୟର ସାନ୍ତ୍ୱନା ଯେପରି ମୂର୍ତ୍ତି ପରିଗ୍ରହ କରି ସେଠାରେ ଉପସ୍ଥିତ । ଗୁହସେନ ମଧ୍ୟ ଖୁବ୍ ଦୂରରୁ ପୁରୁଷ ବେଶରେ ତାକୁ ଦେଖି ଚକ୍ଷୁବାଟେ ତାକୁ ଯେପରି ପାନ କରିଗଲା, ଏବଂ ଭାବିଲା, ‘‘ମୋର ପ୍ରିୟ ପତ୍ନୀପରି ଦେଖା ଯାଉଥିବା ଏଇ ବଣିକଟି କିଏ ହୋଇପାରେ ?’’

 

ତା’ପରେ ଦେବସ୍ମିତା ରାଜାଙ୍କ ନିକଟକୁ ଯାଇଁ ତା’ର ଗୋଟିଏ ଅନୁରୋଧ ଥିବାର ଜଣାଇଲା ଏବଂ ତାଙ୍କର ସମସ୍ତ ପ୍ରଜାଙ୍କୁ ଏକାଠି କରିବା ପାଇଁ କହିଲା । ରାଜା କୌତୂହଳ ପରବଶ ହୋଇ ତାଙ୍କର ସମସ୍ତ ପ୍ରଜାଙ୍କୁ ଏକାଠି କଲେ ଏବଂ ବଣିକ ବେଶରେ ଥିବା ସେହି ନାରୀକୁ ପଚାରିଲେ, ‘‘କ’ଣ ତୁମର ଅନୁରୋଧ ?’’ ଦେବସ୍ମିତା କହିଲା, ‘‘ଏମାନଙ୍କ ଭିତରେ ମୋ ପାଖରୁ ପଳାଇ ଆସିଥିବା ମୋର ଚାରିଜଣ ଦାସ ଅଛନ୍ତି ! ରାଜା ସେମାନଙ୍କୁ ମୋତେ ଫେରାଇ ଦିଅନ୍ତୁ ।’’ ରାଜା ତାକୁ କହିଲେ ‘‘ନଗରର ସମସ୍ତ ଅଧିବାସୀ ଏଠାରେ ଅଛନ୍ତି । ପ୍ରତ୍ୟେକ ଲୋକଙ୍କୁ ଜଣ ଜଣ କରି ଦେଖି ତୁମର ଦାସମାନଙ୍କୁ ଘେନିଯାଅ ।’’ ସେ ମୁଣ୍ଡରେ ପଗଡ଼ି ଗୁଡ଼ାଇ ଥିବା ଚାରିଜଣ ଯୁବକ ବଣିକଙ୍କୁ ଧଇଲା । ସେଇ ଚାରିଜଣଙ୍କୁ ସେ ପୂର୍ବେ ନିଜ ଘରେ ଅପମାନିତ କରିଥିଲା । ଏକଥା ଦେଖି ସେଠାରେ ଥିବା ଅନ୍ୟ ବଣିକମାନେ ଖୁବ୍ ରାଗିଯାଇ ତାକୁ କହିଲେ, ‘‘ସେମାନେ ସମ୍ଭ୍ରାନ୍ତ ବଣିକମାନଙ୍କ ସନ୍ତାନ । ସେମାନେ କିପରି ତୁମ ଦାସ ହେଲେ ?’’ ସେ ସେମାନଙ୍କୁ ଉତ୍ତର ଦେଲା, ‘‘ଯଦି ଆପଣମାନେ ମୋ କଥାରେ ଅବିଶ୍ୱାସ କରୁଛନ୍ତି ତେବେ ସେମାନଙ୍କ କପାଳ ଦେଖନ୍ତୁ । ମୁଁ ସେଠାରେ କୁକୁର ପାଦର ଦାଗ ଦେଇଛି ।’’ ବଣିକମାନେ ଏଥିରେ ରାଜିହୋଇ ଉକ୍ତ ଚାରିଜଣଙ୍କର ମୁଣ୍ଡର ପଗଡ଼ି ଖୋଲିଦେଇ ସେମାନଙ୍କ କପାଳରେ କୁକୁର ପାଦର ଚିହ୍ନ ଦେଖିଲେ । ତହୁଁ ସବୁବଣିକ ଲଜ୍ଜିତ ହୋଇପଡ଼ିଲେ ଏବଂ ରାଜା ନିଜେ ଆଶ୍ଚର୍ଯ୍ୟ ହୋଇ ଦେବସ୍ମିତାକୁ ଏସବୁ ଘଟଣା କ’ଣ ବୋଲି ପଚାରିଲେ । ସେ ସବୁ ଘଟଣା ବର୍ଣ୍ଣନା କରିଗଲା ଏବଂ ଉପସ୍ଥିତ ଲୋକମାନେ ହସିହସି ଗଡ଼ିଗଲେ । ରାଜା ଦେବସ୍ମିତାକୁ କହିଲେ, ‘‘ସେମାନେ ପ୍ରକୃତରେ ତୁମର ଦାସ’’ ତହୁଁ ଅନ୍ୟବଣିକମାନେ ସେ ଚାରିଜଣଙ୍କୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ସେ ସତୀ ନାରୀକୁ ବିପୁଳ ପରିମାଣ ଅର୍ଥ ଦେଲେ ଏବଂ ରାଜକୋଷକୁ ଜୋରିମାନା ଦେଲେ । ଦେବସ୍ମିତା ସେ ଅର୍ଥ ଲାଭକଲା ଏବଂ ନିଜ ସ୍ୱାମୀଙ୍କୁ ଉଦ୍ଧାର କରି ସୁଜନମାନଙ୍କ ଦ୍ୱାରା ସମ୍ମାନିତା ହୋଇ ନିଜ ନଗର ତାମ୍ରଲିପ୍ତକୁ ଫେରିଲା । ଆଉ କେବେ ସେ ନିଜ କାନ୍ତଠାରୁ ବିଚ୍ଛିନ୍ନ ହୋଇନଥିଲା ।

Image

 

ଜୀମୂତବାହନ କଥା

 

ଜଗନ୍ମାତାଙ୍କର ପିତା ହିମବତ୍ ନାମକ ବିରାଟ ପର୍ବତ କେବଳ ସେ ପର୍ବତମାନଙ୍କ ମଧ୍ୟରେ ଶ୍ରେଷ୍ଠ ତାହା ନୁହେଁ, ଶିବଙ୍କର ମନ୍ତ୍ରଦାତା । ବିଦ୍ୟାଧରମାନଙ୍କର ବାସସ୍ଥଳ ସେଇ ବିରାଟ ପର୍ବତରେ ରାଜା ଜୀମୂତକେତୁ ନାମରେ ବିଦ୍ୟାଧରମାନଙ୍କ ଅଧୀଶ୍ୱର ବାସ କରୁଥିଲେ । ତାଙ୍କର ଗୃହରେ ପୁରୁଷାନୁକ୍ରମେ ଏକ କଳ୍ପବୃକ୍ଷ ରହିଥିଲା, ନାମ ସ୍ୱରୂପ ଗୁଣରେ ମଧ୍ୟ ଏହା ସମସ୍ତ ମନୋରଥ ପୂରଣ କରୁଥିଲା । ଦିନେ ରାଜା ଜୀମୂତକେତୁ ଉଦ୍ୟାନରେ ଥିବା ସେ ସ୍ୱର୍ଗୀୟ କଳ୍ପବୃକ୍ଷ ନିକଟକୁ ଯାଇଁ କହିଲେ, ‘‘ଆମର ସମସ୍ତ ଇଚ୍ଛା ଆପଣ ପୂରଣ କରନ୍ତି । ତେଣୁ ହେ ପ୍ରଭୁ ମୁଁ ନିଃସନ୍ତାନ, ମୋତେ ଏକ ଗୁଣବାନ ପୁତ୍ର ପ୍ରଦାନ କରନ୍ତୁ ।’’ କଳ୍ପବୃକ୍ଷ ତାଙ୍କୁ କହିଲା, ‘‘ରାଜା ! ପୂର୍ବଜନ୍ମ ସ୍ମରଣ ରଖିଥିବା ଏକ ଦାନବୀର ଓ ଜୀବଙ୍କପ୍ରତି ଦୟାଶୀଳ ପୁତ୍ର ତୁମର ଜାତ ହେବ ।’’ ରାଜା ଏହା ଶୁଣି ଆନନ୍ଦିତ ହୋଇ ବୃକ୍ଷକୁ ପ୍ରଣିପାତ କଲେ ଏବଂ ତା’ପରେ ରାଣୀଙ୍କୁ ଏ ଖବର ଦେଇ ଆନନ୍ଦିତା କରାଇଲେ । ଅଳ୍ପଦିନ ମଧ୍ୟରେ ତାଙ୍କର ଏକ ପୁତ୍ର ଜାତ ହେଲା ଏବଂ ପିତା ପୁତ୍ରର ନାମ ଜୀମୂତବାହନ ଦେଲେ ।

 

ଅପୂର୍ବ ଗୁଣବାନ ସେହି ଜୀମୂତବାହନ, ମନ ମଧ୍ୟରେ ସବୁ ଜୀବଙ୍କପ୍ରତି ଦୟାଭାବ ରଖି କ୍ରମେକ୍ରମେ ବଢ଼ି ଉଠିଲେ । ସମୟ କ୍ରମେ ସେ ଯେତେବେଳେ ଯୁବରାଜ ପଦ ଲାଭକଲେ ଜଗତ ପ୍ରତି କରୁଣାରେ ପୂର୍ଣ୍ଣ ଥିବାରୁ, ତାଙ୍କର କଥା ପ୍ରତି ମନଯୋଗୀ ତାଙ୍କର ପିତାଙ୍କୁ ଗୁପ୍ତରେ କହିଲେ, ‘‘ପିତା ! ମୁଁ ଜାଣେ ଏ ଜଗତରେ ସବୁ ପଦାର୍ଥ କ୍ଷଣସ୍ଥାୟୀ, କିନ୍ତୁ ମହାନ ବ୍ୟକ୍ତିର ବିଶୁଦ୍ଧ ଯଶ କଳ୍ପର ଶେଷ ପର୍ଯ୍ୟନ୍ତ ରହିଥାଏ । ପରୋପକାର କରି ଯଦି ଏହି ଯଶ ସଂଗ୍ରହ କରାଯାଏ ତେବେ ମହତ ଲୋକ ପକ୍ଷରେ ଏହା ପରି ଜୀବନଠାରୁ ବଳି ଆଉ କି ସମ୍ପତ୍ତି ଅଛି ? ଏବଂ ସମ୍ପତ୍ତିକୁ ଯଦି ଅନ୍ୟର ଉପକାରରେ ବିନିଯୋଗ କରା ନଯାଏ ତେବେ ତାହା ଚପଳାପରି କ୍ଷଣିକ ଉଜ୍ଜ୍ୱଳତାରେ ଚକ୍ଷୁକୁ କଷ୍ଟଦେଇ କୁଆଡ଼େ ଉଭେଇ ଯାଏ । ତେଣୁ ଆମ ନିକଟରେ ଥିବା ଏବଂ ଇଚ୍ଛାପୂରଣ କରୁଥିବା ଏହି କଳ୍ପବୃକ୍ଷ ଯଦି ଅନ୍ୟର ଉପକାରରେ ଲଗାଯାଏ ତେବେ ଏହା ଦେଇପାରୁଥିବା ସମସ୍ତ ଫଳ ଆମେ ପାଇପାରିବା ତେଣୁ ଏହାର ଧନରେ ଜଗତର ସବୁ ଅଭାବଗ୍ରସ୍ତ ଲୋକେ ଯେପରି ଦାରିଦ୍ର୍ୟରୁ ରକ୍ଷା ପାଆନ୍ତି, ମୋତେ ସେହିପରି କରିବାକୁ ଦିଅନ୍ତୁ ।’’

 

ଜୀମୂତବାହନ ପିତାଙ୍କୁ ଏହି ଅନୁରୋଧ କଲେ ଏବଂ ତାଙ୍କଠାରୁ ଅନୁମତି ନେଇ ସେ କଳ୍ପବୃକ୍ଷକୁ କହିଲେ, ‘‘ହେ ପ୍ରଭୁ’ ଆପଣ ଆମକୁ ସମସ୍ତ ଫଳ ଦାନ କରନ୍ତି, ତେଣୁ ଆଜି ଆମର ଏଇ ଇଚ୍ଛା ପୂରଣ କରନ୍ତୁ । ହେ ବନ୍ଧୁ, ଏହି ପୃଥିବୀକୁ ଦାରିଦ୍ର୍ୟରୁ ମୁକ୍ତ କରନ୍ତୁ, ଆପଣଙ୍କର ଜୟ ହେଉ, ପୃଥିବୀର ଧନର ଅଭାବ ଆପଣ ପୂରଣ କରିଛନ୍ତି ।’’ ଏପରି ନିଃସ୍ୱାର୍ଥପର ଭାବରେ ଅନୁରୋଧ କରାଯାନ୍ତେ କଳ୍ପବୃକ୍ଷ ପୃଥିବୀରେ ବହୁ ସୁବର୍ଣ୍ଣ ବର୍ଷାକଲା ଏବଂ ଲୋକେ ଆନନ୍ଦରେ ଉତ୍ସବ କଲେ । ଯଶସ୍ୱୀ ଜୀମୂତବାହନଙ୍କ ଛଡ଼ା ବୋଧିସତ୍ତ୍ୱଙ୍କର ଆଉ କେଉଁ ଅବତାର ଦରିଦ୍ରଙ୍କ ପାଇଁ ଏକ କଳ୍ପବୃକ୍ଷକୁ ମଧ୍ୟ ଦାନ କରିଦେଇପାରେ ! ଏହି କାରଣ ଯୋଗୁଁ ପୃଥିବୀର ପ୍ରତ୍ୟେକ ଅଞ୍ଚଳର ଲୋକେ ଜୀମୂତବାହନଙ୍କ ପ୍ରତି ଅନୁରକ୍ତ ହୋଇ ପଡ଼ିଲେ ଏବଂ ତାଙ୍କର ନିର୍ମଳ ଯଶ ଖୁବ୍ ଉର୍ଦ୍ଧ୍ୱକୁ ଉଠିଲା ।

 

ପୁତ୍ରର ଯଶ ଯୋଗୁ ରାଜ୍ୟରେ ପିତାଙ୍କ ସିଂହାସନ ଦୃଢ଼ୀଭୂତ ହେବାର ଦେଖି ଜୀମୂତକେତୁଙ୍କ ଜ୍ଞାତିଗଣ ଈର୍ଷାରେ ତାଙ୍କ ପ୍ରତି ଶତ୍ରୁତା ଆଚରଣ କଲେ । ସେମାନେ ଭାବିଲେ ଯେ ଦାନା ଦେବାରେ ନିଯୁକ୍ତ କରା ଯାଇଥିବା ମହାନ କଳ୍ପବୃକ୍ଷଟି ଯେଉଁ ସ୍ଥାନରେ ଅଛି ସେ ସ୍ଥାନଟି ସୁରକ୍ଷିତ ହୋଇ ନଥିବାରୁ ଜୟ କରିବା ଅତି ସହଜ ହେବ । ତେଣୁ ସେମାନେ ସଙ୍ଗଠିତ ହୋଇ ଯୁଦ୍ଧପାଇଁ ତିଆର ହୁଅନ୍ତେ ସ୍ୱାର୍ଥତ୍ୟାଗୀ ଜୀମୂତବାହନ ତାଙ୍କର ପିତାଙ୍କୁ କହିଲେ, ‘‘ଆମର ଏହି ଶରୀର ଜଳର ବୁଦ୍‌ ବୁଦ୍‍ ପରି । ଏହାରି ସକାଶେ ବାତ-ବିକ୍ଷୁବ୍ଧ-ପ୍ରଦୀପର ଶିଖାପରି ଚଞ୍ଚଳ ସମୃଦ୍ଧି କାହିଁକି ଇଚ୍ଛା କରିବା ଏବଂ କେଉଁ ଜ୍ଞାନୀଲୋକ ଅନ୍ୟମାନଙ୍କୁ ହତ୍ୟା କରି ସମୃଦ୍ଧି ଲାଭ କରିବା ଇଚ୍ଛା କରେ ? ତେଣୁ ପିତା ! ମୁଁ ମୋର ଜ୍ଞାତିମାନଙ୍କ ସଙ୍ଗେ ଯୁଦ୍ଧ କରିବା ଉଚିତ ନୁହେଁ, କିନ୍ତୁ ମୁଁ ରାଜ୍ୟ ତ୍ୟାଗକରି କୌଣସି ଏକ ଅରଣ୍ୟକୁ ଚାଲିଯିବି । ଏହି ହତଭାଗାଗୁଡ଼ିକ ଏଠି ରହନ୍ତୁ, ଆମେ ଆମ ପରିବାରର ଲୋକଙ୍କୁ ହତ୍ୟା କରିବା ନାହିଁ ।’’

 

ଜୀମୂତବାହନ ଏ କଥା କହନ୍ତେ, ତାଙ୍କର ପିତା ଜୀମୂତକେତୁ ସ୍ଥିରନିଶ୍ଚୟ କରି କହିଲେ, ‘‘ବତ୍ସ ! ମୁଁ ମଧ୍ୟ ଯିବି, କାରଣ ତୁ ଯୁବକ ହୋଇ ମଧ୍ୟ ଯେତେବେଳେ ଦୟା ହେତୁ ତୃଣ ପରି ମନେକରି ରାଜ୍ୟତ୍ୟାଗ କରୁଚୁ ସେତେବେଳେ ମୋ ପରି ବୃଦ୍ଧ କାହିଁକି ଶାସନ କରିବାର ଇଚ୍ଛା କରିବ ?’’ ଏହିପରି କହି ପିତା ଜୀମୂତବାହନର ପ୍ରସ୍ତାବରେ ସମ୍ମତି ପ୍ରକାଶ କରନ୍ତେ ସେ ପିତା ଓ ପିତାଙ୍କ ପତ୍ନୀଙ୍କ ସହିତ ମଳୟ ପର୍ବତକୁ ଗଲେ । ସେଠାରେ ସେ ସିଦ୍ଧମାନଙ୍କର ବାସସ୍ଥଳ ଚନ୍ଦନ ବନ ଦ୍ୱାରା ଆଚ୍ଛାଦିତ ନିର୍ଝରିଣୀ ନିକଟ ଏକ ତପୋବନରେ ପିତାଙ୍କ ସେବାରେ ନିଜକୁ ନିୟୋଜିତ କରି ବାସକଲେ । ସେଠାରେ ସେ ସିଦ୍ଧମାନଙ୍କ ରାଜା ବିଶ୍ୱାବସୁଙ୍କର ପୁତ୍ର ସ୍ୱାର୍ଥତ୍ୟାଗୀ ମିତ୍ରାବସୁଙ୍କ ସହିତ ମିତ୍ରତା ସ୍ଥାପନ କଲେ । ଦିନେ ସେହି ସୁବିଖ୍ୟାତ ଜୀମୂତବାହନ, ତାଙ୍କର ପୂର୍ବଜନ୍ମର ପ୍ରିୟତମା, ମିତ୍ରାବସୁର କୁମାରୀ ଭଗ୍ନୀକୁ ଏକ ନିର୍ଜନ ସ୍ଥାନରେ ଦେଖିଲେ । ମନର ହରିଣୀ ଗୋଟିଏ ଦୁର୍ବଳ ଜାଲରେ ପଡ଼ିଲା ପରି ଉଭୟେ ଉଭୟଙ୍କୁ ଚାହିଁବାକୁ ଲାଗିଲେ ।

 

ଦିନେ ମିତ୍ରାବସୁ ହଠାତ୍‍ ତିନି ପୁରର ସମ୍ମାନଯୋଗ୍ୟ ଜୀମୂତବାହନ ନିକଟକୁ ସନ୍ତୋଷ ପ୍ରକାଶ ପୂର୍ବକ ମସି କହିଲେ, ‘‘ମଳୟାବତୀ ନାମରେ ମୋର ଗୋଟିଏ କୁମାରୀ କନିଷ୍ଠା ଭଗ୍ନୀ ଅଛି-। ମୁଁ ତାକୁ ତୁମକୁ ଦେଉଛି । ମୋର ଇଚ୍ଛା ପୂରଣ କରିବାକୁ ମନାକର ନାହିଁ ।’’ ଜୀମୂତବାହନ ଏ କଥା ଶୁଣି ତାକୁ କହିଲେ, ‘‘ହେ ଯୁବରାଜ ! ପୂର୍ବଜନ୍ମରେ ସେ ମୋର ପତ୍ନୀ ଥିଲେ, ଏବଂ ସେହି ଜନ୍ମରେ ତୁମେ ମୋର ବନ୍ଧୁ ଏବଂ ମୋର ଦ୍ୱିତୀୟ ହୃଦୟ ରୂପେ ଥିଲ । ମୁଁ ଜଣେ ଲୋକ ଯିଏ କି ପୂର୍ବ ଜୀବନ କଥା ମନେରଖିଛି । ମୋ ପୂର୍ବ ଜୀବନରେ ଯାହା ଘଟିଥିଲା ସବୁ ମୁଁ କହି ପାରିବି-।’’ ସେ ଏକଥା କହନ୍ତେ ମିତ୍ରାବସୁ ତାଙ୍କୁ ପଚାରିଲେ ‘‘ତେବେ ମୋତେ ତୁମର ପୂର୍ବଜନ୍ମର କଥା କୁହ, କାରଣ ମୋର ଏ ବିଷୟରେ କୌତୂହଳ ଜାଗ୍ରତ ହେଉଚି ।’’ ମିତ୍ରାବସୁଠାରୁ ଏକଥା ଶୁଣି ଶୁଭାନୁଧ୍ୟାୟୀ ଜୀମୂତବାହନ ତାଙ୍କୁ ନିଜର ପୂର୍ବଜନ୍ମ କଥା ଏହିପରି କହିଲେ–

 

ଜୀମୂତବାହନର ପୂର୍ବଜନ୍ମ ବୃତ୍ତାନ୍ତ–ତାହା ଏହିପରି; ପୂର୍ବେ ମୁଁ ଜଣେ ନଭଶ୍ଚାରୀ ବିଦ୍ୟାଧର ଥିଲି ଏବଂ ଦିନେ ମୁଁ ହିମାଳୟର ଏକ ଶୃଙ୍ଗ ଉପର ଦେଇ ଯାଉଥିଲି । ସେତେବେଳେ ଶିବ, ଗୌରୀଙ୍କ ସହ କ୍ରୀଡ଼ା କରୁଥିଲେ । ମୋର ତାଙ୍କ ଉପର ଦେଇ ଯିବାଦ୍ୱାରା କ୍ରୁଦ୍ଧ ହୋଇ ସେ ମୋତେ ଶାପଦେଇ କହିଲେ, ‘‘ତୁ ମର୍ତ୍ତ୍ୟବାସୀର ଗର୍ଭରେ ରହିବୁ ଏବଂ ଏକ ବିଦ୍ୟାଧରୀକୁ ତୋର ପତ୍ନୀରୂପେ ପାଇ ଏବଂ ତୋ ସ୍ଥାନରେ ତୋର ପୁତ୍ରକୁ ସ୍ଥାପନ କରି ତୁ ତୋର ପୂର୍ବଜନ୍ମ ସ୍ମରଣ କରିବୁ’’ ଏବଂ ପୁଣି ବିଦ୍ୟାଧର ରୂପେ ଜନ୍ମ ହେବୁ । କେତେବେଳେ ଏହି ଅଭିଶାପର ଶେଷ ହେବ ସେ ବିଷୟରେ କହି ଶିବ ନୀରବ ହେଲେ ଏବଂ ଅନ୍ତର୍ଦ୍ଧାନ ହୋଇଗଲେ । ତା’ପରେ ମୁଁ ପୃଥିବୀରେ ଏକ ବଣିକ ପରିବାରରେ ଜନ୍ମଗ୍ରହଣ କଲି । ମୁଁ ବଲ୍ଲଭୀ ନାମକ ନଗରର ଏକ ଧନୀ ବଣିକର ପୁତ୍ର ରୂପେ ବଢ଼ିଲି । ମୋର ନାମ ଥିଲା ବାସୁଦତ୍ତ ।

 

ସମୟ କ୍ରମେ ମୁଁ ଯୁବାବସ୍ଥା ପ୍ରାପ୍ତ ହୁଅନ୍ତେ, ପିତା ମୋତେ କେତେକ ଅନୁଚର ଦେଲେ ଏବଂ ତାଙ୍କ ଆଦେଶ କ୍ରମେ ମୁଁ ବାଣିଜ୍ୟ ପାଇଁ ଅନ୍ୟ ଦେଶକୁ ଗଲି । ଯାଉଁ ଯାଉଁ ବଣ ମଧ୍ୟରେ ଦସ୍ୟୁମାନେ ଆକ୍ରମଣ କରି ମୋର ସମସ୍ତ ସମ୍ପଦ ଅପହରଣ କଲେ ଏବଂ ମୋତେ ଶୃଙ୍ଖଳାବଦ୍ଧକରି ତାଙ୍କ ଗ୍ରାମର ଦୁର୍ଗା ମନ୍ଦିରକୁ ନେଇଗଲେ । ସେଇ ଭୟଙ୍କର ମନ୍ଦିରରେ ସବୁ ଜୀବଙ୍କୁ ଗିଳିବା ପାଇଁ ଆଗ୍ରହୀ ମୃତ୍ୟୁର ଜିହ୍ୱା ପରି ଲାଲ ରେଶମର ପତାକା ଉଡ଼ୁଥିଲା । ମୋତେ ବଳୀ ଦେବା ଉଦ୍ଦେଶ୍ୟରେ ସେମାନେ ଦେବୀ ପୂଜାରେ ନିଯୁକ୍ତ ଥିବା ପୁଳିନ୍ଦକ ନାମରେ ସେମାନଙ୍କ ଦଳପତିଙ୍କ ପାଖକୁ ନେଇଗଲେ । ସେ ଶବର ହେଲେ ମଧ୍ୟ ମୋତେ ଦେଖିଲା ମାତ୍ରେ ମୋ ପ୍ରତି ଦୟାରେ ତାଙ୍କ ହୃଦୟ ତରଳି ଗଲା–ସାଧାରଣତଃ ବିନା କାରଣରେ ହୃଦୟରେ ସ୍ନେହ ପ୍ରକାଶ କରୁଥିବା ପୂର୍ବଜନ୍ମର ବନ୍ଧୁତ୍ୱର ଲକ୍ଷଣ । ସେ ଶବର ରାଜା ମୋତେ ହତ୍ୟାରୁ ରକ୍ଷାକରି ନିଜକୁ ବଳୀ ରୂପେ ଉତ୍ସର୍ଗ କରି ପୂଜା ସମାପନ କରିବାକୁ ଯାଉଛନ୍ତି ଏହି ସମୟରେ ତାଙ୍କୁ ସ୍ୱର୍ଗରୁ ଏକ ସ୍ୱର ଶୁଣାଗଲା, ‘‘ଏପରି କରନାହିଁ, ମୁଁ ତୁମ ଉପରେ ସନ୍ତୁଷ୍ଟ, ମୋ’ଠାରୁ କିଛି ବରମାଗ ।’’ ତହୁଁ ସେ ଆନନ୍ଦିତ ହୋଇ କହିଲେ, ‘‘ହେ ଦେବି ! ତୁମେ ମୋତେ ଦୟାକଲ, ମୋର ଆଉ ଅଧିକ ଆଶୀର୍ବାଦ ଦରକାର କ’ଣ ?’’ ଯାହାହେଉ ମୁଁ ଏତିକି ମାଗୁଚି, ‘‘ଅନ୍ୟ ଜନ୍ମରେ ମଧ୍ୟ ମୋର ଏହି ବଣିକ ପୁତ୍ର ସହିତ ମିତ୍ରତା ହେଉ ।’’ ‘‘ତାହା ହେବ’’ ଏତିକି କହି ସେ ସ୍ୱର ନୀରବ ହେଲା ଏବଂ ତା’ପରେ ସେ ଶବର ମୋତେ ବହୁ ଧନ ଦେଇ ମୋ ଘରକୁ ଫେରାଇ ଦେଲା ।

 

ତା’ପରେ ମୁଁ ବିଦେଶ ଭ୍ରମଣରୁ ଏବଂ ମରଣ ମୁହଁରୁ ଫେରିଆସନ୍ତେ ମୋର ପିତା ସମସ୍ତ ଘଟଣା ଶୁଣି ମୋ’ପାଇଁ ଏକ ବିରାଟ ଭୋଜିର ଅନୁଷ୍ଠାନ କଲେ । ସମୟକ୍ରମେ ମୁଁ ଦିନେ ସେହି ଶବର ଦଳପତିଙ୍କୁ ଦେଖିଲି । ତାଙ୍କୁ, ଦଳେ ଅଶ୍ୱାରୋହୀଙ୍କୁ ଲୁଣ୍ଠନ କରିବା ଅପରାଧରେ ବାନ୍ଧିଆଣିବାପାଇଁ ରାଜା ଆଦେଶ ଦେଇଥିଲେ । ମୁଁ ପିତାଙ୍କୁ ସଙ୍ଗେ ସଙ୍ଗେ ଏକଥା କହିଲି ଏବଂ ରାଜାଙ୍କୁ ଅନୁରୋଧ କରି, ଏକଲକ୍ଷ ସ୍ୱର୍ଣ୍ଣମୁଦ୍ରା ଦେଇ ମୁଁ ତାଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କଲି । ଏହିପରି ମୋର ଜୀବନ ରକ୍ଷା କରି ଯେଉଁ ଉପକାର କରିଥିଲେ ତାକୁ ପରିଶୋଧ କରି ମୁଁ ତାଙ୍କୁ ମୋ ଘରକୁ ଆଣିଲି ଏବଂ ସସ୍ନେହ ଯତ୍ନ ସହକାରେ ବହୁଦିନ ପର୍ଯ୍ୟନ୍ତ ସମ୍ମାନର ସହିତ ତାଙ୍କର ଆତିଥେୟତା କଲି । ଏହି ଆତିଥେୟତା ପରେ ମୁଁ ତାଙ୍କୁ ବିଦାୟ ଦେଲି ଏବଂ ସେ ମୋ ଉପରେ ହାର୍ଦ୍ଦିକ ସ୍ନେହ ସ୍ଥାପନ କରି ନିଜ ଗ୍ରାମକୁ ଗଲେ ।

 

ତାଙ୍କର ପୂର୍ବର ସହୃଦୟତାକୁ ମୁଁ ଯେପରି ଭାବରେ ପରିଶୋଧ କଲି ତା’ର ଉପଯୁକ୍ତ ଏକ ଉପହାର ସେ ମୋତେ ଦେବାପାଇଁ ଚିନ୍ତା କଲେ । ମୋତି, କସ୍ତୁରୀ କିମ୍ବା ସେହିପରି ଅନ୍ୟାନ୍ୟ ଦ୍ରବ୍ୟ ଯାହା ତାଙ୍କ ନିକଟରେ ଥିଲା ତାହା ଏତେ ମୂଳ୍ୟବାନ୍ ନୁହେଁ ବୋଲି ମନେକରି, ହାତୀମାରି ଗଜମୋତିରେ ମୋ’ପାଇଁ ଏକ ସୁନ୍ଦର ମାଳା ତିଆରି କରିବା ଉଦ୍ଦେଶ୍ୟରେ ସେ ଧନୁଧରି ହିମାଳୟକୁ ଗଲେ । ସେଠାରେ ବୁଲୁବୁଲୁ ସେ ଏକ ବୃହତ୍ ହ୍ରଦ ନିକଟରେ ପହଞ୍ଚିଲେ । ତାହାର ତୀରରେ ଏକ ମନ୍ଦିର ଥିଲା । ହ୍ରଦରେ ଥିବା ପଦ୍ମମାନେ ତାଙ୍କୁ ସ୍ୱାଗତ କଲେ । ପଦ୍ମଗୁଡ଼ିକ ସେମାନଙ୍କର ବନ୍ଧୁଙ୍କ (ସୂର୍ଯ୍ୟ) ପ୍ରତି ଯେପରି ଅନୁରକ୍ତ ସେ (ଶବରରାଜା) ମୋ’ପ୍ରତି ସେହିପରି ଅନୁରକ୍ତ ଥିଲେ । ବନ୍ୟ ହସ୍ତୀମାନେ ସେଠାକୁ ପାଣି ପିଇବାକୁ ଆସିବେ ବୋଲି ଅନୁମାନ କରି ସେ ସେମାନଙ୍କୁ ମାରିବା ପାଇଁ ନିଜ ଧନୁ ସହିତ ଲୁକ୍‌କାୟିତ ଭାବରେ ରହିଲେ ।

 

ଏହି ସମୟରେ ସେ, ହ୍ରଦ କୂଳର ମନ୍ଦିରରେ ଥିବା ଶିବଙ୍କୁ ପୂଜା କରିବା ପାଇଁ ଗୋଟିଏ ସିଂହ ଉପରେ ଚଢ଼ି ଆସୁଥିବା ଜଣେ ଅପୂର୍ବ ସୁନ୍ଦରୀ ନାରୀଙ୍କୁ ଦେଖିଲେ । କୁମାରୀ ବୟସରୁ ମଧ୍ୟ ଶିବଙ୍କ ସେବାରେ ଅନୁରକ୍ତା ରହି ସେ ହିମ ପର୍ବତରାଜାଙ୍କ ଦ୍ୱିତୀୟ କନ୍ୟାରୂପେ ଦେଖା ଯାଉଥିଲେ-। ଶବର ତାଙ୍କୁ ଦେଖି ଆଶ୍ଚର୍ଯ୍ୟାଭିଭୂତ ହୋଇ ଭାବିଲେ ‘‘ଏ କିଏ ହୋଇ ପାରନ୍ତି-? ସେ ଯଦି ଜଣେ ମର୍ତ୍ତ୍ୟବାସିନୀ ତେବେ ସିଂହ ଉପରେ ଚଢ଼ିଛନ୍ତି କାହିଁକି ? ଅନ୍ୟ ପକ୍ଷରେ ସେ ଯଦି ସ୍ୱର୍ଗର କୌଣସି ଦେବୀ ତେବେ ମୋ’ପରି ଲୋକକୁ ଦେଖା ଯାଉଛନ୍ତି କିପରି ? ତେଣୁ ସେ ନିଶ୍ଚୟ ମୋ ଚକ୍ଷୁର ପୂର୍ବଜନ୍ମ ସୁକୃତର ମୂର୍ତ୍ତିମତୀ ରୂପ । ମୁଁ ଯଦି ମୋ ବନ୍ଧୁକୁ ଏହାଙ୍କ ସହିତ ବିବାହ କରାଇ ପାରନ୍ତି ତେବେ ମୁଁ ତାଙ୍କୁ ଅଭିନବ ଏବଂ ଆଶ୍ଚର୍ଯ୍ୟ ପ୍ରକାରର ପ୍ରତିଦାନ ଦେଇ ପାରନ୍ତି-। ତେଣୁ ମୋର ଏହାଙ୍କ ନିକଟକୁ ଯାଇଁ ପଚାରିବା ଭଲ ହେବ ।’’ ଏହା ଭାବି ମୋର ବନ୍ଧୁ ସେଇ ଶବର ତାଙ୍କ ନିକଟକୁ ଗଲେ ।

 

ଏହି ସମୟରେ ସେ ସିଂହରୁ ଓହ୍ଲାଇ, ସିଂହ ଛାୟାରେ ବିଶ୍ରାମ ନିଅନ୍ତେ, ଆଗେଇ ଆସି ହ୍ରଦରୁ ପଦ୍ମ ତୋଳିବାକୁ ଲାଗିଲେ । ଅଚିହ୍ନା ଶବରଟିଏ ସୌହାର୍ଦ୍ଦ୍ୟ ଭଙ୍ଗୀରେ ପ୍ରଣାମ କରି ତାଙ୍କ ନିକଟକୁ ଆସୁଥିବାର ଦେଖି ସେ ସ୍ୱାଗତ ଜଣାଇ ତାକୁ ଅନୁଗୃହୀତ କଲେ ଏବଂ ପଚାରିଲେ, ‘‘ତୁମେ କିଏ ? ଏ ଦୁର୍ଗମ ସ୍ଥାନକୁ କାହିଁକି ଆସିଚ ?’’ ତହୁଁ ଶବର ତାଙ୍କୁ ଉତ୍ତର ଦେଲେ, ‘‘ମୁଁ ଜଣେ ଶବର ରାଜା, ଭବାନୀଙ୍କ ପଦତଳେ ମୋର ଏକମାତ୍ର ଆଶ୍ରୟ । ହସ୍ତୀମାନଙ୍କ ମସ୍ତକରୁ ମୁକ୍ତା ସଂଗ୍ରହ କରିବା ପାଇଁ ମୁଁ ଏ ବଣକୁ ଆସିଚି । କିନ୍ତୁ ହେ ଦେବି ! ମୁଁ ତୁମକୁ ବର୍ତ୍ତମାନ ଦେଖିଲା ମାତ୍ରେ ମୋର ଜୀବନ ରକ୍ଷା କରିଥିବା ବନ୍ଧୁ ଜଣେ ବଣିକଙ୍କ ପୁତ୍ର ସୁଭଦ୍ର ବସୁଦତ୍ତ ମନେ ପଡ଼ିଲେ, କାରଣ ହେ ସୁନ୍ଦରି ! ଯୌବନ ଓ ସୌନ୍ଦର୍ଯ୍ୟରେ ସେ ତୁମ ପରି ଅତୁଳନୀୟ ଏବଂ ପୃଥିବୀ ବାସୀଙ୍କ ଚକ୍ଷୁରେ ଅମୃତର ଉତ୍ସପରି । ଯେଉଁ କୁମାରୀର ବଳୟଯୁକ୍ତକର ବନ୍ଧୁତ୍ୱ, ବଦାନ୍ୟତା, ଦୟା ଓ ଧୈର୍ଯ୍ୟର ଭଣ୍ଡାର ସେହି ଯୁବକଙ୍କ ଦ୍ୱାରା ଗୃହୀତ ହେବ ସେ ନିଶ୍ଚୟ ଭାଗ୍ୟବତୀ । ଯଦି ତୁମ ଏ ସୁନ୍ଦର ତନୁ ତାଙ୍କ ପରି ପୁରୁଷ ସହିତ ସଂଯୁକ୍ତ ନହୁଏ ତେବେ ମୁଁ ନିଶ୍ଚୟ ଦୁଃଖ କରିବି । ଯେ କାମ ତା’ର ଧନୁକୁ ବୃଥାରେ ଧାରଣ କରିଚି ।’’

 

କାମଦେବ ଉନ୍ମାଦକାରୀ ମନ୍ତ୍ରର ଶବ୍ଦପରି ଶବର ରାଜାଙ୍କର ଏହି ଉକ୍ତିରେ ସେ କୁମାରୀ ହଠାତ୍ ମୋହିତ ହୋଇଗଲେ ଏବଂ ପ୍ରେମଭାବରେ ଉଦ୍‌ବୁଦ୍ଧ ହୋଇ ସେ ସେହି ଶବରକୁ କହିଲେ, ‘‘ତୁମର ସେ ବନ୍ଧୁ କାହାନ୍ତି ? ତାକୁ ଏଠାକୁ ଆଣି ମତେ ଦେଖାଅ ।’’ ଏକଥା ଶୁଣି ସେ କହିଲେ, ‘‘ମୁଁ ଆଣିବି ।’’ ସେହି ମୁହୂର୍ତ୍ତରେ ସେ ଶବର ତାଙ୍କଠାରୁ ବିଦାୟ ନେଇ ତାଙ୍କର ମନୋରଥ ସିଦ୍ଧ ହୋଇଗଲା ବୋଲି ଧାରଣା କରି ଖୁବ୍ ଉତ୍ସାହରେ ଯାତ୍ରା କଲେ । ଗ୍ରାମରେ ପହଞ୍ଚି ସେ ଶହ ଶହ ଭାରୁଆ ବହନ କରି ପାରିବା ପରି ପରିମାଣର ମୁକ୍ତା ଓ କସ୍ତୁରୀ ନେଇ ଆମ ଘରକୁ ଆସିଲେ । ସେଠାରେ ସେ ପରିବାର ସମସ୍ତଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇ ବହୁ ସ୍ୱର୍ଣ୍ଣ ମୂଲ୍ୟର ଉପହାର ମୋ ପିତାଙ୍କୁ ଦେଲେ । ସେ ଦିନ ଓ ରାତି ଭୋଜି ଉତ୍ସବରେ କଟିଯିବା ପରେ ସେ ମୋତେ ଏକାନ୍ତରେ ସେହି କୁମାରୀ ସହିତ ତାଙ୍କର ସାକ୍ଷାତର ଆରମ୍ଭରୁ ସମସ୍ତ ଘଟଣଶ ବର୍ଣ୍ଣନା କଲେ । ମୁଁ ଖୁବ୍ ଉତ୍ସୁକ ହୋଇ ଉଠନ୍ତେ ସେ ମୋତେ କହିଲେ, ‘‘ଆସ ସେଠାକୁ ଯିବା’’ ଏବଂ ରାତିରେ ତାଙ୍କରି ନିର୍ଦ୍ଦେଶିତ ପଥରେ ମୋତେ ନେଇ ଚାଲିଗଲେ । ସକାଳୁ ପିତା ଜାଣିଲେ ଯେ ମୁଁ ଶବର ରାଜାଙ୍କ ସହ କୁଆଡ଼େ ଚାଲିଯାଇଚି କିନ୍ତୁ ମୋ ପ୍ରତି ତାଙ୍କ ସ୍ନେହରେ ପିତାଙ୍କର ପୂର୍ଣ୍ଣ ଆସ୍ଥା ଥିବାରୁ ସେ ନିଜର ଉତ୍କଣ୍ଠା ଦମନ କଲେ । ଶବରର କ୍ଷିପ୍ର ଗତିର ଅନୁସରଣ କରି ମୁଁ ଯଥା ସମୟରେ ହିମାଳୟରେ ପହଞ୍ଚିଲି ଏବଂ ପଥରେ ସେ ମୋର ଖୁବ୍ ଯତ୍ନ ନେଲେ ।

 

ଦିନେ ସନ୍ଧ୍ୟାବେଳେ ଆମେ ସେହି ହ୍ରଦ ତୀରରେ ପହଞ୍ଚି ସ୍ନାନକଲୁ ଏବଂ ସୁସ୍ୱାଦୁ ଫଳ ଖାଇ ସେଇ ଉପବନରେ ରାତିଟିଏ ରହିଲୁ । ଲତାମାନଙ୍କ ଦ୍ୱାରା ଭୂତଳରେ ପୁଷ୍ପ ବିଛାଯାଇ, ମଧୁପର ଗୁଞ୍ଜନରେ ଝଂକୃତ, ସୁଗନ୍ଧିତ ପବନରେ ପରିପୂରିତ ଏବଂ ସୁନ୍ଦର ଉଜ୍ଜ୍ୱଳ ଗୁଳ୍ମମାନଙ୍କ ଦ୍ୱାରା ପ୍ରଦୀପିତ ହୋଇ ସେହି ପାର୍ବତ୍ୟ ଉପବନ ରାତିରେ ଆମ ଦୁହିଁଙ୍କ ବିଶ୍ରାମ ପାଇଁ ରତିମନ୍ଦିର ପରି ଦେଖାଯାଉଥିଲା । ହ୍ରଦର ଜଳ ପିଇ ସେଠାରେ ରହିଲୁ । ପରଦିନ ସେହି କୁମାରୀ ଆସିଲେ ଏବଂ ପ୍ରତ୍ୟେକ ପଦରେ ମୋ ମନ ଏକ ଅଦ୍ଭୁତ ଆକର୍ଷଣର ବଶବର୍ତ୍ତୀ ହୋଇ ତାଙ୍କ ସହିତ ସାକ୍ଷାତ କରିବାକୁ ଧାଉଁଥିଲା । ସତେକି ଯେପରି ତାଙ୍କୁ ଦେଖିବାର ଆଗ୍ରହ ଯୋଗୁଁ ମୋର ଦକ୍ଷିଣ ଚକ୍ଷୁ ସ୍ପନ୍ଦିତ ହୋଇ ତାଙ୍କର ଆଗମନ ବାର୍ତ୍ତା ଘୋଷଣା କଲା । ଶାରଦୀୟ ମେଘ କୋଳରେ ଚନ୍ଦ୍ରକଳାପରି, କେଶର ମଣ୍ଡିତ ମସ୍ତକ ଏବଂ ସିଂହ ପୃଷ୍ଠରେ ବସିଥିବା ସେଇ ଶୁଭ୍ର ସମ୍ପନ୍ନା କୁମାରୀଙ୍କୁ ମୁଁ ଦେଖିଲି ଏବଂ ବିସ୍ମୟ, କାମନା ଓ ଭୟର ଉଗ୍ର ଭାବପ୍ରବଣତା ନେଇ ତାଙ୍କୁ ଚାହିଁଥିବାବେଳେ ମୋ ହୃଦୟରେ ଯେ କି ଅନୁଭୂତି ହେଲା ତାହା ମୁଁ ବର୍ଣ୍ଣନା କରି ପାରିବି ନାହିଁ । ତା’ପରେ ସେ କୁମାରୀ ସିଂହରୁ ଓହ୍ଲାଇ ପୁଷ୍ପଚୟନ କଲେ ହ୍ରଦରେ ସ୍ନାନସାରି ତୀରରେ ଥିବା ମନ୍ଦିରର ଶିବଙ୍କୁ ପୂଜା କଲେ ।

 

ପୂଜା ଶେଷରେ ମୋର ବନ୍ଧୁ ଶବର, ତାଙ୍କ ନିକଟକୁ ଯାଇ ପ୍ରଣାମ କରି ନିଜର ଆଗମନ ଜଣାଇଲେ ଏବଂ ତାଙ୍କ ଦ୍ୱାରା ସସମ୍ମାନେ ଅଭିନନ୍ଦିତ ହୋଇ କହିଲେ, ‘‘ଦେବି ! ତୁମର ବର ହେବାପାଇଁ ଉପଯୁକ୍ତ ମୁଁ ମୋର ସେହି ବନ୍ଧୁଙ୍କୁ ଆଣିଚି । ତୁମେ ଯଦି ଇଚ୍ଛାକର, ମୁଁ ତାଙ୍କୁ ଏହି ମୁହୂର୍ତ୍ତରେ ଆଣି ଦେଖାଇବି ।’’ ତାହା ଶୁଣି ସେ କହିଲେ, ‘‘ତାଙ୍କୁ ଦେଖାଅ’’ ଏବଂ ଶବର ମୋତେ ତାଙ୍କ ନିକଟକୁ ନେଇ ଦେଖାଇଲେ । ସେ ମୋତେ ପ୍ରେମସ୍ରାବୀ ଅପାଙ୍ଗରେ ଦୃଷ୍ଟିପାତ କଲେ ଏବଂ କାମ ତାଙ୍କ ହୃଦୟକୁ ଅଧିକାର କରନ୍ତେ ସେ ଶବର ଦଳପତିକୁ କହିଲେ, ‘‘ତୁମର ଏହି ବନ୍ଧୁ ମାନବ ନୁହଁନ୍ତି, ମୋତେ ଆଜି ପ୍ରତାରିତ କରିବା ପାଇଁ ନିଶ୍ଚୟ କୌଣସି ଦେବତା ଆସିଛନ୍ତି । ଜଣେ ମର୍ତ୍ତ୍ୟବାସୀର ଏତେ ସୁନ୍ଦର ରୂପ ହେବ କିପରି ?’’

 

ଏକଥା ଶୁଣି ମୁଁ ତାଙ୍କ ମନରୁ ସମସ୍ତ ସନ୍ଦେହ ଦୂର କରିବା ପାଇଁ ମୁଁ କହିଲି, ‘‘ସୁନ୍ଦରି ! ପ୍ରକୃତରେ ମୁଁ ଜଣେ ମାନବ କାରଣ ତୁମପରି ଜଣେ ସାଧ୍ୱୀ ନାରୀଙ୍କୁ ପ୍ରତାରଣା କରି ଲାଭ କ’ଣ-? ମୁଁ ହେଉଛି ବଲ୍ଲଭୀ ନିବାସୀ ମହାଧନ ନାମକ ଶ୍ରେଷ୍ଠୀଙ୍କ ପୁତ୍ର, ଶିବଙ୍କ ବରରେ ପିତା ମୋତେ ଲାଭ କରିଛନ୍ତି । ପୁତ୍ର ଅର୍ଥରେ ଚନ୍ଦ୍ରଶେଖରକୁ ସନ୍ତୁଷ୍ଟ କରିବା ପାଇଁ ତପସ୍ୟା କରୁଥିବା ବେଳେ, ଶିବ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ସ୍ୱପ୍ନରେ ଦେଖାଦେଇ କହିଲେ, ‘‘ଉଠ, ତୋର ଏକ ବିଶାଳ ହୃଦୟର ପୁତ୍ର ଜାତ ହେବ । ଏହା ଖୁବ୍ ଗୋପନୀୟ ବିଷୟ; ଏହାକୁ ପ୍ରକାଶ କରି ଲାଭ କ’ଣ ?’’ ଏହା ଶୁଣି ସେ ଉଠିଲେ ଏବଂ ଯଥା ସମୟରେ ମୁଁ ତାଙ୍କର ପୁତ୍ର ରୂପେ ଜନ୍ମ ହେଲି ଏବଂ ବାସୁଦତ୍ତ ନାମରେ ପରିଚିତ ହେଲି । ବହୁଦିନ ତଳେ ବିଦେଶ ଯାଉଥିବା ବେଳେ ମୁଁ ବିପଦବେଳେ ପ୍ରକୃତ ସାହାଯ୍ୟକାରୀ ହୋଇ ପାରିଥିବା ଏହି ଶବର ଦଳପତିଙ୍କୁ ପରୀକ୍ଷିତ ବନ୍ଧୁ ରୂପେ ପାଇଲି ଏହି ହେଉଛି ମୋ ବିଷୟରେ ସଂକ୍ଷିପ୍ତ ସତ୍ୟ କଥା ।’’

 

ମୁଁ ଏହା କହି ନିରବ ହୁଅନ୍ତେ ସେ କୁମାରୀ ଲଜ୍ଜାବନତ ବଦନରେ କହିଲା, ‘‘ଏହା ଠିକ୍ ମୁଁ ଜାଣେ, ମୁଁ ଶିବଙ୍କୁ ପୂଜା କରି ସାରିବା ପରେ ସେ ସନ୍ତୁଷ୍ଟ ହୋଇ ମୋତେ ସ୍ୱପ୍ନରେ କହିଲେ ‘କାଲି ସକାଳେ ତୁ ସ୍ୱାମୀ ଲାଭ କରିବୁ’, ତେଣୁ ଆପଣ ମୋର ସ୍ୱାମୀ ଏବଂ ଆପଣଙ୍କର ଏଇ ବନ୍ଧୁ ମୋର ଭାଇ’’ ଏହିପରି ସୁଧାମୟ ବାଣୀରେ ମୋତେ ଆହ୍ଲାଦିତ କରି ସେ ନିରବ ହେଲେ । ତାଙ୍କ ସହ କଥାବାର୍ତ୍ତା ପରେ ଯଥାରୀତି ବିବାହ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ମୋର ଗୃହକୁ ଯିବାପାଇଁ ମନସ୍ଥ କଲି । ତହୁଁ ସେ ସୁନ୍ଦରୀ ଇଙ୍ଗିତରେ ନିଜର ସିଂହକୁ ଡାକି ତା’ ଉପରେ ବସିଲେ ଏବଂ ମୋତେ କହିଲେ, ସ୍ୱାମୀ ଏହା ଉପରେ ବସନ୍ତୁ ବନ୍ଧୁଙ୍କ ଉପଦେଶ ନେଇ ମୁଁ ସେ ସିଂହ ଉପରେ ଚଢ଼ିଲି ଏବଂ ମୋର ପ୍ରିୟତମାକୁ କୋଳରେ ଧରି, ସମସ୍ତ ମନୋରଥ ସିଦ୍ଧ କରି ବନ୍ଧୁଙ୍କ ପ୍ରଦର୍ଶିତ ପଥରେ ମୋ ଗୃହକୁ ଚାଲିଲି । ବନ୍ଧୁ ନିଜ ଶର ଦ୍ୱାରା ମାରିଥିବା ମୃଗର ମାଂସରେ ଜୀବନ ଧାରଣ କରି ଆମେ ଯଥା ସମୟରେ ବଲ୍ଲଭୀ ନଗରୀରେ ପହଞ୍ଚିଲୁ । ସେଠାରେ ଲୋକମାନେ ମୋତେ ଓ ମୋର ପ୍ରିୟତମା ସିଂହ ଉପରେ ଚଢ଼ି ଆସୁଥିବାର ଦେଖି ବିସ୍ମିତ ହେଲେ ଏବଂ ଅତିଶୀଘ୍ର ଧାଇଁଯାଇ ମୋ ପିତାଙ୍କୁ କହିଲେ । ସେ ମଧ୍ୟ ଆନନ୍ଦରେ ମୋତେ ଦେଖିବାକୁ ଆସିଲେ ଏବଂ ମୋତେ ସିଂହରୁ ଓହ୍ଲାଇ ତାଙ୍କ ପାଦତଳେ ପଡ଼ିବାର ଦେଖି ବିସ୍ମୟରେ ସ୍ୱାଗତ ଜଣାଇଲେ ।

 

ଯେତେବେଳେ ପିତା ସେହି ଅନୁପମା ସୁନ୍ଦରୀକୁ ତାଙ୍କ ପଦବନ୍ଦନ କରିବାର ଦେଖିଲେ ଏବଂ ସେ ମୋର ସ୍ତ୍ରୀ ହେବାର ଉପଯୁକ୍ତ ବୋଲି ଜାଣିପାରିଲେ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ଗୃହରେ ପ୍ରବେଶ କରି ଏବଂ ସମସ୍ତ ଘଟଣା ବୁଝି ଶବର ରାଜାଙ୍କ ବନ୍ଧୁତ୍ୱକୁ ପ୍ରଶଂସା କରି ଏକ ବିରାଟ ଭୋଜି ଉତ୍ସବ କରାଇଲେ । ପରଦିନ ଜ୍ୟୋତିଷମାନଙ୍କ ଦ୍ୱାରା ସମୟ ଧାର୍ଯ୍ୟ କରି ମୁଁ ସେହି ଅପୂର୍ବ ରୂପବତୀ କୁମାରୀକୁ ବିବାହ କଲି ଏବଂ ମୋର ଜ୍ଞାତି ଓ ବନ୍ଧୁଗଣ ବିବାହ ଦେଖିବା ପାଇଁ ରୁଣ୍ଡ ହେଲେ । ସେହି ସିଂହ, ଯାହା ଉପରେ ମୋର ପତ୍ନୀ ଆରୋହଣ କରୁଥିଲେ ବିବାହ ଦେଖିସାରି ସମସ୍ତଙ୍କ ଆଖି ଆଗରେ ମନୁଷ୍ୟ ରୂପ ଧାରଣ କଲା । ସେଠାରେ ଠିଆ ହୋଇଥିବା ସମସ୍ତେ ‘‘ଏହାର ଅର୍ଥ କ’ଣ’’ ବୋଲି ଭାବି ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ସେ ସ୍ୱର୍ଗୀୟ ଆଭରଣ ଓ ଅଳଙ୍କାରମାନ ପିନ୍ଧି ମୋତେ କହିଲା, ‘‘ମୁଁ ଚିତ୍ରାଙ୍ଗଦ ନାମକ ଜଣେ ବିଦ୍ୟାଧର ଏବଂ ଏ କୁମାରୀ ହେଉଛି ମୁଁ ଜୀବନଠାରୁବଳି ସ୍ନେହ କରୁଥିବା ମୋର କନ୍ୟା ମନୋବତୀ । ମୁଁ ତାକୁ ସର୍ବଦା ମୋ କୋଳରେ ଧରି ଅରଣ୍ୟ ମଧ୍ୟରେ ବୁଲେ ଏବଂ ଦିନେ ମୁଁ ବହୁ ତପୋବନ ପରିଶୋଭିତ ଗଙ୍ଗା କୂଳରେ ଯାଇ ପହଞ୍ଚିଲି । ତପସ୍ୱୀମାନଙ୍କର ବିଘ୍ନ ହେବା ଭୟରେ ମୁଁ ନଦୀ ମଧ୍ୟରେ ଯାଉଥିବା ବେଳେ ଦୈବାତ ମୋର ମାଳା ଜଳ ମଧ୍ୟରେ ଖସି ପଡ଼ିଲା । ପାଣି ମଧ୍ୟରେ ଥିବା ନାରଦ ଋଷି ହଠାତ୍ ଉଠି ଆସିଲେ ଏବଂ ମାଳାଟି ତାଙ୍କ ପିଠି ଉପରେ ପଡ଼ିବାରୁ ସେ ରାଗିଯାଇ ମତେ ଏହିପରି ଅଭିଶାପ ଦେଲେ, ‘‘ରେ ଦୁଷ୍ଟ, ଦୂର ହୁଅ । ତୋର ଏହି ଔଦ୍ଧତ୍ୟ ଯୋଗୁଁ ତୁ ଏକ ସିଂହ ହେବୁ ଏବଂ ହିମାଳୟରେ ରହି ତୋର ଏହି କନ୍ୟାକୁ ପିଠିରେ ବସାଇ ବୁଲାଇବୁ । ଯେତେବେଳେ ତୋର କନ୍ୟା ଜଣେ ମର୍ତ୍ତ୍ୟବାସୀକୁ ବିବାହ କରିବ ସେହି ଉତ୍ସବ ଦେଖି ସାରିବା ପରେ ତୁ ଅଭିଶାପରୁ ମୁକ୍ତିଲାଭ କରିବୁ । ଋଷିଙ୍କ ଦ୍ୱାରା ଏହିପରି ଅଭିଶପ୍ତ ହୋଇ ମୁଁ ଗୋଟିଏ ସିଂହ ହେଲି ଏବଂ ଶିବଙ୍କ ପୂଜାରେ ନିଯୁକ୍ତା ମୋର ଏହି କନ୍ୟାକୁ ବହନ କରି ହିମାଳୟରେ ରହିଲି ଏବଂ ଆପଣ ଘଟଣାର କ୍ରମ ସମସ୍ତ ଜାଣନ୍ତି କିପରି ଶବର ରାଜାଙ୍କର ଚେଷ୍ଟାକ୍ରମେ ଏହି ଶୁଭକାର୍ଯ୍ୟ ସମ୍ପନ୍ନ ହେଲା । ତେଣୁ ମୁଁ ବର୍ତ୍ତମାନ ବିଦାୟ ନେଉଛି । ସମସ୍ତଙ୍କର ମଙ୍ଗଳ ହେଉ ! ମୁଁ ବର୍ତ୍ତମାନ ଅଭିଶାପରୁ ମୁକ୍ତ ହେଲି ।’’

 

ଏହିପରି କହି ସେ ବିଦ୍ୟାଧର ସଙ୍ଗେ ସଙ୍ଗେ ଆକାଶକୁ ଉଡ଼ିଚାଲିଗଲା । ତା’ପରେ ମୋର ପିତା ଏହି ଆଶ୍ଚର୍ଯ୍ୟ ଘଟଣାରେ ବିସ୍ମୟାଭିଭୂତ ହୋଇ, ସୁଯୋଗ୍ୟ ସମ୍ପର୍କ ସ୍ଥାପନରେ ଆନନ୍ଦିତ ହୋଇ ଏବଂ ତାଙ୍କର ବନ୍ଧୁ ଓ ଜ୍ଞାତିଗଣ ଆହ୍ଲାଦିତ ହେବାର ଦେଖି ଏକ ବିରାଟ ଭୋଜି କରାଇଲେ । ସେଠାରେ ଏପରି ଜଣେ ମଧ୍ୟ କେହି ନଥିଲେ ଯେ କି ଶବର ରାଜାଙ୍କ ଉଦାର ସ୍ୱଭାବ ବିଷୟରେ ବାରମ୍ବାର ଚିନ୍ତାକରି ଆଶ୍ଚର୍ଯ୍ୟ ହୋଇ କହୁ ନ ଥିଲେ । ‘‘ପ୍ରକୃତ କାମ କିଏ କଳନ କରି ପାରିପାରେ ଯେ କି ସେମାନଙ୍କର ଧର୍ମ ଭାଇକୁ ଜୀବନଦାନ କରି ମଧ୍ୟ ସେଥିରେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ ?’’ ସେ ଦେଶର ରାଜା ମଧ୍ୟ ସେ ଘଟଣା ଶୁଣି, ସେ ଶବର ରାଜାଙ୍କର ମୋ ପ୍ରତି ଦେଖାଇଥିବା ସ୍ନେହରେ ଖୁବ୍ ସନ୍ତୁଷ୍ଟ ହେଲେ । ତାକୁ ସନ୍ତୁଷ୍ଟ ହୋଇଥିବାର ଦେଖି ମୋ ପିତା ମୁକ୍ତାବଳୀ ଉପହାର ଦେଲେ ଏବଂ ସଙ୍ଗେ ସଙ୍ଗେ ସେହି ଶବର ରାଜାଙ୍କୁ ଏକ ବିରାଟ ଭୂଖଣ୍ଡ ଦେବାପାଇଁ ରାଜି କରାଇଲେ । ମନୋବତୀକୁ ପତ୍ନୀରୂପେ ଏବଂ ଶବର ରାଜାଙ୍କୁ ବନ୍ଧୁରୂପେ ପାଇବା ଦ୍ୱାରା ମନ ଯାହା ଚାହିଁପାରେ ସବୁ ମୁଁ ପାଇଛି ବୋଲି ଭାବି ମୁଁ ସେଠାରେ ଖୁବ୍ ଆନନ୍ଦରେ ରହିଲି । ସେ ଶବର ରାଜା ନିଜ ଦେଶରେ ଆଉ ପୂର୍ବ ପରି ଆନନ୍ଦ ପାଇପାରୁ ନାହାନ୍ତି ବୋଲି ଅନୁଭବ କରି ସାଧାରଣତଃ ମୋରି ଘରେ ହିଁ ଅବସ୍ଥାନ କଲେ । ସେ ଓ ମୁଁ ଦୁଇ ବନ୍ଧୁଙ୍କ ସମୟ ପରସ୍ପରର ଉପକାର କରିବାରେ କଟି ଯାଉଥିଲା; ସେତେ ଉପକାର କରି ମଧ୍ୟ ଆମେ ସନ୍ତୁଷ୍ଟ ହୋଇପାରୁ ନଥିଲୁ ।

 

ଅଳ୍ପ ଦିନ ପରେ ମନୋବତୀଙ୍କ ଠାରୁ ମୋର ଗୋଟିଏ ପୁତ୍ର ଜାତ ହେଲା । ହିରଣ୍ୟଦତ୍ତ ନାମ ଲାଭ କରି ସେ କ୍ରମେ ବଡ଼ ହେଲା ଏବଂ ଯଥାରୀତି ଶିକ୍ଷା ଲାଭ କରି ସେ ବିବାହ କଲା । ମୋର ପିତା ତାହା ଦେଖି, ବୃଦ୍ଧାବସ୍ଥା ପ୍ରାପ୍ତ ହୁଅନ୍ତେ ଜୀବନର ସମସ୍ତ ଲକ୍ଷ୍ୟ ସାର୍ଥକ ହେଲା ବୋଲି ମନେକରି ଶରୀର ତ୍ୟାଗ କରିବାପାଇଁ ନିଜ ପତ୍ନୀଙ୍କ ସହ ଗଙ୍ଗାକୁ ଗଲେ । ପିତାଙ୍କ ମୃତ୍ୟୁରେ ମୁଁ ମନସ୍ତାପ କଲି କିନ୍ତୁ ଜ୍ଞାତିମାନଙ୍କ ପ୍ରରୋଚନାରେ ମୁଁ ସେ ଦୁଃଖ ଦମନ କରି ପରିବାରର ଦାୟିତ୍ୱ ବହନ ପାଇଁ ସ୍ୱୀକାର କଲି । ସେ ସମୟରେ ଏକ ପକ୍ଷରେ ମନୋବତୀର ସୁନ୍ଦର ମୁଖ ଏବଂ ଅନ୍ୟ ପକ୍ଷରେ ଶବର ରାଜାଙ୍କ ସାହଚର୍ଯ୍ୟ ମୋତେ ଆନନ୍ଦ ଦେଉଥିଲା । ମୋର ଦିନଗୁଡ଼ିକ ଏହିପରି ମୋ ପୁତ୍ରର ଗୁଣାବଳୀରେ ଆହ୍ଲାଦିତ ହୋଇ ପତ୍ନୀର ମାଧୁର୍ଯ୍ୟରେ ମୁଗ୍ଧ ହୋଇ ଓ ବନ୍ଧୁର ସାହଚର୍ଯ୍ୟରେ ଆନନ୍ଦିତ ହୋଇ କଟିଗଲା ।

 

କାଳକ୍ରମେ ମୋର ବୟସ ହୋଇଗଲା ଏବଂ ବାର୍ଦ୍ଧକ୍ୟ ଆକର୍ଷଣ କରି ସ୍ନେହ ହେତୁ ଯେପରିକି ସାନୁରାଗ ଭର୍ତ୍ସନା କରି କହିଲା, ‘‘ବତ୍ସ, କାହିଁକି ତୁ ଆଉ ଏ ଘରେ ଏ ଦିନ ରହିଚୁ ?’’ ତହୁଁ ମୋ ହୃଦୟରେ ହଠାତ୍ ସଂସାର ପ୍ରତି ବିରାଗ ଜାତ ହେଲା । ବନକୁ ଯିବା ଇଚ୍ଛାକରି ମୁଁ ମୋ ପୁତ୍ରକୁ ମୋ ସ୍ଥାନରେ ସ୍ଥାପିତ କରାଇଲି । ମୋ ପତ୍ନୀ ଏବଂ ମୋ ପ୍ରତି ସ୍ନେହ ହେତୁ ନିଜର ରାଜ୍ୟ ତ୍ୟାଗ କରିଥିବା ଶବର ରାଜାଙ୍କ ସହିତ ମୁଁ କାଳିଞ୍ଜର ପର୍ବତକୁ ଗଲି । ସେଠାରେ ପହଞ୍ଚିବା ମାତ୍ରେ ମୁଁ ସ୍ମରଣ କଲି ଯେ ମୁଁ ପୂର୍ବଜନ୍ମରେ ବିଦ୍ୟାଧର ଥିଲି ଏବଂ ଶିବଙ୍କ ଠାରୁ ପାଇଥିବା ଅଭିଶାପ ଶେଷ ହୋଇଗଲାଣି । ମୋର ନଶ୍ୱର ଶରୀରକୁ ତ୍ୟାଗ କରିବାର ଇଚ୍ଛା କରି ମୁଁ ସଙ୍ଗେ ସଙ୍ଗେ ସେ କଥା ପତ୍ନୀ ମନୋବତୀ ଏବଂ ବନ୍ଧୁ ଶବର ରାଜାଙ୍କୁ କହିଲି । ‘‘ପରଜନ୍ମରେ ମୁଁ ଏହି ପତ୍ନୀ ଓ ବନ୍ଧୁଙ୍କୁ ପାଏ ଏବଂ ଏହି ଜନ୍ମ ବିଷୟ ସ୍ମରଣ ରଖେ’’ ଏହା କହି ହୃଦୟରେ ଶିବଙ୍କୁ ଚିନ୍ତା କଲି ଏବଂ ସେହି ପର୍ବତ କଡ଼ରୁ ଡେଇଁ ପଡ଼ି ସଙ୍ଗେ ସଙ୍ଗେ ପତ୍ନୀ ଓ ବନ୍ଧୁଙ୍କ ସହ ଦେହ ତ୍ୟାଗ କଲି । ତେଣୁ ତୁମେ ଦେଖୁଚ ଯେ ମୁଁ ବର୍ତ୍ତମାନ ବିଦ୍ୟାଧର ବଂଶରେ ପୂର୍ବଜନ୍ମକୁ ସ୍ମରଣ କରିବା ଶକ୍ତି ସହ ଜୀମୂତବାହନ ନାମରେ ଜନ୍ମଗ୍ରହଣ କରିବି । ତୁମେ ସେଇ ଶବର ରାଜା ଶିବଙ୍କ ଦୟାରୁ ସିଦ୍ଧମାନଙ୍କ ରାଜା ବିଶ୍ୱାବସୁଙ୍କ ପୁତ୍ର ମିତ୍ରାବସୁ ରୂପେ ଜନ୍ମଲାଭ କରିଚ ଏବଂ ବନ୍ଧୁ ସେଇ ବିଦ୍ୟାଧରୀ ମୋର ପତ୍ନୀ ମନୋବତୀ ମଳୟାବତୀ ନାମରେ ତୁମର ଭଗ୍ନୀ ହୋଇ ଜନ୍ମ ନେଇଛନ୍ତି-। ତେଣୁ ତୁମର ଭଗ୍ନୀ ମୋର ପୂର୍ବର ସ୍ତ୍ରୀ ଏବଂ ତୁମେ ମୋର ପୂର୍ବଜନ୍ମର ବନ୍ଧୁ ଥିଲ-। ଏହି ହେତୁ ମୋର ତାଙ୍କୁ ବିବାହ କରିବା ଖୁବ୍‍ ସଙ୍ଗତ । କିନ୍ତୁ ତୁମେ ପ୍ରଥମେ ମୋର ପିତାମାତାଙ୍କୁ ଏକଥା କୁହ, କାରଣ ସେମାନଙ୍କୁ ଏକଥା ଜଣାଇଲେ ତୁମର ଇଚ୍ଛା ସଫଳତାର ସହିତ ପୂରଣ ହୋଇ ପାରିବ ।

 

ଜୀମୂତବାହନ କଥା–ମିତ୍ରାବସୁ ଜୀମୂତବାହନଠାରୁ ଏକଥା ଶୁଣି ଖୁସି ହେଲେ ଏବଂ ଜୀମୂତବାହନର ପିତା ମାତାଙ୍କୁ ସବୁକଥା କହିଲେ । ସେମାନେ ଏ ପ୍ରସ୍ତାବକୁ ଆନନ୍ଦରେ ସ୍ୱାଗତ କରନ୍ତେ ସେ ପ୍ରୀତ ହୋଇ ଯାଇଁ ସେହିକଥା ନିଜ ପିତାମାତାଙ୍କୁ କହିଲେ । ସେମାନେ ନିଜର ଇଚ୍ଛା ପୂରଣ ହେଉଥିବାର ଦେଖି ଖୁସିହେଲେ ଏବଂ ଯୁବରାଜ ଶୀଘ୍ର ନିଜ ଭଗ୍ନୀର ବିବାହ ପାଇଁ ଆୟୋଜନ କଲେ । ତତ୍‌ପରେ ଜୀମୂତବାହନ ସିଦ୍ଧରାଜାଙ୍କ ଦ୍ୱାରା ସମ୍ମାନିତ ହୋଇ ବିଧିପୂର୍ବକ ମଳୟାବତୀର ପାଣିଗ୍ରହଣ କଲେ । ସେଠାରେ ବିରାଟ ଉତ୍ସବ ହେଲା । ସେହି ଉତ୍ସବ ସ୍ୱର୍ଗର ସଙ୍ଗୀତକାରମାନଙ୍କ ସ୍ୱରରେ ପରିପୂରିତ ହେଲା, ବହୁ ସିଦ୍ଧକ ସମାଗମ ହେଲା ଏବଂ ଆଗତ ବିଦ୍ୟାଧରମାନଙ୍କ ଦ୍ୱାରା ଜୀବନ୍ତ ହୋଇଉଠିଲା । ଜୀମୂତବାହନ ବିବାହ କରି ସେହି ମଳୟ ପର୍ବତରେ ପତ୍ନୀ ସହିତ ବିଶାଳ ସମୃଦ୍ଧି ମଧ୍ୟରେ ବାସ କଲେ । ଥରେ ସେ ଓ ଶାଳକ ମିତ୍ରାବସୁ ସହିତ ସମୁଦ୍ର ତୀରର ଏକ ଉପବନ ଦେଖିବା ପାଇଁ ଯାଇଥିଲେ । ସେଠାରେ ସେ ଜଣେ ବିଷାଦଗ୍ରସ୍ତ ଲୋକ ନିଜ ମାତାଙ୍କୁ ବିଦାୟ କରି ଆସୁଥିବାର ଦେଖିଲେ । ତାଙ୍କ ମାତା ‘‘ହାୟ ମୋ ପୁତ୍ର’’ ବୋଲି କ୍ରନ୍ଦନ କରୁଥିଲେ । ସୈନ୍ୟ ପରି ଦେଖା ଯାଉଥିବା ଆଉଜଣେ ଲୋକ ତାଙ୍କୁ ଅନୁସରଣ କରି ଖଣ୍ଡେ ବିରାଟ ପ୍ରସ୍ତରଖଣ୍ଡ ଉପରେ ଛାଡ଼ିଦେଇ ଆସିଲେ । ଜୀମୂତବାହନ ତାଙ୍କୁ ପଚାରିଲେ ‘‘ତୁମେ କିଏ ? ତୁମେ କ’ଣ କରିବାକୁ ଯାଉଚ ଏବଂ ତୁମ ମାତା କାନ୍ଦୁଛନ୍ତି କାହିଁକି ? ତେଣୁ ସେ ଲୋକ ଏହି କଥା ତାଙ୍କୁ କହିଲେ ।’’

 

ସୂର୍ଯ୍ୟଙ୍କ ଅଶ୍ୱର ରଙ୍ଗ ବିଷୟରେ ବିବାଦ–

 

ବହୁ ପୂର୍ବେ କାଶ୍ୟପଙ୍କର ଦୁଇପତ୍ନୀ କଦ୍ରୂ ଏବଂ ବୀନତା ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଉ ହେଉ ଏକ ବିବାଦ ଆରମ୍ଭ କଲେ । କଦ୍ରୂ କହିଲେ ସୂର୍ଯ୍ୟଙ୍କ ଅଶ୍ୱମାନେ କଳା କିନ୍ତୁ ବୀନତା କହିଲେ ସେମାନେ ଧଳା । ସେମାନେ ପରସ୍ପର ବାଜି ଲଗାଇଲେ ଯେ ଯାହା କଥା ଭୁଲ୍‍ ହେବ ସେ ଅନ୍ୟର ଦାସୀ ହେବ । କଦ୍ରୂ ଜିତିବା ପାଇଁ ଦୃଢ଼ ଇଚ୍ଛା କରି ସେମାନଙ୍କ ପୁତ୍ର ନାଗମାନଙ୍କୁ ପ୍ରବର୍ତ୍ତାଇ କହିଲେ ସୂର୍ଯ୍ୟର ଅଶ୍ୱମାନଙ୍କ ଉପରେ ବିଷର ଫୁତ୍କାର କରି ସେମାନଙ୍କୁ କଳା କରିଦେବାପାଇଁ; ସେହିପରି ଅବସ୍ଥାରେ ସେ ସେହି ଅଶ୍ୱମାନଙ୍କୁ ବୀନତାଙ୍କୁ ଦେଖାଇ ନିଜର କୌଶଳରେ ଜୟଲାଭ କଲେ । ତାଙ୍କୁ ନିଜର ଦାସୀ କଲେ । ନାରୀମାନେ ପରସ୍ପର ପ୍ରତି କେଡ଼େ ବିଦ୍ୱେଷୀ ବୀନତାଙ୍କ ପୁତ୍ର ଗରୁଡ଼ ଏକଥା ଶୁଣିପାରି ଆସିଲେ ଏବଂ ବୀନତାଙ୍କୁ ଦାସତ୍ୱରୁ ମୁକ୍ତ କରି ଦେବାପାଇଁ କଦ୍ରୂଙ୍କୁ ପ୍ରବର୍ତ୍ତାଇବାକୁ ଭଲରେ ବହୁ ଚେଷ୍ଟା କଲେ; ତହୁଁ କଦ୍ରୂଙ୍କ ପୁଅ ନାଗମାନେ ଡାକି ତାଙ୍କୁ କହିଲେ, ‘‘ହେ ଗରୁଡ଼, ଦେବତାମାନେ କ୍ଷୀରସାଗର ମନ୍ଥନ ଆରମ୍ଭ କଲେଣି । ସେଠାରୁ ଅମୃତ ଆମକୁ ଦିଅ ଏବଂ ପ୍ରତିବଦଳରେ ତୁମ ମାତାଙ୍କୁ ତୁମ ସାଙ୍ଗରେ ନେଇଯାଅ, କାରଣ ତୁମେ ହେଉଛ ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ।’’

 

ଗରୁଡ଼ ଏକଥା ଶୁଣି କ୍ଷୀରସମୁଦ୍ରକୁ ଗଲେ ଏବଂ ଅମୃତ ପାଇବା ପାଇଁ ମହା ପରାକ୍ରମ ପ୍ରଦର୍ଶନ କଲେ । ବିଷ୍ଣୁ ତାଙ୍କ ପରାକ୍ରମରେ ଖୁସି ହୋଇ କହିଲେ, ‘‘ମୁଁ ତୁମ ଉପରେ ଖୁସି, କୌଣସି ବର ପ୍ରାର୍ଥନା କର ।’’ ମାତାଙ୍କୁ ଦାସୀ କରାଯାଇ ଥିବାରୁ ଗରୁଡ଼ କ୍ରୋଧ ପ୍ରକାଶ କରି ବିଷ୍ଣୁଙ୍କଠାରୁ ଏହି ବର ମାଗିଲେ, ‘‘ନାଗଗଣ ମୋର ଭକ୍ଷ ହୁଅନ୍ତୁ ।’’ ବିଷ୍ଣୁ ଅଙ୍ଗୀକାର କଲେ । ଗରୁଡ଼ ନିଜର ପରାକ୍ରମ ବଳରେ ଅମୃତ ଅଧିକାର କରନ୍ତେ ଇନ୍ଦ୍ର ସମସ୍ତ ବିଷୟ ଶୁଣି ଗରୁଡ଼କୁ କହିଲେ, ‘‘ହେ ପକ୍ଷୀରାଜ, ବୁଦ୍ଧିହୀନ ନାଗଗଣ ଯେପରି ଅମୃତ ଭକ୍ଷଣ ନ କରନ୍ତି ଏବଂ ସେମାନଙ୍କଠାରୁ ମୁଁ ଯେପରି ଏହା ପୁଣି ଫେରାଇ ଆଣିପାରେ ତା’ର ଉପାୟ କରିବି ।’’ ଗରୁଡ଼ ଏହା ଶୁଣି ସେହିପରି କରିବାକୁ ରାଜିହେଲେ ଏବଂ ବିଷ୍ଣୁଙ୍କ ବରରେ ଉତ୍‌ଫୁଲ୍ଲିତ ହୋଇ ଅମୃତ ପାତ୍ରଟି ଧରି ନାଗମାନଙ୍କ ନିକଟକୁ ଗଲେ । ଗରୁଡ଼ ବର ପାଇଥିବାରୁ ନାଗମାନେ ଭୀତତ୍ରସ୍ତ ହୋଇ ପଡ଼ିଥିଲେ । ଦୂରରେ ଥାଇ ସେହି ବୁଦ୍ଧିହୀନ ନାଗମାନଙ୍କୁ ସେ କହିଲେ, ‘‘ଏଇ ଅମୃତ ଆଣିଚି; ମୋ ମାତାଙ୍କୁ ମୁକ୍ତି ଦେଇ ଏହାକୁ ନେଇଯାଅ; ଯଦି ତୁମେ ଭୟ କରୁଚ ତେବେ ମୁଁ ତୁମ ପାଇଁ ଦର୍ଭତୃଣର ଶଯ୍ୟା ଉପରେ ଏହାକୁ ରଖିଦେବି । ମୋ ମାତାଙ୍କୁ ମୁକ୍ତ କରିଦେଲେ ମୁଁ ଚାଲିଯିବି; ତା’ପରେ ତୁମେ ଅମୃତ ନିଅ ।’’ ନାଗମାନେ ରାଜି ହେଲେ ଏବଂ ସେ ନିର୍ମଳ ଦର୍ଭତୃଣର ଶଯ୍ୟା ଉପରେ ଅମୃତ ପାତ୍ର ସ୍ଥାପନ କରନ୍ତେ ସେମାନେ ତାଙ୍କ ମାତାଙ୍କୁ ଛାଡ଼ିଦେଲେ କିନ୍ତୁ ନାଗମାନେ ଯେତେବେଳେ ନିଃସନ୍ଦିଗ୍ଧ ହୋଇ ଅମୃତ ନେବା ପାଇଁ ଆସନ୍ତି ଇନ୍ଦ୍ର ସଙ୍ଗେ ସଙ୍ଗେ ତଳକୁ ଝାମ୍ପଦେଲେ ଏବଂ ନିଜ ଶକ୍ତି ବଳରେ ସେମାନଙ୍କୁ ଚକିତ କରି କୁଶତୃଣର ଶଯ୍ୟା ଉପରୁ ଅମୃତ ପାତ୍ର ନେଇ ପଳାଇଲେ । ନାଗମାନେ ହତାଶ ହୋଇ ଏବଂ କାଳେ ଟୋପାଏ ଅମୃତ ଢାଳିଯାଇଥିବ ଭାବି ସେହି ଦର୍ଭତୃଣକୁ ଚାଟିବାକୁ ଲାଗିଲେ, ଫଳରେ ସେମାନଙ୍କ ଜିଭ ଚିରି ହୋଇଗଲା ଏବଂ ସେମାନେ ବିନା କାରଣରେ ଦ୍ୱିଜିହ୍ୱ ହୋଇଗଲେ । ଅତି ଲୋଭୀମାନେ କେବଳ ଏହିପରି ଅପଦସ୍ତ ହେବାଛଡ଼ା ଆଉ କ’ଣ ପାଆନ୍ତି ? ତହୁଁ ନାଗମାନେ ଚିରଞ୍ଜୀବୀ ହେବାପାଇଁ ଅମୃତ ପାଇଲେ ନାହିଁ ଏବଂ ସେମାନଙ୍କ ଶତ୍ରୁ ଗରୁଡ଼ ବିଷ୍ଣୁଙ୍କ ବରରେ ବଳୀୟାନ୍‍ ହୋଇ ସେମାନଙ୍କ ଉପରେ ଝାମ୍ପି ସେମାନଙ୍କୁ ଖାଇବାକୁ ଲାଗିଲେ । ଏହିପରି ସେ ବାରମ୍ବାର କରିବାକୁ ଲାଗିଲେ । ଏହିପରି ସେ ଆକ୍ରମଣ କରୁଥିବାରୁ ପାତାଳର ନାଗମାନେ ଭୟରେ ଜଡ଼ ହୋଇଗଲେ, ନାଗନାରୀମାନଙ୍କର ଗର୍ଭପାତ ହେଲା ଏବଂ ସମଗ୍ର ନାଗଜାତି ପ୍ରାୟ ଧ୍ୱଂସ ପାଇବାକୁ ଲାଗିଲେ ।

 

ନାଗରାଜ ବାସୁକି ଗରୁଡ଼କୁ ପ୍ରତ୍ୟେକ ଦିନ ସେଠାକୁ ଆସୁଥିବାର ଦେଖି ଏବଂ ଗୋଟିଏ ଆକ୍ରମଣରେ ନାଗରାଜ୍ୟ ଧ୍ୱଂସ ପାଉଥିବାର ଜାଣି ମନମଧ୍ୟରେ ଚିନ୍ତା କରି ଦୁର୍ଦ୍ଦମନୀୟ ପରାକ୍ରମଶାଳୀ ଗରୁଡ଼କୁ ଏକ ଅନୁରୋଧ ଜଣାଇବାକୁ ଇଚ୍ଛା କଲେ ଏବଂ ତାଙ୍କ ସହିତ ଏହି ଚୁକ୍ତି କଲେ, ‘‘ହେ ପକ୍ଷୀରାଜ, ମୁଁ ତୁମର ଭକ୍ଷଣ ନିମନ୍ତେ ସମୁଦ୍ର ସୌକତରୁ ଉତ୍‌ଥିତ ପାହାଡ଼ ଉପରକୁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ନାଗ ପଠାଇବି । କିନ୍ତୁ ତୁମେ ନିର୍ବୋଧତାରେ ପାତାଳକୁ ପ୍ରବେଶ କରନାହିଁ କାରଣ ନାଗଜାତି ଧ୍ୱଂସ ପାଇଗଲେ ତୁମ ନିଜର ଲକ୍ଷ୍ୟ ବ୍ୟର୍ଥ ହେବ ।’’ ବାସୁକି ଏହିପରି କହନ୍ତେ ଗରୁଡ଼ ରାଜି ହେଲେ ଏବଂ ଏହିଠାରେ ବାସୁକିଙ୍କ ଦ୍ୱାରା ପ୍ରତ୍ୟେକ ଦିନ ପଠାଯାଉଥିବା ସାପ ଖାଇବାକୁ ଲାଗିଲେ; ଏହିପରି ଏଠାରେ ଅସଂଖ୍ୟ ସାପ ମୃତ୍ୟୁମୁଖରେ ପଡ଼ିଲେଣି । ଶଙ୍ଖଚୂଡ଼ ନାମରେ ମୁଁ ଜଣେ ନାଗ ଏବଂ ଆଜି ମୋର ପାଳି । ସେହି କାରଣରୁ ମୁଁ ଆଜି ନାଗରାଜାଙ୍କ ଆଦେଶରେ, ଗରୁଡ଼ଙ୍କର ଭୋଜ୍ୟ ହେବାପାଇଁ ଏବଂ ମାତାଙ୍କୁ ଶୋକାତୁରା କରାଇ ନିହତ ହେବାପାଇଁ ଏଇ ପାହାଡ଼ ଉପରକୁ ଆସିଚି ।

 

ଜୀମୂତବାହନ, ଶଙ୍ଖଚୂଡ଼ର ଏକଥା ଶୁଣି ଦୁଃଖିତ ହେଲେ ଏବଂ ମର୍ମବେଦନା ଅନୁଭବ କରି ସେ ତାକୁ କହିଲେ, ‘‘ହାୟ, ବାସୁକୀ ନିଜର ରାଜଶକ୍ତିକୁ ଭୀରୁ ପରି ବ୍ୟବହାର କରୁଛନ୍ତି ଯାହାକି ନିଜ ହାତରେ ସେ ନିଜର ପ୍ରଜାମାନଙ୍କୁ ଶତ୍ରୁର ଖାଦ୍ୟ ହେବାପାଇଁ ପଠାଇ ଦେଉଛନ୍ତି । ସେ କାହିଁକି ପ୍ରଥମେ ନିଜକୁ ଗରୁଡ଼ ପାଖରେ ସମର୍ପଣ କରୁନାହାଁନ୍ତି ? ନିଜ ଜାତିର ଧ୍ୱଂସ ନିଜେ ଦେଖିବାର ଇଚ୍ଛା ବି ନାରୀଜନୋଚିତ ! ଏବଂ କାଶ୍ୟପଙ୍କର ପୁତ୍ର ହୋଇ ଗରୁଡ଼ କେତେବଡ଼ ପାପ କରୁଛନ୍ତି ! ବଡ଼ ଲୋକମାନେ କେବଳ ନିଜ ଶରୀର ପାଇଁ କେଡ଼େବଡ଼ ଭୁଲ୍‍ କାମ ନ କରନ୍ତି ? ତେଣୁ ଆଜି ମୁଁ ମୋ ଶରୀର ଦାନକରି ଗରୁଡ଼ଙ୍କଠାରୁ ତୁମକୁ ମୁକୁଳାଇବି । ବନ୍ଧୁ, ତୁମେ ହତାଶ ହୁଅନାହିଁ ।’’

 

ଅସୀମ ଧୈର୍ଯ୍ୟବାନ ଶଙ୍ଖଚୂଡ଼ ତାଙ୍କଠାରୁ ଏକଥା ଶୁଣି କହିଲା, ‘‘ହେ ମହାମନା ଆପଣଙ୍କ ପ୍ରତି ଏହା ନହେଉ, ଆଉ ଏପରି କୁହନ୍ତୁ ନାହିଁ । ଖଣ୍ଡେ କାଚ ନିମିତ୍ତ ଏକ ମୁକ୍ତା ନଷ୍ଟ ହେବା ଅନୁଚିତ । ଏଥିପାଇଁ ମୁଁ ମୋ ଜାତିକୁ କଳୁଷିତ କରି ନିନ୍ଦାବହନ କରି ପାରିବି ନାହିଁ ।’’ ଏହିପରି କହି ସେ ନାଗୋତ୍ତମ ଶଙ୍ଖଚୂଡ଼ ଜୀମୂତବାହନଙ୍କୁ ନିବର୍ତ୍ତାଇବାକୁ ଚେଷ୍ଟା କଲା ଏବଂ ଆଉ ଏକ ମୁହୂର୍ତ୍ତରେ ଗରୁଡ଼ଙ୍କର ଆସିବା ସମୟ ହୋଇଯିବା ଭାବି ଶେଷ ସମୟରେ ସମୁଦ୍ର ତୀରରେ ଗୋକର୍ଣ୍ଣ ନାମରେ ଥିବା ଶିବ ମୂର୍ତ୍ତିକୁ ପୂଜା କରିବା ପାଇଁ ଗଲା । ସେ ଯିବାପରେ କରୁଣାର ଭଣ୍ଡାର ଜୀମୂତବାହନ ନାଗର ଜୀବନ ରକ୍ଷାପାଇଁ ଆତ୍ମୋତ୍ସର୍ଗର ସୁଯୋଗ ଆସି ପହଞ୍ଚିଛି ବୋଲି ମନେକଲେ । ତେଣୁ ସେ ଘରେ କିଛିକାମ ଭୁଲି ଆସିଚନ୍ତି ବୋଲି ଭୁଲାଇ ମିତ୍ରାବସୁକୁ ନିଜ ଘରକୁ ପଠାଇ ଦେଲେ । ସଙ୍ଗେ ସଙ୍ଗେ ତାଙ୍କ ତଳେଥିବା ଭୂମି ତଳୁ ଗରୁଡ଼ ଆସନ୍ତେ ତାଙ୍କ ଡେଣାର ପବନରେ ଥରିବାକୁ ଲାଗିଲା ଯେପରିକି ତାଙ୍କ ପରାକ୍ରମରେ ଚକିତ ହୋଇ, ଜୀମୂତବାହନ, ନାଗମାନଙ୍କ ଶତ୍ରୁ ଆସୁଚନ୍ତି ଭାବି ଦୟାପ୍ରଣୋଦିତ ହୋଇ ବଧ୍ୟ ଶିଳାଖଣ୍ଡ ଉପରକୁ ଉଠିଲେ । ମୁହୂର୍ତ୍ତକ ମଧ୍ୟରେ ଗରୁଡ଼ ତାଙ୍କ ଛାୟାରେ ଆକାଶକୁ ଅନ୍ଧକାର କରି ତଳକୁ ଖସି ଆସିଲେ ଏବଂ ସେହି ମହାମନାଙ୍କୁ ନିଜ ଥଣ୍ଟରେ ଆଘାତ କରି ଉଠାଇ ନେଇ ଚାଲିଗଲେ । ତାଙ୍କ ଦେହରୁ ରକ୍ତ ବହିଗଲା ଏବଂ ଗରୁଡ଼ଙ୍କ ଦ୍ୱାରା କ୍ଷତ ହୋଇଥିବା ଶିରରୁ ମଥାମଣି ତଳେ ଖସିପଡ଼ିଲା । ଗରୁଡ଼ ତାଙ୍କୁ ନେଇ ପର୍ବତ ଶିଖର ଦେଶରେ ବସି ଖାଇବାକୁ ଲାଗିଲେ । ସେହି ସମୟରେ ଆକାଶରୁ ପୁଷ୍ପବୃଷ୍ଟି ହେଲା ଏବଂ ଗରୁଡ଼ ତାହା ଦେଖି ଏହା କାହିଁକି ହେଲା ବୋଲି ଭାବିବାକୁ ଲାଗିଲେ ।

 

ଏହି ସମୟ ମଧ୍ୟରେ ଶଙ୍ଖଚୂଡ଼ ଗୋକର୍ଣ୍ଣଙ୍କର ପୂଜା କରି ସାରି ଆସି ଦେଖିଲା ଯେ ବଧ୍ୟଶୈଳ ଉପରେ ବିନ୍ଦୁ ବିନ୍ଦୁ ରକ୍ତ ଛିଞ୍ଚା ଯାଇଛି ଏବଂ ଭାବିଲା, ‘‘ହାୟ ନିଶ୍ଚୟ ସେହି ମହାମନା ମୋ’ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି; ଆଶ୍ଚର୍ଯ୍ୟ ଲାଗେ ଏତେ ଅଳ୍ପ ସମୟ ମଧ୍ୟରେ ଗରୁଡ଼ ତାଙ୍କୁ ନେଇ କୁଆଡ଼େ ଗଲେ । ଅତିଶୀଘ୍ର ତାଙ୍କର ଅନୁସନ୍ଧାନ କରିବି, ହୁଏତ ପାଇଯାଇ ପାରେ ।’’ ଏହା କହି ସେ ଉତ୍ତମନାଗ ରକ୍ତ ଦାଗ ଅନୁସରଣ କରି କରି ଗଲା । ଏଣେ ଗରୁଡ଼ ଜୀମୂତବାହନଙ୍କୁ ଶାନ୍ତ ଥିବାର ଦେଖି ଖାଇବା ତ୍ୟାଗ କଲେ ଏବଂ ଆଶ୍ଚର୍ଯ୍ୟ ହୋଇ ଭାବିଲେ ‘‘ଏ ନିଶ୍ଚୟ ଅନ୍ୟ କେହି, ମୋର ଯାହାକୁ ଆଣିବା କଥା ସେ ନୁହେଁ କାରଣ ମୁଁ ଖାଇଲା ବେଳେ ଏ ତ କ୍ଷୁଣ୍ଣ ହେଉନାହିଁ ବରଂ ଏହି ଦୃଢ଼ ପ୍ରତିଜ୍ଞ ଆନନ୍ଦ ଅନୁଭବ କରୁଛି ।’’ ଗରୁଡ଼ ଏହା ଭାବୁଥିବା ବେଳେ ଜୀମୂତବାହନ ସେହି ଅବସ୍ଥାରେ ଥାଇ ମଧ୍ୟ ନିଜ ଉଦ୍ଦେଶ୍ୟ ସିଦ୍ଧି ପାଇଁ କହିଲେ, ‘‘ହେ ପକ୍ଷୀରାଜ, ମୋ ଦେହରେ ମଧ୍ୟ ସେଇ ରକ୍ତ ଓ ମାଂସ ଅଛି ତେଣୁ ତୁମର କ୍ଷୁଧା ନିବାରଣ ନ ହେଉଣୁ ହଠାତ୍‍ ଖାଇବା ବନ୍ଦ କଲ କାହିଁକି ?’’ ଏକଥା ଶୁଣି ପକ୍ଷୀରାଜ ବିସ୍ମୟାଭିଭୂତ ହୋଇ କହିଲେ, ‘‘ଆର୍ଯ୍ୟ, ଆପଣ ଜଣେ ନାଗ ନୁହଁନ୍ତି । କୁହନ୍ତୁ ଆପଣ କିଏ ?’’ ‘‘ହଁ ମୁଁ ଜଣେ ନାଗ, ମତେ ଖାଅ, ଯାହା ଆରମ୍ଭ କରିଛ ତାହା ଶେଷ କର । କାରଣ ସ୍ଥିତପ୍ରଜ୍ଞ ବ୍ୟକ୍ତି ଯେଉଁ କାମ ଆରମ୍ଭ କରିଥାଏ ତାକୁ ଶେଷ ନକରି ଛାଡ଼େ ନାହିଁ’’ ଜୀମୂତବାହନ ଏହିପରି ଉତ୍ତର ଦେବାକୁ ଯାଉଚନ୍ତି ଠିକ୍‍ ଏହି ସମୟରେ ଶଙ୍ଖଚୂଡ଼ ଦୂରରୁ ପାଟି କରି କରି ଆସି ପହଞ୍ଚିଲା, ‘‘ବନ୍ଦକର ଗରୁଡ଼ ବନ୍ଦକର ! ସେ ନାଗ ନୁହଁନ୍ତି । ମୁଁ ହେଉଛି ତୁମ ପାଇଁ ଆସିଥିବା ନାଗ । ତାଙ୍କୁ ଛାଡ଼ିଦିଅ; ହାୟ ! ତୁମେ ହଠାତ୍‍ ଏପରି ଭୁଲ୍‍ କରି ବସିଲ କିପରି ?’’

 

ଏହାଶୁଣି ପକ୍ଷୀରାଜ ବିସ୍ମୟ ବିହ୍ୱଳ ହୋଇ ପଡ଼ିଲେ ଏବଂ ଜୀମୂତବାହନ କାର୍ଯ୍ୟସିଦ୍ଧି କରି ନ ପାରିବାରୁ ଦୁଃଖ କଲେ । ତା’ପରେ ଗରୁଡ଼ ପରସ୍ପର କଥାବାର୍ତ୍ତାରୁ ସେ ଭୁଲ୍‍କ୍ରମେ ବିଦ୍ୟାଧରମାନଙ୍କ ରାଜାଙ୍କୁ ଖାଇବା ଆରମ୍ଭ କରିଛନ୍ତି ଜାଣିପାରି ଖୁବ୍‍ ଦୁଃଖ କଲେ ଏବଂ ଭାବିଲେ, ‘‘ହାୟ ! ମୋର ନିଷ୍ଠୁରତା ଯୋଗୁଁ ମୁଁ ପାପ ଅର୍ଜନ କଲି । ପ୍ରକୃତରେ, ଯେଉଁମାନେ ମନ୍ଦପନ୍ଥାରେ ଗତି କରନ୍ତି ସେମାନେ ଅତି ସହଜରେ ଦୋଷ କରିବସନ୍ତି । କିନ୍ତୁ ଏହି ମହାମନା ଯେ କି ଅନ୍ୟପାଇଁ ନିଜ ଜୀବନ ଦେଇଚନ୍ତି ଏବଂ କେବଳ ମାୟାରେ ପୂରି ରହିଥିବା ଏହି ଜଗତକୁ ଘୃଣାକରି ମୋ ନିକଟକୁ ଆସିଛନ୍ତି ସେ ନିଶ୍ଚୟ ପ୍ରଶଂସା ଯୋଗ୍ୟ’’ ଏହା ଭାବି ସେ ଅଗ୍ନିରେ ପ୍ରବେଶ କରି ଦୋଷରୁ ମୁକ୍ତ ହେବାପାଇଁ ଯାଉଥିବା ବେଳେ ଜୀମୂତବାହନ ତାଙ୍କୁ କହିଲେ, ‘‘ପକ୍ଷୀରାଜ, ହତାଶ ହେଉଛ କାହିଁକି ? ତୁମେ ଯଦି ପ୍ରକୃତରେ ପାପକୁ ଭୟ କରୁଛ ତେବେ ଆଉ କେବେ ନାଗମାନଙ୍କୁ ଭକ୍ଷଣ ନ କରିବାକୁ ପ୍ରତିଜ୍ଞା କରିବା ଉଚିତ ଏବଂ ଯେତେଜଣଙ୍କୁ ପୂର୍ବରୁ ଖାଇଛ ସେଥିପାଇଁ ଅନୁତାପ କରିବା ଉଚିତ । କାରଣ ଏ କ୍ଷେତ୍ରରେ ଏହାହିଁ ଏକମାତ୍ର ପ୍ରାୟଶ୍ଚିତ୍ତ; ତୁମର ଅନ୍ୟକିଛି ଚିନ୍ତା କରିବା ବୃଥା ।’’

 

ଜୀମୂତବାହନ, ସବୁ ପ୍ରାଣୀଙ୍କଠାରେ ଦୟା ପ୍ରକାଶ କରି ଗରୁଡ଼କୁ ଏପରି କହନ୍ତେ, ସେ ସନ୍ତୋଷ ପ୍ରକାଶ କଲେ ଏବଂ ନିଜର ମନ୍ତ୍ରଦାତା ପରି ସେହି ରାଜାଙ୍କର ଉପଦେଶ ଗ୍ରହଣ କରି ତାଙ୍କର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ସଂକଳ୍ପ କଲେ; ଏବଂ ସେ ସେହି ଆହତ ଯୁବରାଜଙ୍କୁ ଏବଂ ଯେଉଁ ନାଗମାନଙ୍କର କେବଳ ଅସ୍ଥିମାନ ପଡ଼ିରହିଥିଲା ସେମାନଙ୍କୁ ଶୀଘ୍ର ଜୀବନ ଦାନ କରିବା ପାଇଁ ସ୍ୱର୍ଗରୁ ଅମୃତ ଆଣିବାପାଇଁ ଗଲେ । ଦେବୀ ଗୌରୀ, ତାଙ୍କ ପ୍ରତି ଜୀମୂତବାହନଙ୍କ ପତ୍ନୀଙ୍କର ଭକ୍ତିରେ ସନ୍ତୁଷ୍ଟା ହୋଇ ନିଜେ ଆସି ତାଙ୍କ ଉପରେ ଅମୃତ ବର୍ଷା କଲେ; ସେଥିରେ ତାଙ୍କ ଅଙ୍ଗସବୁ ଅଧିକ ସୁନ୍ଦର ହୋଇ ବଢ଼ି ଉଠିଲା ଏବଂ ସଙ୍ଗେ ସଙ୍ଗେ ଦେବତାମାନଙ୍କ ଆନନ୍ଦ ଧ୍ୱନି ଓ ବାଦ୍ୟ ଶୁଣାଗଲା । ତା’ପରେ ଗରୁଡ଼ ନିର୍ବିଘ୍ନରେ ଉପରକୁ ଉଠି ଆକାଶରୁ ସଞ୍ଜୀବନୀ ଅମୃତ ଆଣି ସମଗ୍ର ସମୁଦ୍ର ତୀରରେ ଛିଞ୍ଚିଲେ । ତଦ୍ୱାରା ସମସ୍ତ ନାଗଗଣ ସେଠାରେ ବଞ୍ଚି ଉଠିଲେ । ସେହି ଅରଣ୍ୟ ଓ ସମୁଦ୍ରତୀର ବିଭିନ୍ନ ଜାତିର ନାଗମାନଙ୍କରେ ପୂର୍ଣ୍ଣ ହୋଇଗଲା, ଜଣାଗଲା ଯେପରି ଗରୁଡ଼ଙ୍କ ପ୍ରତି ପୂର୍ବର ଭୟ ତ୍ୟାଗ କରି ଜୀମୂତବାହନଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ପାତାଳ ଚାଲି ଆସିଚି ।

 

ଏହାପରେ ଜୀମୂତବାହନଙ୍କ ଜ୍ଞାତିଗଣ, ତାଙ୍କୁ ଅକ୍ଷତ ଶରୀର ଏବଂ ଅଶେଷ ଯଶରେ ଗରୀୟାନ୍‍ ହୋଇଥିବାର ଦେଖି ଅଭିନନ୍ଦନ ଜ୍ଞାପନ କଲେ । ତାଙ୍କର ପତ୍ନୀ, ନିଜର ଜ୍ଞାତି ଓ ଜୀମୂତବାହନଙ୍କ ପିତାମାତାଙ୍କ ସହ ଆନନ୍ଦିତା ହେଲେ । ଦୁଃଖ ଯନ୍ତ୍ରଣା, ଆନନ୍ଦରେ ପରିଣତ ହେଲେ କିଏ ଖୁସି ନହେବ ? ଶଙ୍ଖଚୂଡ଼ ତାଙ୍କର ଅନୁମତି ନେଇ ରସାତଳକୁ ଗଲା, ତା’ ସହିତ ତା’ର ପ୍ରସିଦ୍ଧି ମଧ୍ୟ ତ୍ରିଭୁବନରେ ବ୍ୟାପ୍ତ ହେଲା । ହିମାଳୟ କନ୍ୟାଙ୍କର ଦୟାରୁ ମାତଙ୍ଗ ପ୍ରଭୃତି ତା’ର ସମସ୍ତ ଜାତି ଯେ କି ଗରୁଡ଼ଙ୍କର ଶତ୍ରୁଥିଲେ ସେମାନେ ଦେବସେନାଗଣଙ୍କ ସ୍ନେହର ପାତ୍ର ସେହି ଗରୁଡ଼ଙ୍କ ନିକଟକୁ ଆସିଲେ ଏବଂ ତା’ପରେ ନମ୍ର ଭାବରେ ବିଦ୍ୟାଧର ଜାତିର ଗୌରବ ଜୀମୂତବାହନଙ୍କ ନିକଟକୁ ଯାଇଁ ତାଙ୍କ ପାଦତଳେ ପ୍ରଣାମ କଲେ । ସେମାନଙ୍କ ଦ୍ୱାରା ସମ୍ମାନିତ ହୋଇ ମଙ୍ଗଳକାମୀ ଜୀମୂତବାହନ ମଳୟ ପର୍ବତରୁ ନିଜର ଗୃହ ହିମାଳୟର ପାଦଦେଶକୁ ଗମନ କଲେ । ତା’ପରେ ସେହି ଦୃଢ଼ ପ୍ରତିଜ୍ଞ ବ୍ୟକ୍ତି ମଳୟାବତୀ, ମିତ୍ରାବସୁ ଓ ନିଜ ପିତାମାତାଙ୍କ ସହ ବହୁଦିନ ବିଦ୍ୟାଧର ସାମ୍ରାଜ୍ୟ ଉପଭୋଗ କଲେ । ଯେଉଁ ମାନଙ୍କର କାର୍ଯ୍ୟାବଳୀ ତ୍ରିଭୁବନର ପ୍ରଶଂସା ଲାଭକରେ ସୌଭାଗ୍ୟ ନିଜେ ନିଜେ ସେମାନଙ୍କୁ ଅନୁସରଣ କରେ ।

Image

 

ନଳ ଓ ଦମୟନ୍ତୀ କଥା

 

ପୂର୍ବକାଳରେ ନଳ ନାମରେ ଜଣେ ରାଜା ଥିଲେ । ଯାହାଙ୍କ ରୂପ କାମଦେବଙ୍କଠାରୁ ଏତେ ବଳିଗଲା ଯେ ମନେହୁଏ କାମଦେବ, ଯେପରି ବୈରାଗ୍ୟରେ ଶିବଙ୍କ ଚକ୍ଷୁନିର୍ଗତ କ୍ରୋଧାନଳରେ ନିଜ ଶରୀରକୁ ବିସର୍ଜନ ଦେଲେ । ସେ ରାଜାଙ୍କର ପତ୍ନୀ ନଥିଲେ, ସେ ଅନୁସନ୍ଧାନ କରନ୍ତେ ଶୁଣିଲେ ବିଦର୍ଭରାଜା ଭୀମଙ୍କ କନ୍ୟା ଦମୟନ୍ତୀ ତାଙ୍କର ଉପଯୁକ୍ତ ପତ୍ନୀ ହୋଇ ପାରିବେ, ଏବଂ ଭୀମ ପୃଥିବୀଯାକ ଖୋଜି ଖୋଜି ଜାଣିପାରିଲେ ଯେ ତାଙ୍କ କନ୍ୟାକୁ ବିବାହ କରିବାପାଇଁ ନଳ ଛଡ଼ା ଆଉ କୌଣସି ରାଜା ଉପଯୁକ୍ତ ନୁହଁନ୍ତି । ଏହି ସମୟରେ ଦମୟନ୍ତୀ ନିଜ ନଗରରେ ଥିବା ପୁଷ୍କରିଣୀ ମଧ୍ୟରେ ଜଳକେଳୀ ନିମିତ୍ତ ପ୍ରବେଶ କଲେ । ସେଠାରେ ସେ କଳା ଧଳା ଏବଂ ନୀଳପଦ୍ମ ଆହାର କରୁଥିବା ଏକ ହଂସ ଦେଖିଲେ ଏବଂ କୌଶଳ କ୍ରମେ ନିଜର ବସ୍ତ୍ର ଫିଙ୍ଗି ସେ ତାକୁ ଲୀଳାରେ ବନ୍ଦୀ କଲେ । ସେହି ସ୍ୱର୍ଗୀୟ ହଂସ ଧରାପଡ଼ି ତାଙ୍କର ବୁଝିପାରିଲାପରି ଉଚ୍ଚାରଣ କରି କହିଲା, ‘‘ରାଜଜେମା, ମତେ ଛାଡ଼ିଦିଅ, ମୁଁ ତୁମର ଉତ୍ତମ ପ୍ରତିଦାନ ଦେବି । ନଳ ନାମରେ ଜଣେ ରାଜା ଅଛନ୍ତି ଯାହାକୁ କି ସ୍ୱର୍ଗର ଅପ୍‍ସରାମାନେ ମଧ୍ୟ ଗୁଣର ସୂତ୍ରରେ ଗ୍ରଥିତ ହାର ପରି ହୃଦୟରେ ଧାରଣ କରିଛନ୍ତି । ତୁମେ ତାଙ୍କର ପତ୍ନୀ ହେବା ଉପଯୁକ୍ତ ଏବଂ ସେ ତୁମର ସ୍ୱାମୀ ହେବାର ଯୋଗ୍ୟ । ତେଣୁ ଯୋଗ୍ୟକୁ ଯୋଗ୍ୟ ସହିତ ମିଳାଇବାପାଇଁ ମୁଁ ପ୍ରେମର ଦୂତ ହେବି ।’’ ଏ କଥା ଶୁଣି ସେ ଭାବିଲେ ଯେ ଏହି ସ୍ୱର୍ଗୀୟ ହଂସଟି ଚାରୁଭାଷୀ ଏବଂ ତାକୁ ଛାଡ଼ିଦେଇ କହିଲେ, ‘‘ତାହା ହେଉ’’ ସେ କହିଲେ, ‘‘ନଳ ଛଡ଼ା ମୁଁ ଆଉ କାହାକୁ ସ୍ୱାମୀରୂପେ ବରଣ କରିବିନାହିଁ’’ କର୍ଣ୍ଣପଥରେ ପ୍ରବେଶ କରିଥିବା ସେହି ରାଜପୁତ୍ରଙ୍କ ନାମ ତାଙ୍କ ହୃଦୟକୁ ବନ୍ଦୀ କରିଥିଲା ।

 

ସେଠାରୁ ବିଦାୟ ନେଇ ହଂସ, ନଳ ଜଳକ୍ରୀଡ଼ା କରିବା ଇଚ୍ଛାରେ ଆସିଥିବା ପୁଷ୍କରିଣୀକୁ ଗଲା । ସେହି ସୁନ୍ଦର ହଂସଟିକୁ ଦେଖି ନଳ ଆଗ୍ରହରେ ନିଜ ବସ୍ତ୍ର ଫିଙ୍ଗି କ୍ରୀଡ଼ାରେ ତାକୁ ବନ୍ଦୀ କଲେ । ତେଣୁ ହଂସ କହିଲା, ‘‘ରାଜା, ମତେ ଛାଡ଼ିଦିଅନ୍ତୁ, ମୁଁ ଆପଣଙ୍କର ମଙ୍ଗଳପାଇଁ ଆସିଚି । ଶୁଣନ୍ତୁ ମୁଁ କହୁଚି, ବିଦର୍ଭରେ ରାଜା ଭୀମଙ୍କ କନ୍ୟା, ଦେବ ବାଞ୍ଛିତା, ପୃଥିବୀର ତିଳୋତ୍ତମା ଦମୟନ୍ତୀ ଅଛନ୍ତି । ସେ ମୋ’ଠାରୁ ଆପଣଙ୍କ ଗୁଣାବଳୀ ବିଷୟରେ ବର୍ଣ୍ଣନା ଶୁଣି ଆପଣଙ୍କୁ ତାଙ୍କର ଭାବି ସ୍ୱାମୀ ରୂପେ ବରଣ କରିଛନ୍ତି; ସେ କଥା ମୁଁ ଆପଣଙ୍କୁ କହିବାକୁ ଆସିଚି-।’’ ସେହି ମହତ୍ ହଂସର ଚମତ୍କାର ବିଷୟ ବର୍ଣ୍ଣିତ ବାକ୍ୟମାନଙ୍କର ସମୁଜ୍ୱଳତାରେ ଏବଂ ପୁଷ୍ପଧନୁ ତୀକ୍ଷ୍‌ଣ ଶରମାନଙ୍କରେ ନଳ ବଦ୍ଧ ହେଲେ । ଏବଂ ସେ ହଂସକୁ କହିଲେ, ‘‘ହେ ପକ୍ଷୀଶ୍ରେଷ୍ଠ-! ମୋର ମନୋବାଞ୍ଛା ସିଦ୍ଧିର ମୂର୍ତ୍ତିମାନ ପ୍ରତୀକ ରୂପେ ମୁଁ ଯେ ତାଙ୍କ ଦ୍ୱାରା ମନୋନୀତ ହୋଇଛି ସେଥିପାଇଁ ମୁଁ ଭାଗ୍ୟବନ୍ତ’’ ହଂସକୁ ସେ ଏହି କଥା ଶୁଣି ଛାଡ଼ି ଦିଅନ୍ତେ ସେ ଯାଇ ଦମୟନ୍ତୀଙ୍କୁ ଯାହା ଘଟିଥିଲା ସମସ୍ତ ବର୍ଣ୍ଣନା କଲା ଏବଂ ତା’ପରେ ନିଜର ଗନ୍ତବ୍ୟ ସ୍ଥଳକୁ ଚାଲିଗଲା-

 

ନଳଙ୍କ ପ୍ରତି ଦମୟନ୍ତୀଙ୍କର କାମନା ଜାଗ୍ରତ ହେଲା । ତେଣୁ ତାଙ୍କ ପାଇବାର ଏକ କୌଶଳ ସ୍ୱରୂପା ସେ ମାତାଙ୍କ ଦ୍ୱାରା ପିତାଙ୍କ ନିକଟକୁ ସ୍ୱୟମ୍ବର ଉତ୍ସବ କରାଇବାପାଇଁ କହି ପଠାଇଲେ । ତାଙ୍କ ପିତା ଭୀମ ଏଥିରେ ସମ୍ମତ ହୋଇ ପୃଥିବୀର ସମସ୍ତ ରାଜାଙ୍କ ପାଖକୁ ଦୂତ ପଠାଇ ସେମାନଙ୍କୁ ସ୍ୱୟମ୍ବରସଭାକୁ ନିମନ୍ତ୍ରଣ କଲେ । ଏହି ଡାକରା ପାଇ ସବୁ ରାଜା ବିଦର୍ଭ ଯାତ୍ରା କଲେ । ନଳ ମଧ୍ୟ ରଥାରୋହଣ କରି ଯାତ୍ରା କଲେ । ଏହି ସମୟରେ ଇନ୍ଦ୍ର ଏବଂ ଅନ୍ୟ ଲୋକପାଳମାନେ ନାରଦ ମହର୍ଷିଙ୍କଠାରୁ ଦମୟନ୍ତୀଙ୍କର ସ୍ୱୟମ୍ବର ଓ ନଳଙ୍କ ପ୍ରତି ତାଙ୍କର ପ୍ରେମ ବିଷୟ ଶୁଣିଲେ । ସେମାନଙ୍କ ମଧ୍ୟରୁ ଇନ୍ଦ୍ର, ବାୟୁ, ଅଗ୍ନି, ଯମ ଏବଂ ବରୁଣ ଦମୟନ୍ତୀଙ୍କୁ ପାଇବାକୁ ଇଚ୍ଛାକରି ନିଜମଧ୍ୟରେ ଆଲୋଚନା କରି ନଳଙ୍କ ନିକଟକୁ ଗଲେ ଏବଂ ସେମାନେ ନଳଙ୍କୁ ସେଠାକୁ ଯାଉଥିବାର ଦେଖିଲେ । ନଳ ସେମାନଙ୍କୁ ପ୍ରଣାମ କରନ୍ତେ ସେମାନେ ତାଙ୍କୁ କହିଲେ, ‘‘ନଳ ଯାଅ ଦମୟନ୍ତୀଙ୍କୁ ଆମ ପକ୍ଷରୁ କୁହ, ଆମ ପାଞ୍ଚଜଣଙ୍କ ମଧ୍ୟରୁ ଜଣକୁ ବରଣ କରୁ । ନଳ, ଯେ କି ଜଣେ ମର୍ତ୍ତ୍ୟବାସୀ ତାକୁ ବରଣକରି ଲାଭ କ’ଣ ? ମର୍ତ୍ତ୍ୟବାସୀଙ୍କର ମୃତ୍ୟୁ ହେବ କିନ୍ତୁ ଦେବତାମାନେ ନଶ୍ୱର । ଆମର ଦୟାରୁ ତୁମେ ଅନ୍ୟମାନଙ୍କୁ ଅଦୃଶ୍ୟ ହୋଇ ସେ ଥିବା ସ୍ଥାନରେ ପ୍ରବେଶ କରିପାରିବ ।’’ ନଳ କହିଲେ, ‘‘ଆଚ୍ଛା ହେଉ’’ ଏବଂ ଦେବତାମାନଙ୍କ ବାର୍ତ୍ତା ଯେପରି ଥିଲା ସେହିପରି ଯାଇ କହିବାକୁ ସମ୍ମତ ହେଲେ । କିନ୍ତୁ ସେ ଗୁଣବତୀ ନାରୀ ଏକଥା ଶୁଣି କହିଲେ, ‘‘ଦେବତାମାନେ ଏପରି ହେଲେ ମଧ୍ୟ ନଳ ମୋର ସ୍ୱାମୀ ହେବେ । ଦେବତାମାନଙ୍କୁ ମୁଁ ଚାହେଁ ନାହିଁ ।’’ ନଳ ତାଙ୍କର ଏହି ମହତ ମନୋଭାବର ପ୍ରକାଶ ଶୁଣି ଏବଂ ନିଜେ ଚିହ୍ନାଦେଇ ଚାଲିଗଲେ ଏବଂ ଇନ୍ଦ୍ର ଓ ଅନ୍ୟାନ୍ୟମାନଙ୍କଠାରୁ ଯେପରି ଶୁଣିଥିଲେ ଠିକ୍‍ ସେହିପରି ଯାଇ କହିଲେ । ସେମାନେ ସନ୍ତୁଷ୍ଟ ହୋଇ ତାଙ୍କୁ ଏକ ବର ପ୍ରଦାନ କରି କହିଲେ ‘‘ହେ ସତ୍ୟବାଦୀ ଏହି ସମୟଠାରୁ ଆମ୍ଭେମାନେ ତୁମର ଭୃତ୍ୟ ହେଲୁ ଏବଂ ତୁମେ ଚିନ୍ତା କରିବାମାତ୍ରେ ଆମେ ଆସି ତୁମ ନିକଟରେ ଉପସ୍ଥିତ ହେବୁ ।’’

 

ନଳ ଆନନ୍ଦିତ ହୋଇ ବିଦର୍ଭକୁ ଗଲେ । ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ ଦମୟନ୍ତୀଙ୍କୁ ବିଭ୍ରାନ୍ତ କରିବାପାଇଁ ସମସ୍ତେ ନଳରୂପ ଧାରଣ କଲେ । ସେମାନେ ମର୍ତ୍ତ୍ୟବାସୀ ରୂପେ ଭୀମଙ୍କ ଦରବାରକୁ ଗଲେ ଏବଂ ସ୍ୱୟମ୍ବର ଆରମ୍ଭ ହୁଅନ୍ତେ ନଳଙ୍କ ନିକଟରେ ବସିଲେ । ଦମୟନ୍ତୀ ତାଙ୍କର ଭାଇଙ୍କ ଦ୍ୱାରା ଘୋଷିତ ହେଉଥିବା ବିଭିନ୍ନ ରାଜାଙ୍କୁ ତ୍ୟାଗକରି କ୍ରମେ ନଳଙ୍କ ନିକଟରେ ପହଞ୍ଚିଲେ । ସେ ଯେତେବେଳେ ଛାୟା ଏବଂ ପକ୍ଷ୍ମପାତ ବିଶିଷ୍ଟ ଛ’ଜଣ ନଳଙ୍କୁ ଦେଖିଲେ ତାଙ୍କ ଭ୍ରାତା ସ୍ତମ୍ଭୀତ ହୋଇଗଲେ ଏବଂ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଭାବିଲେ, ‘‘ଏହି ପୃଥିବୀ ପାଳଗଣ ନିଶ୍ଚୟ ମୋତେ ଭ୍ରାନ୍ତ କରିବାପାଇଁ ଏହି ମାୟା କରିଛନ୍ତି କିନ୍ତୁ ମୁଁ ଭାବୁଚି ଷଷ୍ଠଜଣଙ୍କ ନଳ । ତେଣୁ ମୁଁ ଅନ୍ୟ କେଉଁଆଡ଼େ ଯାଇ ନପାରେ, ସେ ଗୁଣବତୀ ଏହା ଚିନ୍ତାକରି କେବଳ ନଳଙ୍କ ଉପରେ ଚିତ୍ତ ସ୍ଥିର ରଖି ସୂର୍ଯ୍ୟଙ୍କ ଆଡ଼େ ଚାହିଁ ଠିଆହୋଇ କହିଲେ, ‘‘ହେ ପୃଥିବୀ ପାଳଗଣ, ସ୍ୱପ୍ନରେ ସୁଦ୍ଧା ମୁଁ ନଳଙ୍କ ଛଡ଼ା ଆଉ କାହାକୁ ହୃଦୟରେ ସ୍ଥାନ ଦେଇ ନାହିଁ, ମୋର ଏଇ ଏକାନ୍ତ ଅନୁରକ୍ତି ଥିବା ସ୍ଥଳେ ଆପଣମାନେ ନିଜରସ୍ୱରୂପ ପ୍ରକାଶ କରନ୍ତୁ । ଜଣେ କୁମାରୀ ଯେଉଁ ପୁରୁଷକୁ ନିଜର ପ୍ରିୟ ବୋଲି ପୂର୍ବରୁ ସ୍ଥିର କରିଛି ତା’ଛଡ଼ା ଅନ୍ୟ ସମସ୍ତେ ତା’ରି ପକ୍ଷରେ ଅବିତ ଏବଂ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେ ଅନ୍ୟ ଜଣଙ୍କ ପତ୍ନୀ । ତେଣୁ ଆପଣମାନଙ୍କର ଏପରି ମାୟା ଆସିଲା କାହିଁକି-?’’ ଇନ୍ଦ୍ରଙ୍କୁ ଅଦ୍ୟକରି ପାଞ୍ଚଜଣଯାକ ଏହି କଥା ଶୁଣି ସେମାନଙ୍କ ନିଜ ରୂପମାନ ପ୍ରକାଶ କଲେ ଏବଂ ଷଷ୍ଠଜଣକ, ପ୍ରକୃତ ନଳ ନିଜର ପ୍ରକୃତ ରୂପରେ ରହିଲେ । ରାଜକୁମାରୀ ଆନନ୍ଦିତା ହୋଇ ପ୍ରଫୁଲ୍ଲିତ ନୀଳକମଳ ପରି ସୁନ୍ଦର ଚକ୍ଷୁକୁ ସେଇ ରାଜାଙ୍କ ଉପରେ ନିବଦ୍ଧ କରି ବରଣମାଳା ଲମ୍ବାଇ ଦେଲେ । ସ୍ୱର୍ଗରୁ ପୁଷ୍ପବୃଷ୍ଟି ହେଲା । ରାଜା ଭୀମ ତାଙ୍କ ସହିତ ନଳଙ୍କ ବିବାହ ଉତ୍ସବ ସମ୍ପନ୍ନ କରାଇଲେ, ଏବଂ ରାଜାମାନେ ଓ ଇନ୍ଦ୍ରାଦି ଦେବଗଣ ବିଦର୍ଭ ରାଜାଙ୍କ ଦ୍ୱାରା ଯଥାରୀତି ସମ୍ମାନିତ ହୋଇ ଯେଉଁ ଦିଗରୁ ଆସିଥିଲେ ସେ ଦିଗକୁ ଫେରିଗଲେ ।

 

ଇନ୍ଦ୍ର ଏବଂ ତାଙ୍କ ବନ୍ଧୁଗଣ ବାଟରେ କଳି ଏବଂ ଦ୍ୱାପରକୁ ଦେଖିଲେ ଏବଂ ସେ ଦୁହେଁ ଦମୟନ୍ତୀଙ୍କ ସ୍ୱୟମ୍ବର ନିମନ୍ତେ ଯାଉଥିବାର ଶୁଣି ସେମାନେ ତାଙ୍କୁ କହିଲେ, ‘‘ଆଉ ବିଦର୍ଭକୁ ଯିବା ଦରକାର ନାହିଁ, ଆମେ ସେଠାରୁ ଆସିଲୁ, ସ୍ୱୟମ୍ବର ସରିଗଲାଣି, ଦମୟନ୍ତୀ ନଳ ରାଜାଙ୍କୁ ବରଣ କଲେ ।’’ ଦୁଷ୍ଟ କଳି ଓ ଦ୍ୱାପର ଏକଥା ଶୁଣି କହିଲେ, ‘‘ଆପଣଙ୍କ ପରି ଦେବତାମାନଙ୍କୁ ବରଣ ନକରି ସେ ଜଣେ ମର୍ତ୍ତ୍ୟବାସୀକୁ ବରଣ କରିଥିବାରୁ ଆମେ ନିଶ୍ଚୟ ସେ ଦୁହିଁଙ୍କର ବିଚ୍ଛେଦ ଘଟାଇବୁ ।’’ ଏହିପରି ପ୍ରତିଜ୍ଞାକରି ସେମାନେ ସେହିଠାରୁ ବିଦାୟ ନେଲେ ।

 

ନଳ ସାତଦିନ ପର୍ଯ୍ୟନ୍ତ ଶ୍ୱଶୁର ଗୃହରେ ଅବସ୍ଥାନ କରି ନିଜପତ୍ନୀ ଦମୟନ୍ତୀଙ୍କୁ ସଙ୍ଗରେ ନେଇ ବିଜୟୀ ହୋଇ ନିଷାଦକୁ ଫେରିଲେ । ସେଠାରେ ସେମାନଙ୍କ ପ୍ରେମ ଶିବ ଓ ପାର୍ବତୀଙ୍କୁ ମଧ୍ୟ ବଳିଗଲା । ପାର୍ବତୀ ପ୍ରକୃତରେ ଶିବଙ୍କର ଅର୍ଦ୍ଧେକ ଥିଲେ କିନ୍ତୁ ଦମୟନ୍ତୀ ନଳଙ୍କ ଆତ୍ମାସମ । ଯଥା ସମୟରେ ଦମୟନ୍ତୀ, ଇନ୍ଦ୍ରସେନ ନାମରେ ଏକ ପୁତ୍ର ଓ ଇନ୍ଦ୍ରସେନା ନାମରେ ଏକ ଦୁହିତା ପ୍ରସବ କଲେ । ଏହି ସମୟରେ ନିଜ ପ୍ରତିଜ୍ଞା ପୂରଣ ପାଇଁ ସଂକଳ୍ପବଦ୍ଧ ଥିବା କଳି, ଶାସ୍ତ୍ର ଅନୁଯାୟୀ ଚଳୁଥିବା ନଳଙ୍କ ବିରୁଦ୍ଧରେ ଏକ ସୁଯୋଗ ଖୋଜୁଥିଲା । ଦିନେ ନଳ ମଦ୍ୟପାନ ହେତୁ ଜ୍ଞାନ ହରାଇ ନିଜର ପାଦ ଧୌତ ନକରି ଓ ସନ୍ଧ୍ୟା ପ୍ରାର୍ଥନା ନକରି ଶଯ୍ୟା ଗ୍ରହଣ କଲେ । ରାତି ଓ ଦିନ ଏହି ସୁଯୋଗକୁ ଅପେକ୍ଷା କରି ରହିଥିବା କଳି ନଳଙ୍କ ଶରୀର ମଧ୍ୟରେ ପ୍ରବେଶ କଲା । କଳି ନଳରାଜାଙ୍କ ଦେହରେ ପ୍ରବେଶ କରନ୍ତେ ସେ ନୀତିକର୍ମମାନ ଛାଡ଼ି ସ୍ୱେଚ୍ଛାଚାରୀ ହେଲେ । ରାଜା ପଶା ଖେଳିଲେ ଓ ଦାସୀମାନଙ୍କୁ ପ୍ରେମ କଲେ, ଅସତ୍ୟ କଥା କହିଲେ, ଦିନରେ ନିଦ୍ରା ଗଲେ, ରାତିରେ ଉଜାଗର ରହିଲେ, କୌଣସି କାରଣ ନଥାଇ କ୍ରୋଧ ପ୍ରକାଶ କଲେ, ଅନ୍ୟାୟରେ ଧନ ଗ୍ରହଣ କଲେ, ଭଲକୁ ଘୃଣା କଲେ ଏବଂ ମନ୍ଦକୁ ସମ୍ମାନ ଦେଲେ ।

 

ପୁନଶ୍ଚ ଦ୍ୱାପର ଏକ ସୁଯୋଗ ଲାଭକରି ଭ୍ରାତା ପୁଷ୍କର ମଧ୍ୟରେ ପ୍ରବେଶ କଲା ଏବଂ ତାଙ୍କୁ ସତ୍‌ପଥରୁ ବିଚ୍ୟୁତ କରାଇଲା । ଦିନେ ନଳ ତାଙ୍କର ଭ୍ରାତା ପୁଷ୍କର ଗୃହରେ ଦାନ୍ତ ନାମରେ ଗୋଟିଏ ସୁନ୍ଦର ଧବଳ ବୃଷଭ ଦେଖିଲେ । ସେ ଏହି ବୃଷଭଟିକୁ ଇଚ୍ଛାକରି ମାଗିଲେ ମଧ୍ୟ, ଦ୍ୱାପର ପୁଷ୍କରଙ୍କ ହୃଦୟରୁ ଜ୍ୟେଷ୍ଠଭ୍ରାତା ପ୍ରତି ସମ୍ମାନ କାଢ଼ି ନେଇଥିବାରୁ ସେ ବୃଷଭକୁ ଦେଲେ ନାହିଁ । ସେ ତାଙ୍କୁ କହିଲେ, ‘‘ଆପଣ ଯଦି ଏ ବୃଷଭକୁ ଚାହାଁନ୍ତି ମୋତେ ବର୍ତ୍ତମାନ ଖେଳରେ ଜିଣି ଏହାକୁ ନିଅନ୍ତୁ ।’’ ନଳ ଏହି ଆହ୍ୱାନ ଶୁଣିବାମାତ୍ରେ ମନ୍ଦବୁଦ୍ଧିରେ ତାହା ଗ୍ରହଣ କଲେ ଏବଂ ଦୁଇଭାଇ ପରସ୍ପର ବିରୁଦ୍ଧରେ ଖେଳିବାକୁ ଲାଗିଲେ । ପୁଷ୍କର ସେହି ବୃଷଭଟିକୁ ବାଜି ରଖିଲେ ଏବଂ ନଳ ହସ୍ତୀ ଏବଂ ଅନ୍ୟ କେତେକ ପଦାର୍ଥ ବାଜି ରଖିଲେ କିନ୍ତୁ ପୁଷ୍କର ସର୍ବଦା ଜିଣିଲେ ଏବଂ ନଳ ବାମ୍ବାର ହାରିବାକୁ ଲାଗିଲେ ଦୁଇ ତିନିଦିନ ମଧ୍ୟରେ ନଳ ନିଜର ସମସ୍ତ ସମ୍ପଦ ଏପରିକି ସୈନ୍ୟବାହିନୀ ମଧ୍ୟ ସବୁ ହରାଇଲେ କିନ୍ତୁ ସେ ଦ୍ୟୁତ କ୍ରୀଡ଼ାରୁ ନିବୃତ୍ତ ହେବାପାଇଁ ଯେତେ ଅନୁରୋଧ କରାଗଲେ ମଧ୍ୟ ଶୁଣିଲେ ନାହିଁ କାରଣ ସେ କଳି ଦ୍ୱାରା ବିଭ୍ରାନ୍ତ ହୋଇଥିଲେ । ରାଜ୍ୟ ଚାଲିଯିବ ବୋଲି ଭାବି ଦମୟନ୍ତୀ ତାଙ୍କ ସନ୍ତାନମାନଙ୍କୁ ଗୋଟିଏ ସୁନ୍ଦର ରଥରେ ବସାଇ ତାଙ୍କ ପିତାଙ୍କ ଗୃହକୁ ପଠାଇଦେଲେ । ଏହି ସମୟ ମଧ୍ୟରେ ନଳ ତାଙ୍କର ସମସ୍ତ ରାଜ୍ୟ ହରାଇଲେ । ତହୁଁ କପଟୀ ପୁଷ୍କର କହିଲେ, ‘‘ସବୁତ ହରାଇ ସାରିଲେଣି ବର୍ତ୍ତମାନ ସେ ବୃଷଭ ପାଇଁ ଦମୟନ୍ତୀଙ୍କୁ ଖେଳରେ ବାଜି ରଖନ୍ତୁ ।’’ ପୁଷ୍କରଙ୍କର ଏହି ଛଳ କଥା ଏକ ପ୍ରଚଣ୍ଡ ବିସ୍ଫୋରଣ ପରି ନଳଙ୍କୁ ଅଗ୍ନି ପରି ଆରକ୍ତ କରିଦେଲା କିନ୍ତୁ ସେ କୌଣସି ଅପ୍ରିୟ କଥା କହିଲେ ନାହିଁ କିମ୍ବା ନିଜ ପତ୍ନୀଙ୍କୁ ବାଜି ଲଗାଇଲେ ନାହିଁ । ତହୁଁ ପୁଷ୍କର ତାଙ୍କୁ କହିଲେ, ‘‘ଯଦି ଆପଣ ପତ୍ନୀକୁ ବାଜି ନ ଲଗାଇବେ ତେବେ ତାଙ୍କ ସହ ମୋର ଏ ରାଜ୍ୟରୁ ବାହାରି ଯାଆନ୍ତୁ’’ ନଳ ଏକଥା ଶୁଣି ଦମୟନ୍ତୀଙ୍କ ସହିତ ରାଜ୍ୟ ତ୍ୟାଗ କଲେ ଏବଂ ରାଜକର୍ମଚାରୀଗଣ ସୀମାନ୍ତ ପର୍ଯ୍ୟନ୍ତ ତାଙ୍କର ଅନୁସରଣ କଲେ । ହାୟ, କଳି ଯେତେବେଳେ ନଳଙ୍କୁ ଏପରି ଅବସ୍ଥା କଲା ତେବେ ତାଙ୍କ ତୁଳନାରେ କୀଟ ପ୍ରାୟ ଅନ୍ୟ ଜୀବମାନଙ୍କର ଭାଗ୍ୟ କ’ଣ ନହେବ ? କଳି ଓ ଦ୍ୱାପରଙ୍କ ଜୀବିକା ଏହି ଦ୍ୟୁତକ୍ରୀଡ଼ାକୁ ଧିକ, ଯେଉଁଥିରେ ନୀତି ନାହିଁ, ସ୍ନେହ ସମ୍ପର୍କ ନାହିଁ ଯେଉଁଥିରେ ରାଜର୍ଷିମାନଙ୍କର ମଧ୍ୟ ଏ ଦୁର୍ଦ୍ଦଶା ହୁଏ !

 

ନଳ ଭ୍ରାତାଙ୍କ ଦ୍ୱାରା ରାଜତ୍ୱ ଅପହୃତ ହୋଇ ଦମୟନ୍ତୀଙ୍କ ସହିତ ଅନ୍ୟଏକ ରାଜ୍ୟକୁ ଚାଲିଲେ ଏବଂ ଯାଉ ଯାଉ କ୍ଷୁଧାରେ କ୍ଳାନ୍ତ ହୋଇ ସେ ଏକ ଅରଣ୍ୟ ମଝିରେ ପହଞ୍ଚିଲେ । ସେଠାରେ ନଦୀ କୂଳରେ ଦର୍ଭଘାସ ଦ୍ୱାରା ବିଦ୍ଧ କୋମଳ ଚରଣ ନିଜର ପତ୍ନୀଙ୍କ ସହିତ ବିଶ୍ରାମ ନେଉଥିବା ବେଳେ ଦୁଇଟି ହଂସ ସେଠାରେ ଆସି ପହଞ୍ଚିବାର ଦେଖିଲେ । ସେ ଖାଦ୍ୟ ନିମିତ୍ତ ସେମାନଙ୍କୁ ଧରିବା ପାଇଁ ନିଜ ଉତ୍ତରୀୟ ପକାନ୍ତେ ହଂସ ଦ୍ୱୟ ସେଇଟିକୁ ନେଇ ଉଡ଼ି ପଳାଇଲେ । ନଳ ସ୍ୱର୍ଗରୁ ଏକ ବାଣୀ ଶୁଣିଲେ, ‘‘ଏମାନେ ହେଉଛନ୍ତି ହଂସ ରୂପରେ ସେଇ ଦୁଇଟି ପଶା କାଠି । ସେମାନେ ଓହ୍ଲାଇ ତୁମ ବସ୍ତ୍ରଟି ମଧ୍ୟ ନେଇ ଚାଲିଗଲେ ।’’

 

ରାଜା ନିରାଶ ହୋଇ ଖଣ୍ଡେ ମାତ୍ର ବସ୍ତ୍ର ପରିଧାନ କରି ବସି ପଡ଼ିଲେ ଏବଂ ଦୂରଦର୍ଶୀ ପରି ସେ ଦମୟନ୍ତୀଙ୍କୁ ତାଙ୍କ ପିତାଙ୍କ ଗୃହକୁ ଯିବାକୁ ବାଟ ଦେଖାଇ ଦେଇ କହିଲେ, ‘‘ପ୍ରିୟେ, ଇଏ ହେଉଛି ବିଦର୍ଭକୁ, ତୁମ ପିତାଙ୍କ ଗୃହକୁ ଯିବାକୁ ପଥ । ଇଏ ହେଉଛି ଅଙ୍ଗମାନଙ୍କ ରାଜ୍ୟକୁ ଯିବାର ପଥ ଏବଂ ଇଏ ହେଉଛି କୋଶଳକୁ ଯିବାର ପଥ ।’’ ଦମୟନ୍ତୀ ଏକଥା ଶୁଣି ଭୟ ପାଇ ଚିନ୍ତା କଲେ, ‘‘ଆର୍ଯ୍ୟପୁତ୍ର ! ମୋତେ ପଥ କାହିଁକି ଦେଖାଉଛନ୍ତି, ଯେପରିକି ଆପଣ ମୋତେ ତ୍ୟାଗ କରିବା ପାଇଁ ଇଚ୍ଛା କରୁଛନ୍ତି ।’’ ତା’ପରେ ସେ ଦୁହେଁ ଫଳମୂଳ ଆହାର କରି ରାତ୍ରୀ ହୁଅନ୍ତେ ଉଭୟ କ୍ଳାନ୍ତ ହୋଇ ବନରେ କୁଶଶଯ୍ୟା ଉପରେ ଶୋଇପଡ଼ିଲେ । ଦମୟନ୍ତୀ ଯାତ୍ରାଜନିତ ଅବସାଦ ହେତୁ କ୍ରମେ ନିଦ୍ରାଗଲେ କିନ୍ତୁ ନଳ କଳିଦ୍ୱାରା ମାୟାଗ୍ରସ୍ତ ହୋଇ ଚାଲିଯିବା ପାଇଁ ଇଚ୍ଛାକରି ଚାହିଁ ରହିଲେ । ତେଣୁ ସେ ଖଣ୍ଡିଏ ବସ୍ତ୍ରରେ ଉଠିପଡ଼ି ଏବଂ ଦମୟନ୍ତୀଙ୍କ ଉତ୍ତରୀୟରୁ ଅଧେ କାଟି ଓ ପରିଧାନ କରି ତାଙ୍କୁ ସେଠାରେ ଛାଡ଼ିଦେଇ ଚାଲିଗଲେ । ଦମୟନ୍ତୀ ପ୍ରଭାତରେ ନିଦ୍ରାତ୍ୟାଗ କଲେ ଏବଂ ତାଙ୍କୁ ଛାଡ଼ି ଚାଲି ଯାଇଥିବା ସ୍ୱାମୀଙ୍କୁ ବନରେ ନଦେଖି ସେ କିଛି ସମୟ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ, ତା’ପରେ ବିଳାପ କରି କହିଲେ, ‘‘ହାୟ ମୋ ସ୍ୱାମୀ, ବିଶାଳ ହୃଦୟ, ଶତ୍ରୁପ୍ରତି ମଧ୍ୟ ଦୟାଶୀଳ, ଆପଣ ମୋତେ ଏତେ ପ୍ରେମ କରୁଥିଲେ, କ’ଣ ପାଇଁ ମୋ ପ୍ରତି ଏତେ ନିଷ୍ଠୁର ହେଲେ ? ଏ ଅରଣ୍ୟ ମଧ୍ୟରେ ଆପଣ ଏକାକୀ କିପରି ଯାଇପାରିବେ, ଆପଣଙ୍କ କ୍ଳାନ୍ତି ଦୂର କରିବାପାଇଁ କିଏ ଆପଣଙ୍କ ସେବା କରିବ ? ଯେଉଁ ପଦ ରାଜାମାନେ ଶିରରେ ପିନ୍ଧିଥିବା ଫୁଲମାଳାର ରେଣୁଦ୍ୱାରା ରଞ୍ଜିତ ଥାଏ ତାହା କିପରି ବୁଲି ବୁଲି ଧୂଳିରେ ଧୂସରିତ ହୋଇଯିବ ? ଆପଣଙ୍କର ଯେଉଁ ଅଙ୍ଗ ପୀତ ଚନ୍ଦନ ପଙ୍କର ପ୍ରଲେପ ମଧ୍ୟ ସହ୍ୟ କରିପାରେ ନାହିଁ ତାହା କିପରି ମଧ୍ୟାହ୍ନ ସୂର୍ଯ୍ୟର ରଶ୍ମୀ ସହ୍ୟ କରିବ ? ମୋ ଶିଶୁ ପୁତ୍ରରେ ମୋର କ’ଣ ଦରକାର ? କନ୍ୟାରେ କି ଦରକାର ? ନିଜ ପାଇଁ ମୋର ଚିନ୍ତା କ’ଣ ? ମୁଁ ଯଦି ସତୀ ତେବେ ଦେବତାମାନେ କେବଳ ଆପଣଙ୍କର ମଙ୍ଗଳ ବିଧାନ କରନ୍ତୁ ।’’

 

ଦମୟନ୍ତୀ ଏହିପରି ଏକାକୀନୀ ବିଳାପ କରି ସ୍ୱାମୀଙ୍କଦ୍ୱାରା ପୂର୍ବରୁ ପ୍ରଦର୍ଶିତ ପଥରେ ଯିବାକୁ ଲାଗିଲେ । ବହୁ କଷ୍ଟରେ ସେ ଉପବନ, ଅରଣ୍ୟ, ନଦୀ ଓ ପର୍ବତ ପାରିହୋଇଗଲେ ଏବଂ କୌଣସିଠାରେ ହେଲେ ସେ ନିଜ ପତିଭକ୍ତିରୁ ବିଚ୍ୟୁତ ହୋଇ ନଥିଲେ । ସତୀତ୍ୱର ମହତ୍ତ୍ୱ ତାଙ୍କୁ ପଥ ମଧ୍ୟରେ ରକ୍ଷା କଲା । ଏପରିକି ଜଣେ ବ୍ୟାଧ ତାଙ୍କୁ ସାପ କବଳରୁ ମୁକୁଳାଇ ପ୍ରେମ ନିବେଦନ କରନ୍ତେ ଭସ୍ମରେ ପରିଣତ ହେଲା । ତା’ପରେ ସେ ପଥରେ ଯାଉଥିବା ଦଳେ ବଣିକଙ୍କ ସହ ମିଳିତ ହେଲେ ଏବଂ ସେମାନଙ୍କ ସଙ୍ଗରେ ଯାଇ ସେ ସୁବାହୁ ନାମକ ଏକ ରାଜାଙ୍କ ନଗରରେ ପହଞ୍ଚିଲେ । ସେଠାର ରାଜକନ୍ୟା ନିଜ ପ୍ରାସାଦ ଉପରୁ ତାଙ୍କୁ ଦେଖିବାପାଇଁ ଓ ତାଙ୍କ ରୂପରେ ଖୁସି ହୋଇ ତାଙ୍କୁ ଅଣାଇଲେ ଏବଂ ନିଜ ମାତାଙ୍କୁ ଉପହାର ଦେଲେ । ସେହି ଦିନଠାରୁ ସେ ରାଣୀଙ୍କ ସହଚରୀ ରୂପେ ତାଙ୍କ ଦ୍ୱାରା ସମ୍ମାନିତା ହୋଇ ସେଠାରେ ରହିଲେ । ପ୍ରଶ୍ନ କରାଗଲେ ସେ କେବଳ ଉତ୍ତର ଦେଉଥିଲେ, ‘‘ମୋ ସ୍ୱାମୀ ମୋତେ ପରିତ୍ୟାଗ କରିଛନ୍ତି ।’’

 

ଏହି ସମୟରେ ଦମୟନ୍ତୀଙ୍କ ପିତା ଭୀମ, ନଳଙ୍କ ଦୁର୍ଦ୍ଦଶାର ଖବର ଶୁଣି ରାଜଦମ୍ପତିଙ୍କୁ ଖୋଜିବା ପାଇଁ ଚାରିଆଡ଼େ ବିଶ୍ୱାସୀ ଲୋକମାନଙ୍କୁ ପଠାଇଲେ । ସେମାନଙ୍କ ମଧ୍ୟରୁ ସୁବେଣୁ ନାମକ ତାଙ୍କର ଜଣେ ମନ୍ତ୍ରୀ ବ୍ରାହ୍ମଣର ଛଦ୍ମ ବେଶରେ ବୁଲୁବୁଲୁ ସୁବାହୁଙ୍କ ପ୍ରାସାଦ ପାଖରେ ପହଞ୍ଚିଲେ । ସେଠାରେ ସେ ଅତିଥିମାନଙ୍କୁ ପରୀକ୍ଷା କରୁଥିବା ଦମୟନ୍ତୀଙ୍କୁ ଦେଖିଲେ ଏବଂ ଦମୟନ୍ତୀ ମଧ୍ୟ ତାଙ୍କ ପିତାଙ୍କ ମନ୍ତ୍ରୀଙ୍କୁ ଦେଖି ଖୁବ୍‍ ଦୁଃଖ କଲେ । ପରସ୍ପରକୁ ଚିହ୍ନିପାରି ସେମାନେ ଏତେ ଜୋରରେ କ୍ରନ୍ଦନ କଲେ ଯେ ସୁବାହୁଙ୍କର ରାଣୀ ତାହା ଶୁଣି ପାରିଲେ । ରାଣୀ ସେମାନଙ୍କୁ ଡକାଇ ସତ୍ୟ ବୃତ୍ତାନ୍ତ ପଚାରି ବୁଝି ପାରିଲେ ଯେ ସେହି ନାରୀ ଦମୟନ୍ତୀ ହେଉଛନ୍ତି ତାଙ୍କ ଭଗ୍ନୀର କନ୍ୟା । ସେ ନିଜ ସ୍ୱାମୀଙ୍କୁ ଏ କଥା ଜଣାଇଲେ ଏବଂ ତାଙ୍କୁ ସମସ୍ତ ପ୍ରକାର ସମ୍ମାନ ଦେଖାଇ ସୁବେଣୁ ଏବଂ ସୈନ୍ୟଦଳ ସହିତ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଲେ । ସେଠାରେ ଦମୟନ୍ତୀ ତାଙ୍କର ଦୁଇ ସନ୍ତାନ ସହିତ ମିଳିତ ହେଲେ ଏବଂ ପିତାଙ୍କ ନିର୍ଦ୍ଦେଶକ୍ରମେ ସ୍ୱାମୀଙ୍କ ଖବର ବିଷୟରେ ଅନୁସନ୍ଧାନ କରିବାକୁ ଲାଗିଲେ । ତାଙ୍କ ପିତା ପାଚକ ଏବଂ ରଥଚାଳନା ବିଦ୍ୟାରେ ଅଲୌକିକ ପାରଦର୍ଶିତା ଥିବା ତାଙ୍କ ସ୍ୱାମୀଙ୍କ ସନ୍ଧାନ ନେବାପାଇଁ ଗୁପ୍ତଚର ମାନ ପଠାଇବାରେ ଲାଗିଲେ । ରାଜା ଭୀମ ଗୁପ୍ତଚର ଗଣଙ୍କୁ ଏହି କଥା କହିବା ପାଇଁ ଆଦେଶ ଦେଲେ, ‘‘ହେ ଚନ୍ଦ୍ର, ଶ୍ୱେତ କମଳ ଗୁଚ୍ଛପରି ପ୍ରିୟ ତୁମର ଯୁବତୀ ପତ୍ନୀଙ୍କୁ ଶୋଇବା ବେଳେ ଅରଣ୍ୟରେ ତ୍ୟାଗକରି ତାଙ୍କର ବସ୍ତ୍ରାଞ୍ଚଳ ଖଣ୍ଡେ ନେଇ ତୁମେ ନିଷ୍ଠୁର ପରି କେଉଁଠି ଲୁଚିଛ ?’’ ଯେଉଁଠାରେ ନଳ ଥିବାର ସନ୍ଦେହ ହେବ ସେଠାରେ ଏହିପରି ଆବୃତ୍ତି କରିବା ପାଇଁ ସେ ସେମାନଙ୍କୁ କହିଲେ ।

 

ଇତ୍ୟବସରରେ ରାଜା ନଳ ଅର୍ଦ୍ଧ ବସ୍ତ୍ରାବୃତ୍ତ ହୋଇ ରାତିରେ ସେ ଅରଣ୍ୟରେ ବହୁ ବାଟ ଯାଇ ଶେଷରେ ଏକ ବନାଗ୍ନି ଦେଖିଲେ । ଜଣେ କେହି ଚିତ୍କାର କରୁଥିବାର ଶୁଣିଲେ, ‘‘ହେ ମହାମନା, ମତେ ଏହି ଅଗ୍ନି ନିକଟରୁ ନେଇ ଯାଆନ୍ତୁ ଯେପରି ମୁଁ ଅସହାୟ ହୋଇଥିବା ହେତୁ ଏଥିରେ ଜଳି ନଯାଏ । ନଳ ଏକଥା ଶୁଣି ଚାରିଆଡ଼କୁ ଚାହିଁଲେ ଏବଂ ଅଗ୍ନି ନିକଟରେ ଗୁଡ଼େଇ ହୋଇ ରହିଥିବା ଏକ ସାପ ଦେଖିଲେ । ତା’ର ଶିର ଉପରେ ଥିବା ରତ୍ନର ରଶ୍ମି ସର୍ପର ଚାରିପଟେ ପଡ଼ୁଥିଲା । ଯେପରିକି ବନାଗ୍ନି ଭୟଙ୍କର ଜ୍ୱଳନ୍ତ ଅସ୍ତ୍ର ହସ୍ତରେ ଗ୍ରହଣକରି ତା’ର ଶିରକୁ ଧରିଚି । ସେ ଏହା ନିକଟକୁ ଗଲେ ଏବଂ ଦୟାପୂର୍ବକ ତାକୁ କାନ୍ଧରେ ଧରି ଅନେକ ବାଟ ବହନ କଲେ ଏବଂ ଯେତେବେଳେ ସେ ତାକୁ ତଳେ ଥୋଇବାକୁ ବସିଲେ ସର୍ପ ତାଙ୍କୁ କହିଲା, ‘‘ଗଣି ଗଣି ମୋତେ ଆଉ ଦଶପାଦ ନେଇ ଯାଆନ୍ତୁ ।’’ ନଳ ପାଦ ଗଣି ଗଣି ଆଗେଇଲେ, ‘‘ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛ, ସାତ, ଆଠ, ନ, ଦଶ’’ ଏବଂ ସେ ଦଶ କହିବା ମାତ୍ରେ ସର୍ପ ତାଙ୍କ କଥିତ ଶବ୍ଦ ଅନୁଯାୟୀ ତାଙ୍କ କପାଳର ଅଗ୍ରଭାଗକୁ ଦଂଶନ କଲା ଏବଂ ସେ ଚିତ୍ ହୋଇ ପଡ଼ିଗଲେ । ତା’ ଫଳରେ ରାଜାଙ୍କ ବାହୁ କ୍ଷୁଦ୍ର ହୋଇଗଲା, ସେ କଦାକାର ଏବଂ କୃଷ୍ଣକାୟ ହୋଇଗଲେ ।’’ ତହୁଁ ରାଜା କାନ୍ଧରୁ ସର୍ପଟିକୁ ବାହାର କରି ତାକୁ ପଚାରିଲେ, ‘‘ତୁମେ କିଏ ଏବଂ ମୁଁ ତୁମକୁ ଯେଉଁ ଦୟା ଦେଖାଇଲି ତୁମେ କ’ଣ ଏହିପରି ପ୍ରତିଦାନ ଦେଲ ?’’ ନଳଙ୍କର ଏହିକଥା ଶୁଣି ସର୍ପ ଉତ୍ତର ଦେଲା, ‘‘ରାଜା, ମୁଁ କର୍କୋଟକ ନାମରେ ଏକ ନାଗରାଜା ଏବଂ ମୁଁ ଆପଣଙ୍କୁ ଆପଣଙ୍କ ଭଲପାଇଁ ଦଂଶନ କରିଛି । ତାହା ଆପଣ ଜାଣି ପାରିବେ । ପ୍ରସିଦ୍ଧ ବ୍ୟକ୍ତିମାନେ ଛଦ୍ମ ବେଶରେ ରହିବାକୁ ଇଚ୍ଛାକଲେ ନିଜର କଦାକାର ଅଙ୍ଗ ତାଙ୍କ ଲକ୍ଷ୍ୟକୁ ସାର୍ଥକ କରେ । ମୋ’ଠାରୁ ଏହି ବସ୍ତ୍ର ହଳକ ଗ୍ରହଣ କରନ୍ତୁ, ଏହାର ନାମ ‘ଅଗ୍ନିଧୌତ’ ଏହାକୁ କେବଳ ପିନ୍ଧିଦେଲେ ଆପଣଙ୍କ ନିଜର ରୂପ ପାଇଯିବେ । କର୍କୋଟକ ଏହା କହି ଏବଂ ସେ ବସ୍ତ୍ର ଦେଇ ବିଦାୟ ନିଅନ୍ତେ ନଳ ସେ ଅରଣ୍ୟ ତ୍ୟାଗ କଲେ ଏବଂ ଯଥା ସମୟରେ କୋଶଳ ନଗରରେ ଉପସ୍ଥିତ ହେଲେ ।

 

ହ୍ରସ୍ୱବାହୁ ନାମ ଧାରଣ କରି ସେ କୋଶଳ ରାଜା ଋତୁପର୍ଣ୍ଣଙ୍କ ପରିବାରରେ ପାଚକ ରୂପେ ନିଯୁକ୍ତ ହେଲେ । ସେ ଅତ୍ୟନ୍ତ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବାରେ ଏବଂ ରଥଚାଳନା କୌଶଳରେ ପ୍ରସିଦ୍ଧି ଲାଭ କଲେ । ନଳ ସେହିଠାରେ ହ୍ରସ୍ୱବାହୁ ନାମରେ ଥିବା ସମୟରେ ବିଦର୍ଭ ରାଜାଙ୍କ ନିକଟରୁ ଏକ ଚର ସେଠାରେ ଆସି ପହଞ୍ଚିଲା । ସେହି ଚର ସେଠାରେ ଲୋକ କହୁଥିବାର ଶୁଣିଲା, ‘‘ଏଠାରେ ହ୍ରସ୍ୱବାହୁ ନାମରେ ଜଣେ ନୂଆ ପାଚକ ଅଛନ୍ତି ଯେ କି ନିଜର ବିଶିଷ୍ଟ କଳା ସହ ରଥଚାଳନା କଳାରେ ମଧ୍ୟ ନଳଙ୍କ ସହ ସମାନ ।’’ ଚର ସନ୍ଦେହ କଲା ଯେ ପାଚକ ନିଜେ ନଳ ଏବଂ ସେ ରାଜାଙ୍କ ବିଚାର ଗୃହରେ ଥିବା ଶୁଣି ସେଠାକୁ ଯାଇ ଏହି ଆର୍ଯ୍ୟାଶ୍ଳୋକ ଆବୃତ୍ତି କଲା, ‘‘ହେ ଚନ୍ଦ୍ର, ଶ୍ୱେତ କମଳ ଗୁଚ୍ଛପରି ପ୍ରିୟ ତୁମର ଯୁବତୀ ପତ୍ନୀକୁ ଶୋଇଥିବା ବେଳେ ଅରଣ୍ୟରେ ତ୍ୟାଗ କରି ତାଙ୍କର ବସ୍ତ୍ରାଞ୍ଚଳ ଖଣ୍ଡେ ନେଇ ତୁମେ ନିଷ୍ଠୁର ପରି କେଉଁଠି ଲୁଚିଛ ?’’ ବିଚାର ଗୃହରେ ଉପସ୍ଥିତ ଥିବା ଲୋକେ ଏହି କଥା ଶୁଣି ତାକୁ ଜଣେ ପାଗଳର କଥା ବୋଲି ମନେକଲେ କିନ୍ତୁ ପାଚକର ଛଦ୍ମବେଶରେ ସେଠାରେ ଠିଆ ହୋଇଥିବା ନଳ ତାକୁ ଉତ୍ତର ଦେଲେ, ‘‘ଚନ୍ଦ୍ର ଯଦି ଆକାଶର ଏକ ଅଂଶ ଶୂନ୍ୟ ହୁଅନ୍ତେ ଅନ୍ୟ ଅଂଶକୁ ପ୍ରବେଶ କଲେ ତେବେ ପଦ୍ମଗୁଚ୍ଛକୁ ଅଦୃଶ୍ୟ ହେବାରେ ତାଙ୍କର ନିଷ୍ଠୁରତା ରହିଲା କେଉଁଠି ?’’ ଚର ଏ କଥା ଶୁଣି ସ୍ଥିରକଲା ଯେ ସେହି ପାଚକ ନିଶ୍ଚୟ ନଳ । ଦୁର୍ଭାଗ୍ୟରୁ ଏପରି ପରିବର୍ତ୍ତିତ ହୋଇଛନ୍ତି ଏବଂ ସେ ସେଠାରୁ ବିଦାୟ ନେଇ ବିଦର୍ଭରେ ପହଞ୍ଚିଲା । ରାଜା ଭୀମ, ତାଙ୍କ ରାଣୀ ଏବଂ ଦମୟନ୍ତୀଙ୍କୁ ସେ ଯାହା ଦେଖିଥିଲା ଓ ଶୁଣିଥିଲା ସବୁ କହିଲା ।

 

ତା’ପରେ ଦମୟନ୍ତୀ ନିଜେ ତାଙ୍କ ପିତାଙ୍କୁ କହିଲେ ‘‘ପାଚକ ବେଶରେ ଥିବା ସେହି ବ୍ୟକ୍ତି ଯେ ମୋର ସ୍ୱାମୀ ଏଥିରେ ସନ୍ଦେହ ନାହିଁ । ତେଣୁ ତାଙ୍କୁ ଏଠାକୁ ଆଣିବାକୁ ଏହି କୌତୁକ ପୂର୍ଣ୍ଣ କୌଶଳ ଅବଲମ୍ବନ କରାଯାଉ । ରାଜା ଋତୁପର୍ଣ୍ଣଙ୍କ ନିକଟକୁ ଏକ ବାର୍ତ୍ତାବହ ପଠାଯାଉ ଏବଂ ସେ ପହଞ୍ଚିବା ସଙ୍ଗେ ସଙ୍ଗେ ସେ ରାଜାଙ୍କୁ କହିବେ, ନଳ କୁଆଡ଼େ ଚାଲି ଯାଇଛନ୍ତି, ତାଙ୍କର କୌଣସି ଖବର ମିଳୁନାହିଁ । ତେଣୁ କାଲି ସକାଳେ ଦମୟନ୍ତୀ ପୁଣି ସ୍ୱୟମ୍ବର କରାଇବେ । ତେଣୁ ଆଜି ଅତିଶୀଘ୍ର ବିଦର୍ଭକୁ ଯାତ୍ରା କରନ୍ତୁ’ ରାଜା ଏକଥା ଶୁଣିବା ମାତ୍ରେ ସେ ନିଶ୍ଚୟ ଦିନକ ମଧ୍ୟରେ ରଥ ଚାଳନାରେ ସୁଦକ୍ଷ ମୋ ସ୍ୱାମୀଙ୍କ ସହିତ ଏଠାକୁ ଆସିବେ’’ ପିତାଙ୍କ ସହିତ ଏହିପରି ଆଲୋଚନା କରି ଦମୟନ୍ତୀ ସେହି ମୁହୂର୍ତ୍ତରେ କୋଶଳ ରାଜ୍ୟକୁ ଠିକ୍‍ ସେହି ବାର୍ତ୍ତାସହ ଏକ ବାର୍ତ୍ତାବହ ପଠାଇଲେ । ତାକୁ ଯେପରି କୁହାଯାଇଥିଲା ସେ ଠିକ୍‍ ସେହିପରି ଯାଇଁ ଋତୁପର୍ଣ୍ଣଙ୍କୁ କହିଲା ଏବଂ ରାଜା ଏହା ଶୁଣି ଖୁବ୍ ଉତ୍‌ଫୁଲ୍ଲିତ ହୋଇ ତାଙ୍କର ଅନୁଚର ପାଚକର ଛଦ୍ମବେଶରେ ଥିବା ନଳଙ୍କୁ ଖୁବ୍‍ ସ୍ନେହରେ କହିଲେ, ‘‘ହ୍ରସ୍ୱବାହୁ, ତୁମେ କହୁଥିଲ ମୁଁ ରଥ ଚାଳନା କୌଶଳ ଜାଣେ’ ତେଣୁ ତୁମର ଯଦି ଯଥେଷ୍ଟ ଶକ୍ତି ଅଛି ତେବେ ମତେ ଆଜି ବିଦର୍ଭକୁ ନେଇଯାଅ ।’’ ନଳ ଏକଥା ଶୁଣି କହିଲେ, ‘‘ଉତ୍ତମ ! ମୁଁ ଆପଣଙ୍କୁ ସେଠାକୁ ନେଇଯିବି’’ ଏବଂ ତା’ପରେ ଦ୍ରୁତଗାମୀ ଅଶ୍ୱମାନ ଯୋଖି ଗୋଟିଏ ଚମତ୍କାର ରଥ ପ୍ରସ୍ତୁତ କଲେ । ସେ ଭାବିଲେ, ‘‘ଦମୟନ୍ତୀ ମୋତେ ପାଇବା ପାଇଁ ଏହି ସ୍ୱୟମ୍ବର କଥା ପ୍ରଚାର କରାଇଛନ୍ତି ଅନ୍ୟଥା ମୁଁ ଜାଣେ ସେ ସ୍ୱପ୍ନରେ ସୁଦ୍ଧା ଏପରି କାର୍ଯ୍ୟ କରି ପାରିବେ ନାହିଁ । ତେଣୁ ମୁଁ ସେଠାକୁ ଯାଇ କ’ଣ ହେଉଛି ଦେଖିବି’’ ଏହିପରି ଭାବି ସେ ରଥ ସଜ କରି ଋତୁପର୍ଣ୍ଣଙ୍କ ନିକଟକୁ ଆଣିଲେ । ରାଜା ସେଥିରେ ଚଢ଼ିବାମାତ୍ରେ ନଳ ସେହି ରଥକୁ ଗରୁଡ଼ଠାରୁ ଆହୁରି ଦ୍ରୁତତର ଗତିରେ ରଥ ଚଳାଇବାକୁ ଲାଗିଲେ । ସେ ସମୟରେ ଋତୁପର୍ଣ୍ଣ ନିଜର ଉତ୍ତରୀୟଟି ଖସାଇ ପକାଇ ତାହା ପୁଣି ଆଣିବା ପାଇଁ ରଥ ରଖାଇବାକୁ ଇଚ୍ଛାକଲେ କିନ୍ତୁ ନଳ ତାଙ୍କୁ କହିଲେ, ‘‘ରାଜା ଆପଣଙ୍କ ସେହି ଉତ୍ତରୀୟ କାହିଁ ? ଏଇ ମୁହୂର୍ତ୍ତରେ ରଥ ତାକୁ କେତେ ଯୋଜନ ପଛରେ ଛାଡ଼ିଦେଇ ଆସିଲାଣି ।’’ ଋତୁପର୍ଣ୍ଣ ଏକଥା ଶୁଣି କହିଲେ, ‘‘ଆଚ୍ଛା, ମୋତେ ଏହି ରଥଚାଳନା କୌଶଳ ବତାଇ ଦିଅ ଏବଂ ମୁଁ ତୁମକୁ ମୋର ପଶାଖେଳର କୌଶଳ ବତାଇ ଦେବି ଯେପରିକି ପଶା ଗୋଟି ତୁମର ଆଦେଶ ପାଳନ କରିବ ଏବଂ ସଂଖ୍ୟା ଗଣନା ବିଷୟରେ ତୁମେ କୌଶଳ ହାସଲ କରି ପାରିବ । ଦେଖ, ମୋ କଥାର ସତ୍ୟତା ବିଷୟରେ ଏ ପ୍ରମାଣ ତୁମକୁ ଦେଉଚି । ଆମ ଆଗରେ ଏଇ ବୃକ୍ଷଟି ଦେଖୁଚ, ମୁଁ ଏହାର ପତ୍ର ଓ ଫଳ ସଂଖ୍ୟା କହିଦେବି, ତା’ପରେ ତୁମେ ନିଜେ ଗଣି ଦେଖ’’ ଏହି କଥା କହି ସେ ସେହି ବୃକ୍ଷର ଥିବା ପତ୍ର ଓ ଫଳ ସଂଖ୍ୟା ଜଣାଇଲେ ଏବଂ ନଳ ଗଣନା କରି ସେ କହିଥିବା ସଂଖ୍ୟା ଠିକ୍‍ ଥିବାର ଜାଣିଲେ । ତା’ପରେ ନଳ ଋତୁପର୍ଣ୍ଣଙ୍କୁ ରଥ ଚାଳନା କୌଶଳ ଏବଂ ଋତୁପର୍ଣ୍ଣ ନଳଙ୍କୁ ପଶା ଖେଳ ଓ ସଂଖ୍ୟାର କୌଶଳ ପ୍ରଦାନ କଲେ ।

 

ନଳ ସେହି କୌଶଳ ଅନ୍ୟଏକ ବୃକ୍ଷରେ ପ୍ରୟୋଗ କଲେ ଏବଂ ତାଙ୍କ ଅନୁମାନ ଅନୁଯାୟୀ ପତ୍ର ଓ ଫଳ ସମ୍ପୂର୍ଣ୍ଣ ଠିକ୍‍ ଥିବାର ଜାଣିଲେ । ସେ ଆନନ୍ଦିତ ହେଉଥିଲା ବେଳେ ଜଣଷ କୃଷ୍ଣକାୟ ପୁରୁଷ ତାଙ୍କ ଶରୀର ମଧ୍ୟରୁ ବାହାରିଲା ଏବଂ ସେ ତା’ର ପରିଚୟ ପଚାରିଲେ । ସେ କହିଲା, ‘‘ମୁଁ କଳି, ଦମୟନ୍ତୀ ଯେତେବେଳେ ଆପଣଙ୍କୁ ବରଣ କଲେ ମୁଁ ଈର୍ଷାରେ ଆପଣଙ୍କ ଶରୀରରେ ପ୍ରବେଶ କଲି । ତେଣୁ ଆପଣ ଖେଳରେ ସମୃଦ୍ଧି ହରାଇଲେ । ଯେତେବେଳେ କର୍କୋଟକ ଆପଣଙ୍କୁ ବନରେ ଦଂଶନ କଲେ ଦେଖନ୍ତୁ ଆପଣଙ୍କ ଶରୀର ମଧ୍ୟରେ ଥିବାରୁ ମୁଁ ପୋଡ଼ିଗଲି କିନ୍ତୁ ଆପଣଙ୍କର ଦହନ ହେଲା ନାହିଁ । ଯଦି ପ୍ରତାରଣା ପୂର୍ବକ କାହାର ଅନିଷ୍ଟ କରାଯାଏ ତେବେ ତାହା ତା’ର ମଙ୍ଗଳ ସାଧନ କରେ ! ତେଣୁ ହେ ବନ୍ଧୁ ବିଦାୟ ନେଉଛି କାରଣ ଅନ୍ୟମାନଙ୍କଠାରେ ମୁଁ ସୁଯୋଗ ପାଇଛି’’ ଏହିପରି କହି କଳି ଆଖି ଆଗରୁ ଅଦୃଶ୍ୟ ହୋଇଗଲା ଏବଂ ନଳ ପୁଣି ପୂର୍ବପରି ସୁସ୍ଥ ହୋଇଗଲେ ଓ ତେଜ ଫେରିପାଇଲେ । ସେ ଫେରିଆସି ପୁଣି ରଥରେ ଚଢ଼ିଲେ ଏବଂ ଏତେ ଶୀଘ୍ର ଗତିରେ ସେ ସ୍ଥଳ ଅତିକ୍ରମ କଲେ ଯେ ସେହିଦିନ ମଧ୍ୟରେ ସେ ଋତୁପର୍ଣ୍ଣ ରାଜାଙ୍କୁ ବିଦର୍ଭରେ ପହଞ୍ଚାଇ ଦେଲେ । ସେଠାର ଲୋକମାନେ ସେ ରାଜାଙ୍କୁ କାହିଁକି ଆସିଚନ୍ତି ବୋଲି କହି ଥଟ୍ଟା କଲେ ଏବଂ ସେ ପ୍ରାସାଦ ନିକଟରେ ଅବସ୍ଥାନ କଲେ ।

 

ରଥର ଅଦ୍ଭୁତ ଶବ୍ଦ ଶୁଣି ଦମୟନ୍ତୀ ତାଙ୍କର ଆସିବାର ଜାଣି ପାରିଲେ, ନଳ ମଧ୍ୟ ଆସିଥିବେ ବୋଲି ଅନୁମାନ କରି ସେ ଅନ୍ତରରେ ଆନନ୍ଦିତା ହେଲେ । ସତ୍ୟାସତ୍ୟ ସଂଗ୍ରହ ପାଇଁ ସେ ନିଜ ଦାସୀକୁ ପଠାଇଲେ । ସେ ଅନୁସନ୍ଧାନ କରି ଫେରିଆସି ନିଜ ପ୍ରିୟତମ ପ୍ରଭୁଙ୍କୁ କାମନା କରୁଥିବା ଦମୟନ୍ତୀଙ୍କୁ କହିଲା, ‘‘ରାଣୀ, ମୁଁ ସମସ୍ତ ବିଷୟ ଅନୁସନ୍ଧାନ କଲି । ଏହି କୋଶଳ ରାଜା ଆପଣଙ୍କ ସ୍ୱୟମ୍ବର ବିଷୟରେ ଏକ ଭୁଲ୍ ଖବର ଶୁଣି ଏଠାକୁ ଆସିଛନ୍ତି । ରଥ ଚାଳନା କୌଶଳରେ ପ୍ରସିଦ୍ଧ ହ୍ରସ୍ୱବାହୁ ନାମରେ ତାଙ୍କର ପାଚକ ଓ ସାରଥି ତାଙ୍କୁ ଦିନକ ମଧ୍ୟରେ ଏଠାକୁ ନେଇ ଆସିଚି । ମୁଁ ରୋଷଶାଳାକୁ ଯାଇ ସେ ପାଚକକୁ ଦେଖିଲି । ସେ କୃଷ୍ଣକାୟ ଓ କଦାକାର କିନ୍ତୁ ଅଦ୍ଭୁତ ଶକ୍ତିର ଅଧିକାରୀ । ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ପାତ୍ର ଓ କରେଇମାନଙ୍କରେ ପାଣି ନ ଦିଆଗଲେ ମଧ୍ୟ ପାଣି ପୂର୍ଣ୍ଣ ହୋଇ ଯାଉଛି, କାଠରେ ଅଗ୍ନି ସଂଯୋଗ ନକଲେ ମଧ୍ୟ ଆପେ ଆପେ ଜଳି ଉଠୁଛି ଏବଂ ମୁହୂର୍ତ୍ତକ ମଧ୍ୟରେ ଅନେକ ପ୍ରକାର ପିଠା ପ୍ରସ୍ତୁତ ହୋଇଯାଉଛି । ଏହି ଅସମ୍ଭବ କଥା ଦେଖି ମୁଁ ଏଠାକୁ ଆସିଲି ।’’

 

ଦମୟନ୍ତୀ ଦାସୀଠାରୁ ଏକଥା ଶୁଣି ଭାବିଲେ, ‘‘ଏହି ପାଚକ, ଯାହାଙ୍କର ଅଗ୍ନି ଓ ଜଳ ଆଜ୍ଞାଧୀନ ଏବଂ ଯେ ରଥ ଚାଳନାର ଗୁପ୍ତ କୌଶଳ ଜାଣନ୍ତି, ସେ ମୋ ସ୍ୱାମୀଙ୍କ ଛଡ଼ା ଅନ୍ୟ କେହି ନୁହନ୍ତି, ମୁଁ ବୋଧହୁଏ ମୋ’ଠାରୁ ବିଚ୍ଛେଦ ହେବା ଫଳରେ ତାଙ୍କର ପରିବର୍ତ୍ତନ ହୋଇ ସେ କଦାକାର ହୋଇ ପଡ଼ିଛନ୍ତି । କିନ୍ତୁ ମୁଁ ତାଙ୍କୁ ପରୀକ୍ଷା କରିବି’’ ଏହିପରି ସଂକଳ୍ପ କରି ସେ କୌଶଳରେ ନିଜର ଦୁଇ ସନ୍ତାନଙ୍କୁ ସେହି ଦାସୀ ସହିତ ତାଙ୍କ ନିକଟକୁ ପଠାଇଲେ, ସେମାନଙ୍କୁ ଦେଖାଇବା ପାଇଁ । ନଳ ବହୁଦିନର ବିଚ୍ଛେଦ ପରେ ନିଜେ ସେହି ସନ୍ତାନ ଦ୍ୱୟଙ୍କୁ ଦେଖି ଜାନୁ ଉପରେ ବସାଇ ନିରବରେ କାନ୍ଦି କାନ୍ଦି ଅଶ୍ରୁର ବନ୍ୟା ସୃଷ୍ଟି କଲେ ଏବଂ ସେ ଦାସୀକୁ କହିଲେ, ‘‘ମୋର ଏହିପରି ଦୁଇଟି ସନ୍ତାନ ସେମାନଙ୍କ ପିତାମହଙ୍କ ଗୃହରେ ଅଛନ୍ତି । ସେହିମାନଙ୍କ କଥା ମନେ ପକାଇ ମୁଁ ଦୁଃଖରେ ଅଭିଭୂତ ହୋଇପଡ଼ିଛି ।’’ ଦାସୀ ପିଲାମାନଙ୍କ ସହିତ ଫେରିଯାଇ ଦମୟନ୍ତୀଙ୍କୁ ସବୁ କଥା ଜଣାଇଲା ଏବଂ ସେ ମନରେ ବହୁ ଆଶା ବାନ୍ଧିଲେ ।

 

ପରଦିନ ପ୍ରଭାତରେ ସେ ଦାସୀକୁ ଏହି ଆଦେଶ ଦେଲେ, ଋତୁପର୍ଣ୍ଣଙ୍କ ପାଚକ ନିକଟକୁ ଯାଇ ମୋର ଏହି କଥା କହ, ‘‘ମୁଁ ଶୁଣିଛି ଯେ ପୃଥିବୀରେ ତୁମପରି ପାଚକ ନାହାନ୍ତି । ତେଣୁ ଆସି ମୋ’ପାଇଁ ଆଜି ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ ।’’ ଦାସୀ ନଳଙ୍କୁ ଏହି ଚାତୁର୍ଯ୍ୟପୂର୍ଣ୍ଣ ଅନୁରୋଧ ଜଣାନ୍ତେ ନଳ ଋତୁପର୍ଣ୍ଣଙ୍କଠାରୁ ଆଦେଶ ନେଇ ଦମୟନ୍ତୀଙ୍କ ନିକଟକୁ ଆସିଲେ । ଦମୟନ୍ତୀ ତାଙ୍କୁ କହିଲେ, ‘‘ସତକଥା କହନ୍ତୁ ଆପଣ କ’ଣ ପାଚକର ଛଦ୍ମ ବେଶରେ ରାଜା ନଳ ? ମୁଁ ଉତ୍କଣ୍ଠାର ସାଗର ମଧ୍ୟରେ ବୁଡ଼ି ଗଲିଣି । ଆଜି ଆପଣ ନିଶ୍ଚୟ ମୋତେ ନିରାପଦରେ କୂଳରେ ଲଗାଇବେ ।’’ ନଳ ଏକଥା ଶୁଣି ଆନନ୍ଦ, ଦୁଃଖ ଓ ଲଜ୍ଜା ଅନୁଭବ କଲେ ଏବଂ ଅଧୋବଦନରେ ଓ ସବାଷ୍ପ କଣ୍ଠରେ ଏହି ସମୟୋଚିତ କଥା କହିଲେ, ‘‘ପ୍ରକୃତରେ ମୁଁ ସେହି ଦୁଷ୍ଟ ନଳ, ପ୍ରସ୍ତର ପରି କଠୋର ଯେ କି ନିଜର ପାଗଳାମୀରୁ ତୁମକୁ ଅଗ୍ନି ପରି ଦହନ କରିଚି ।’’ ଦମୟନ୍ତୀ ଏହା ଶୁଣି କହିଲେ, ‘‘ତାହା ଯଦି ସତ୍ୟ ତେବେ ଆପଣ ଏପରି କଦାକାର ହୋଇ ଗଲେଣି କିପରି ?’’ ତା’ପରେ ନଳ କର୍କୋଟକ ସହିତ ବନ୍ଧୁ ହେବାଠାରୁ କଳିର ବିଦାୟ ପର୍ଯ୍ୟନ୍ତ ତାଙ୍କର ସମସ୍ତ ବୃତ୍ତାନ୍ତ କହିଲେ । ସଙ୍ଗେ ସଙ୍ଗେ ସେ କର୍କୋଟକ ଦେଇଥିବା ‘ଅଗ୍ନିଧୌତ’ ବସ୍ତ୍ର ହଳକୁ ପରିଧାନ କରି ସେହି ସ୍ଥାନରେ ସେହି ସ୍ଥଳରେ ନିଜର ପ୍ରକୃତ ରୂପ ଫେରି ପାଇଲେ ।

 

ଦମୟନ୍ତୀ ନଳଙ୍କୁ ତାଙ୍କର ମୋହନ ରୂପ ଧାରଣ କରିବା ଦେଖିବା ମାତ୍ରେ ତାଙ୍କର ମୁଖପଦ୍ମ ହଠାତ୍‍ ପ୍ରସ୍ଫୁଟିତ ହୋଇ ଉଠିଲା, ନିଜ ଚକ୍ଷୁର ଜଳରେ ଯେପରିକି ଦୁଃଖର ବନାଗ୍ନିକୁ ନିର୍ବାପିତ କଲେ ଏବଂ ଅବର୍ଣ୍ଣନୀୟ ଅପାର ଆନନ୍ଦ ଲାଭ କଲେ । ବିଦର୍ଭ ରାଜା ଭୀମ ଅନୁଚରଗଣଙ୍କଠାରୁ ଏହି ଖବର ଶୁଣିପାରି ଆନନ୍ଦିତ ହୋଇ ନଳଙ୍କୁ ସ୍ୱାଗତ ଜଣାଇଲେ । ନଳ ତାଙ୍କୁ ଯଥାଯୋଗ୍ୟ ଭକ୍ତି ପ୍ରଦର୍ଶନ କଲେ । ରାଜା ନଗରକୁ ଉତ୍ସବରେ ମୁଖରିତ କରିଦେଲେ । ରାଜା ଭୀମ ସମସ୍ତ ପ୍ରକାର ବାହ୍ୟିକ ମର୍ଯ୍ୟାଦା ଓ ଆତିଥେୟତା ସହ ରାଜା ଋତୁପର୍ଣ୍ଣଙ୍କୁ ସ୍ୱାଗତ କଲେ କିନ୍ତୁ ମନେମନେ ନହସି ରହି ପାରିଲେ ନାହିଁ । ସେ ନଳଙ୍କୁ ପ୍ରତ୍ୟଭିବାଦନ ଜଣାଇ କୋଶଳକୁ ଫେରିଗଲେ । ନଳ ସେଠାରେ ପତ୍ନୀଙ୍କ ସହ ଆନନ୍ଦରେ ରହିଲେ ଏବଂ କଳିର ପ୍ରଭାବରେ ସୃଷ୍ଟ ନିଜର ମନ୍ଦ ବୁଦ୍ଧି ବିଷୟ ଶ୍ୱଶୁରଙ୍କ ଆଗରେ ବର୍ଣ୍ଣନା କଲେ । ଅଳ୍ପ କେତେ ଦିନ ମଧ୍ୟରେ ସେ ଶ୍ୱଶୁରଙ୍କ ସୈନ୍ୟବଳ ସହିତ ନିଷଦକୁ ଫେରିଲେ ଏବଂ ନିଜର ପଶା ଖେଳ ଜ୍ଞାନ ବଳରେ କନିଷ୍ଠ ଭ୍ରାତା ପୁଷ୍କରଙ୍କୁ ପରାସ୍ତ କଲେ । କିନ୍ତୁ ନ୍ୟାୟବାନ ନଳ କନିଷ୍ଠ ଭ୍ରାତାର ଶରୀରରୁ ଦ୍ୱାପର ଚାଲିଯାନ୍ତେ ତାଙ୍କୁ ରାଜ୍ୟର ଏକଭାଗ ପ୍ରଦାନ କଲେ ଏବଂ ଦମୟନ୍ତୀଙ୍କୁ ଫେରି ପାଇଥିବାରୁ ଆନନ୍ଦିତ ହୋଇ ନ୍ୟାୟରେ ରାଜ୍ୟ ଉପଭୋଗ କଲେ ।

Image

 

କମଳାକର ଏବଂ ହଂସାବଳୀ କଥା

 

କୋଶଳ ନଗରରେ ବିମଳ କର ନାମରେ ଜଣେ ରାଜା ଥିଲେ । ତାଙ୍କର କମଳାକର ନାମରେ ଜଣେ ପୁତ୍ର ଥିଲେ, ଯାହାକୁ ବିଧାତା ସାହସ, ସୌନ୍ଦର୍ଯ୍ୟ ଓ ଦାନଶୀଳତା ପ୍ରଭୃତି ଗୁଣାବଳୀରେ କାର୍ତ୍ତିକେୟ, କନ୍ଦର୍ପ ଓ ସ୍ୱର୍ଗର କଳ୍ପବୃକ୍ଷଠାରୁ ମଧ୍ୟ ଅଧିକତର କରି ଗଢ଼ିଥିଲେ । ଦିନେ ତାଙ୍କର ପୂର୍ବ ପରିଚିତ ଜଣେ ଚାରଣକବି ସେଠାକୁ ଆସି ପୃଥିବୀର ସବୁ କବିମାନଙ୍କର ପ୍ରଶଂସାଯୋଗ୍ୟ ସେହି ରାଜକୁମାରଙ୍କ ଆଗରେ କୌଣସି ଏକ ପଦ ଆବୃତ୍ତିକଲେ, ‘‘କମଳ ପ୍ରାପ୍ତିର ଆନନ୍ଦରେ କୂଜିତ ପକ୍ଷୀଗଣଙ୍କ ସଙ୍ଗୀତରେ ପରିପୂରିତ କମଳ ଶଯ୍ୟା ନିକଟରେ ନପହଞ୍ଚିବା ପର୍ଯ୍ୟନ୍ତ ହଂସାବଳୀ କେବେ କ’ଣ ସନ୍ତୋଷ ଲାଭ କରିପାରନ୍ତି ?’’ ମନୋରଥସିଦ୍ଧି ନାମକ ସେହି କବି ଯେତେବେଳେ ବାରମ୍ବାର ଏହି ପଦ ଉଚ୍ଚାରଣ କରିବାକୁ ଲାଗିଲେ ରାଜକୁମାର କମଳାକର ତାଙ୍କୁ ଏ ବିଷୟରେ ପଚାରନ୍ତେ ସେ ତାଙ୍କୁ କହିଲେ, ‘‘ରାଜକୁମାର, ମୁଁ ବୁଲୁବୁଲୁ ରାଜା ମେଘମାଳିନଙ୍କର ଲକ୍ଷ୍ମୀଙ୍କ ବିଳାସଭୂମି ବିଦିଶା ନାମକ ନଗରରେ ପହଞ୍ଚିଲି । ସେଠାରେ ମୁଁ ଦର୍ଦୁର ନାମକ ଜଣେ ସଙ୍ଗୀତ ଶିକ୍ଷକଙ୍କ ଘରେ ରହୁଥିଲି । ଦିନେ ସେ ମୋତେ କହିଲେ, ‘‘କାଲି ହଂସାବଳୀ ନାମରେ ରାଜାଙ୍କର କନ୍ୟା, ଅତୀତରେ ଶିକ୍ଷାକରିଥିବା ନୃତ୍ୟ କୌଶଳ ରାଜାଙ୍କ ଆଗରେ ପ୍ରଦର୍ଶନ କରାଇବେ’’ ଏହା ଶୁଣି ମୁଁ କୌତୂହଳାକ୍ରାନ୍ତ ହୋଇ ପରଦିନ ତାଙ୍କ ସହିତ ରାଜପ୍ରାସାଦ ମଧ୍ୟରେ ପ୍ରବେଶ କରି ନୃତ୍ୟଶାଳାକୁ ଗଲି । ସେଠାରେ ମୁଁ କ୍ଷୀଣ-ମଧ୍ୟମା ହଂସାବଳୀଙ୍କୁ ତାଙ୍କ ପିତାଙ୍କ ସମ୍ମୁଖରେ ନୃତ୍ୟ କରୁଥିବାର ଦେଖିଲି । ବିରାଟ ଢୋଲକର ତାଳେ ତାଳେ, ପ୍ରେମବୃକ୍ଷର ଲତାପରି, ଯୌବନର ବାତ୍ୟାରେ କମ୍ପିତ ହୋଇ, ପୁଷ୍ପପରି ନିଜ ଅଳଙ୍କାରମାନଙ୍କୁ ଦୋହଲାଇ ଏବଂ ନବୀନ ଶାଖାପରି ନିଜର ହସ୍ତକୁ ବଙ୍କାଇ ସେ ନୃତ୍ୟ କରୁଥିଲେ । ମୁଁ ଚିନ୍ତା କଲି, ‘‘ରାଜକୁମାର କମଳାକରଙ୍କ ବ୍ୟତୀତ ଏହି ମୃଗଲୋଚନାର ସ୍ୱାମୀ ହେବାପାଇଁ ଅନ୍ୟ କେହି ଉପଯୁକ୍ତ ନୁହନ୍ତି । ତେଣୁ ଏ ଜେମା ଯଦି ଏପରି ହୋଇ ତାଙ୍କ ସହିତ ମିଳିତ ହୋଇ ନପାରନ୍ତି ତେବେ କାମଦେବ ବୃଥାରେ ତାଙ୍କ ପୁଷ୍ପଧନୁର ଟଙ୍କାର କାହିଁକି କରୁଛନ୍ତି-? ତେଣୁ ମୁଁ ଏ ବିଷୟରେ ସମୁଚିତ କାର୍ଯ୍ୟ କରିବି’’ ଏହା ଭାବି ମୁଁ ସେ ଦୃଶ୍ୟ ଦେଖି ସାରିବାପରେ ରାଜଦରବାରର ଦ୍ୱାର ନିକଟକୁ ଯାଇ ସେଠାରେ ଏହିପରି ଲେଖାଥିବା ଏକ ବିଜ୍ଞାପନ ସ୍ଥାପନ କଲି-। ‘‘ଯଦି ଏଠାରେ ମୋ ସହିତ ସମାନ ଚିତ୍ରକାର କିଏ ଅଛନ୍ତି ତେବେ ସେ ଏକ ଚିତ୍ରଅଙ୍କନ କରନ୍ତୁ-।’’ କୌଣସି ବ୍ୟକ୍ତି ସେ ଆହ୍ୱାନ ଗ୍ରହଣ କରିବାପାଇଁ ସାହସ ନକରିବାର ଶୁଣି ରାଜା ତାଙ୍କ କନ୍ୟାର ଗୃହକୁ ଚିତ୍ରିତ କରିବାପାଇଁ ମୋତେ ନିଯୁକ୍ତ କଲେ । ତେଣୁ ହେ ରାଜକୁମାର କମଳାକର ମୁଁ ହଂସାବଳୀର ସହର ଭିତରେ ଆପଣଙ୍କର ଓ ଆପଣଙ୍କର ଅନୁଚରମାନଙ୍କ ଚିତ୍ର ଅଙ୍କନ କଲି-

 

ମୁଁ ମନେମନେ ଭାବିଲି, ମୁଁ ଯଦି ଏହା ପରିଷ୍କାର ଜଣାଇଦିଏ ତେବେ ସେ ମନେ କରିବେ ଯେ ମୁଁ କିଛି ଷଡ଼ଯନ୍ତ୍ର କରୁଛି । ତେଣୁ ମୁଁ ରାଜକୁମାରୀଙ୍କୁ ଏ ବିଷୟ କୌଶଳକ୍ରମେ ଜଣାଇବା ଠିକ୍ କରି, ମୋର ଜଣେ ଘନିଷ୍ଠବନ୍ଧୁ ସୌମ୍ୟଦର୍ଶନଙ୍କୁ ପାଗଳଙ୍କପରି ଛଳନାକରି ପ୍ରାସାଦ ନିକଟକୁ ଆସିବାପାଇଁ ପ୍ରବର୍ତ୍ତାଇଲି ଏବଂ ତାଙ୍କୁ କିପରି ବ୍ୟବହାର କରିବାକୁ ହେବ ତାହା ଆଗରୁ ଜଣାଇଦେଲି । ତାଙ୍କୁ ଗୀତ ଗାଇଗାଇ ଓ ନାଚିନାଚି ବୁଲୁଥିବାର ବହୁଦୂରରୁ ଦେଖିପାରି ରାଜକୁମାରମାନେ କୌତୁକ କରିବାପାଇଁ ତାଙ୍କୁ ସେମାନଙ୍କ ନିକଟକୁ ଅଣାଇଲେ । ହଂସାବଳୀ ତାଙ୍କୁ ଦେଖି ଓ ତାଙ୍କ କଥା ଶୁଣି କୌତୁକରେ ତାଙ୍କୁ ନିଜ ଘରକୁ ଆଣିଲେ ଏବଂ ସେ ଆପଣଙ୍କ ଛବି ସେଠାରେ ଚିତ୍ରିତ ହୋଇଥିବାର ଦେଖନ୍ତେ ଆପଣଙ୍କ ପ୍ରଶଂସା କରି କହିବାକୁ ଲାଗିଲେ ‘ବିଷ୍ଣୁଙ୍କପରି ଅନନ୍ତ ଗୁଣର ଭଣ୍ଡାର, ଶଙ୍ଖ ଏବଂ ଚକ୍ର ଚିହ୍ନିତ ହସ୍ତ ଏବଂ ଲକ୍ଷ୍ମୀଙ୍କ ପ୍ରିୟପାତ୍ର ଏହି କମଳାକରଙ୍କୁ ଦେଖି ମୁଁ ଧନ୍ୟ ହେଲି ।’

 

‘‘ରାଜକୁମାରୀ ତାକୁ ନାଚିନାଚି ଏହିପରି ଗାଉଥିବାର ଶୁଣି ମୋତେ ପଚାରିଲେ ‘ଏ ଲୋକ କ’ଣ କହୁଚି ?’ ସେ ମୋତେ ଏହା ବାରମ୍ବାର ପଚାରନ୍ତେ ମୁଁ କହିଲି, ‘ଯେଉଁ ରାଜକୁମାରଙ୍କୁ ତାଙ୍କ ରୂପର ସମ୍ମାନରେ, ମୁଁ ଏଠାରେ ଅଙ୍କନ କରିଚି ତାଙ୍କୁ ଏ ପାଗଳ ଆଗରୁ ନିଶ୍ଚୟ କେଉଁଠି ଦେଖିଚି ।’ ତା’ପରେ ତାଙ୍କୁ ଆପଣଙ୍କ ନାମ କହିଲି ଏବଂ ଆପଣଙ୍କ ଗୁଣାବଳୀର ବର୍ଣ୍ଣନା କଲି । କାମନାର ନବୀନ ପାଦପ ହଂସାବଳୀଙ୍କ ହୃଦୟରେ ଅଙ୍କୁରିତ ହୋଇ, ଆପଣଙ୍କ ପ୍ରତି ପ୍ରେମର ବନ୍ୟାସ୍ରୋତରେ ସେଚିତ ହେବାକୁ ଲାଗିଲା । ତା’ପରେ ତାଙ୍କ ପିତା, ରାଜା ଆସି ଏ ସମସ୍ତ ଘଟଣା ଦେଖି କ୍ରୋଧରେ ମୋତେ ଏବଂ ନାଚୁଥିବା ସେହି ଛଦ୍ମ ପାଗଳ ଉଭୟଙ୍କୁ ବାହାରକୁ ତଡ଼ି ଦେଲେ । ତା’ପରେ ଦିନକୁ ଦିନ ସେ କାମନାରେ ଜର୍ଜରିତା ହେବାକୁ ଲାଗିଲେ ଏବଂ କୃଷ୍ଣପକ୍ଷର ଚନ୍ଦ୍ରକଳାପରି ଏପରି କ୍ଷୟପ୍ରାପ୍ତା ହେଲେ ଯେ କେବଳ ରୂପ ବ୍ୟତୀତ ତାଙ୍କ ଦେହରେ ଆଉ କିଛି ରହିଲା ନାହିଁ । ଅସୁସ୍ଥତା ଛଳରେ ସେ ପିତାଙ୍କ ଅନୁମତି ନେଇ ସେ ବିପଦ ଭଞ୍ଜନ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ନିର୍ଜନରେ ବାସ କଲେ । ଆପଣଙ୍କ ଭାବନାରେ ସେ ଶୋଇ ନ ପାରି, ନିଷ୍ଠୁର ଚନ୍ଦ୍ରାଲୋକକୁ ସହ୍ୟକରି ନପାରି ଏବଂ ରାତି ଦିନର ପରିବର୍ତ୍ତନ ବିଷୟରେ କିଛି ଜାଣି ନପାରି ସେହିଠାରେ ରହିଲେ । ଦିନେ ମୁଁ ସେଇବାଟେ ଯାଉଥିବା ବେଳେ ଗବାକ୍ଷବାଟେ ମୋତେ ଦେଖିପାରି ଡକାଇଲେ ଏବଂ ବସ୍ତ୍ର ଓ ଅଳଙ୍କାର ପ୍ରଭୃତି ଦେଇ ଭକ୍ତିର ସହିତ ମୋତେ ସମ୍ମାନ ଜଣାଇଲେ । ତା’ପରେ ମୁଁ ବାହାରକୁ ଆସିଲି ଏବଂ ସେ ଦେଇଥିବା ବସ୍ତ୍ରର ଧଡ଼ିରେ, ଆପଣଙ୍କ ଆଗରେ ଆବୃତ୍ତି କରୁଥିବା ଏହି ପଦଟି ଲେଖାଥିବାର ଦେଖିଲି । ପୁଣି ଶୁଣନ୍ତୁ, ‘କମଳ ପ୍ରାପ୍ତିର ଆନନ୍ଦରେ କୂଜିତ ପକ୍ଷୀଗଣଙ୍କ ସଙ୍ଗୀତରେ ପରିପୂରିତ କମଳଶଯ୍ୟା ନିକଟରେ ନପହଞ୍ଚିବା ପର୍ଯ୍ୟନ୍ତ ହଂସାବଳୀ କେବେ କ’ଣ ସନ୍ତୋଷ ଲାଭ କରି ପାରନ୍ତି ?’’ ଏହା ପାଠ କରି ମୁଁ ନିଶ୍ଚିତ ରୂପେ ଜାଣିପାରିଲି ତାଙ୍କର ଆପଣଙ୍କ ପ୍ରତି ଭାବ କିପରି । ତାହା ଆପଣଙ୍କୁ ଜଣାଇବା ପାଇଁ ଏଠାକୁ ଆସିଲି ଏବଂ ଆପଣଙ୍କ ଆଗରେ ପଦଟି ଆବୃତ୍ତି କଲି । ଏହି ହେଉଛି ସେ ବସ୍ତ୍ର ଯେଉଁଥିରେ ସେ ସେହି ପଦଟି ଲେଖିଛନ୍ତି । କମଳାକର ସେହି ଚାରଣ କବିଙ୍କ କଥା ଶୁଣି ସେ ପଦଟି ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ପଡ଼ିଲେ ଏବଂ ହଂସାବଳୀଙ୍କୁ ଚିନ୍ତା କରିବାକୁ ଲାଗିଲେ ଯେ କି ଚକ୍ଷୁ କିମ୍ବା କର୍ଣ୍ଣ କେଉଁ ପଥ ଦେଇ ହୃଦୟକୁ ପ୍ରବେଶ କଲେ ତାହା ସେ ନିଜେ ଜାଣିପାରିଲେ ନାହିଁ ।

 

ଘଟନାକ୍ରମେ ସେ ଯେତେବେଳେ ଘୋର କାମନାର ବଶବର୍ତ୍ତୀ ହୋଇ ସେହି ରାଜକୁମାରୀଙ୍କୁ କିପରି ଲାଭ କରିବେ ସେ ବିଷୟ ଚିନ୍ତା କରୁଥିଲେ, ତାଙ୍କ ପିତା ତାଙ୍କୁ ଡକାଇ କହିଲେ, ‘‘ବତ୍ସ, ଉଦଯୋଗବିହୀନ ରାଜାଗଣ ମନ୍ତ୍ରଦ୍ୱାରା ବନ୍ଦୀ ହୋଇଥିବା ସର୍ପପରି ବିନାଶ ପ୍ରାପ୍ତ ହୁଅନ୍ତି ଏବଂ ରାଜା ଥରେ ବିନଷ୍ଟ ହେଲେ ଆଉଥରେ ଉଠି ପାରିବା କ’ଣ ସମ୍ଭବ ? ତୁ ବିଳାସରେ ବୁଡ଼ିରହି ଏପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟ ଜୟ ଇଚ୍ଛା ମନରେ ପୋଷଣ କଲୁନାହିଁ । ତେଣୁ ନିଜକୁ ଜାଗ୍ରତ କର, ଆଳସ୍ୟ ଫିଙ୍ଗିଦେ, ମୋ ଶତ୍ରୁ ଅଙ୍ଗରାଜା ମୋ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିବାପାଇଁ ନିଜ ରାଜ୍ୟ ତ୍ୟାଗ କରିଛନ୍ତି । ତୁ ଯାଇଁ ସେହି ରାଜ୍ୟ ଅଧିକାର କର । ମୁଁ ଏହିଠାରେ ଅବସ୍ଥାନ କରୁଚି ।’’ ନିର୍ଭୀକ କମଳାକର ଏ କଥା ଶୁଣି ନିଜ ପ୍ରିୟତମାର ରାଜ୍ୟଦିଗକୁ ଅଭିଯାନ କରାଯିବା ଇଚ୍ଛାକରି ଏହି ଉଦଯୋଗ କରିବାପାଇଁ ସମ୍ମତି ଜଣାଇଲେ । ପିତା ଦେଇଥିବା ସୈନ୍ୟବଳ ସହିତ ସେ ଶତ୍ରୁର ରାଜ୍ୟ ଏବଂ ହୃଦୟକୁ କମ୍ପିତ କରି ବାହାରିଲେ । ଅଳ୍ପ କେତେ ଦୂର ଯିବାପରେ ସେ ଅଙ୍ଗରାଜାଙ୍କ ବାହିନୀକୁ ଭେଟିଲେ । ରାଜକୁମାର ପ୍ରତିଆକ୍ରମଣ କରିବାକୁ ଫେରନ୍ତେ ସେ ଯୁଦ୍ଧ କଲେ । ଅଗସ୍ତି ସାଗରର ଜଳକୁ ପାନ କଲାପରି ସେ ନିର୍ଭୀକ ବୀର ଶତ୍ରୁର ବାହିନୀକୁ ପିଇଗଲେ ଏବଂ ବିଜୟୀ ହୋଇ ସେ ରାଜାଙ୍କୁ ଜୀବନ୍ତ ବନ୍ଦୀ କଲେ । ପିତାଙ୍କ ନିକଟରୁ ତାଙ୍କ ପାଖକୁ ଆସିଥିବା ପତ୍ର ଅନୁଯାୟୀ ସେ ସେହି ଶତ୍ରୁକୁ ଶୃଙ୍ଖଳାବଦ୍ଧ କରି ପ୍ରଧାନ ପ୍ରାସାଦପାଳକଙ୍କ ତତ୍ତ୍ୱାବଧାନରେ ତାଙ୍କ ନିକଟକୁ ପଠାଇଦେଲେ ଏବଂ ରାଜାଙ୍କୁ ଏହି ବାର୍ତ୍ତା କହିଦେବାପାଇଁ ସେ ପ୍ରାସାଦ ପାଳକକୁ ଆଦେଶ କଲେ ‘‘ପିତା ! ମୁଁ ଅନ୍ୟ ଶତ୍ରୁମାନଙ୍କୁ ଜୟ କରିବାପାଇଁ ବର୍ତ୍ତମାନ ଏଠାରୁ ଯାଉଛି ।’’ ତା’ପରେ ସେ ଅନ୍ୟ ଶତ୍ରୁମାନଙ୍କୁ ଜୟ କରିବାକୁ ଲାଗିଲେ ଏବଂ ସେମାନଙ୍କ ବଳରେ ନିଜର ବାହିନୀକୁ ବର୍ଦ୍ଧିତ କରି ଅବଶେଷରେ ବିଦିଶା ନଗର ନିକଟରେ ପହଞ୍ଚିଲେ ।

 

ସେଠାରେ ଶିବିର ପକାଇ ହଂସାବଳୀଙ୍କ ପିତା ମେଘମାଳିନଙ୍କ ନିକଟକୁ ହଂସାବଳୀଙ୍କୁ ବିବାହ କରିବା ପ୍ରସ୍ତାବ କରି ଦୂତ ପଠାଇଲେ । ସେ ରାଜା ଦୂତଠାରୁ ସେ ଶତ୍ରୁରୂପେ ନଆସି ତାଙ୍କ କନ୍ୟା ପାଇଁ ଆସିଛନ୍ତି ଶୁଣି ତାଙ୍କ ପାଖକୁ ନିଜେ ବନ୍ଧୁରୂପେ ସଙ୍ଖୋଳିଗଲେ । ରାଜକୁମାର ତାଙ୍କୁ ସ୍ୱାଗତ ଜଣାଇଲେ ଏବଂ ମେଘମାଳିନ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି କହିଲେ, ‘‘ଯେଉଁ କାର୍ଯ୍ୟ ଦୂତ ସାହାଯ୍ୟରେ ହୋଇପାରିଥାନ୍ତା ସେଥିପାଇଁ ଆପଣ କାହିଁକି କଷ୍ଟକରି ଆସିଲେ ? ମୁଁ ଏହି ବିବାହ ଇଚ୍ଛାକରେ, ତା’ର କାରଣ ଶୁଣନ୍ତୁ । ଏହି ହଂସାବଳୀ ତା’ର ଶୈଶବାବସ୍ଥାରୁ ବିଷ୍ଣୁ ଉପାସନାରେ ଅନୁରକ୍ତ ଦେଖି ଏବଂ ତା’ର ଶିରୀଷ କୋମଳ ଶରୀର ଥିବାରୁ ମୁଁ ତା’ପାଇଁ ଉତ୍କଣ୍ଠିତ ହୋଇ ମନେମନେ ଭାବୁଥିଲି, ‘ଏହି ବାଳିକାର ଉପଯୁକ୍ତ ସ୍ୱାମୀ କିଏ ହୋଇ ପାରିବ ?’ ତା’ପାଇଁ ଉପଯୁକ୍ତ ସ୍ୱାମୀ ବିଷୟରେ ଭାବିପାରୁ ନଥିବାରୁ ସେହି ଉତ୍କଣ୍ଠାରେ ମତେ ନିଦ୍ରା ହେଲା ନାହିଁ ଏବଂ ଭୀଷଣ ଜ୍ୱରଗ୍ରସ୍ତ ହୋଇ ପଡ଼ିଲି । ସେଥିରୁ ଉପଶମ ପାଇଁ ମୁଁ ବିଷ୍ଣୁଙ୍କୁ ପୂଜାରେ ସନ୍ତୁଷ୍ଟ କଲି ଏବଂ ଗୁହାରି ଜଣାଇଲି । ଦିନେ ରାତ୍ରିରେ ମୁଁ ଯନ୍ତ୍ରଣା ହେତୁ ଅଳ୍ପମାତ୍ର ନିଦ୍ରା ଯାଇଥିବା ବେଳେ ବିଷ୍ଣୁ ମତେ ସ୍ୱପ୍ନରେ କହିଲେ, ‘‘ବତ୍ସ,’’ ଯେଉଁ ହଂସାବଳୀ ଯୋଗୁଁ ତୁମେ ଜ୍ୱର ଭୋଗ କରୁଛ ସେ ତୁମକୁ ହସ୍ତରେ ସ୍ପର୍ଶକଲେ ତେବେ ତୁମର ଜ୍ୱର ଉପଶମ ହେବ । କାରଣ ମୋତେ ଉପାସନା କରି ତା’ର ହସ୍ତ ଏତେ ପବିତ୍ର ହୋଇଛି ଯେ ସେ ତା’ ହସ୍ତରେ ଯାହାକୁ ସ୍ପର୍ଶ କରିବ ତା’ର ବ୍ୟାଧି ଯେତେ ଦୂରାରୋଗ୍ୟ ହେଲେ ମଧ୍ୟ ନିଶ୍ଚୟ ଦୂର ହେବ । ତା’ର ବିବାହ ନିମିତ୍ତ ଉତ୍କଣ୍ଠିତ ହୁଅନାହିଁ, ଯେହେତୁ ରାଜକୁମାର କମଳାକର ତା’ର ସ୍ୱାମୀ ହେବା ପାଇଁ ଉଦ୍ଦିଷ୍ଟ । କିନ୍ତୁ କିଛି କାଳ ପାଇଁ ସେ କିଛି କଷ୍ଟ ଭୋଗ କରିବ । ବିଷ୍ଣୁଙ୍କ ଦ୍ୱାରା ଏହିପରି ନିର୍ଦ୍ଦେଶିତ ହୋଇ ରାତ୍ରୀ ଶେଷରେ ମୁଁ ଶଯ୍ୟା ତ୍ୟାଗ କଲି । ହଂସାବଳୀର ସ୍ପର୍ଶରେ ମୋର ଜ୍ୱର ଚାଲିଗଲା । ତେଣୁ ତୁମ ଦୁହିଁଙ୍କ ମିଳନ ଦେବ ଅଭିପ୍ରେତ ହୋଇ ଥିବାରୁ ମୁଁ ଆପଣଙ୍କୁ ହଂସାବଳୀକୁ ଦେଉଛି’’ ଏହିକଥା କହି ସେ ବିବାହ ପାଇଁ ଏକ ଶୁଭଲଗ୍ନ ସ୍ଥିରକଲେ ଏବଂ ନିଜ ରାଜଧାନୀକୁ ଫେରିଗଲେ ।

 

ସେଠାରେ ସେ ନିଜର ସମସ୍ତ ବୃତ୍ତାନ୍ତ କହିଲେ । ହଂସାବଳୀ ଏକଥା ଶୁଣି କନକମଞ୍ଜରୀ ନାମରେ ନିଜର ଜଣେ ବିଶ୍ୱସ୍ତା ଦାସୀକୁ କହିଲେ, ‘ଯାଅ ଏବଂ ନିଜ ଆଖିରେ ଦେଖିଆସ ଯେ ଯାହାକୁ ମୁଁ ବିବାହ କରିବାକୁ ଯାଉଛି ସେ କ’ଣ କଳାକାର ଦ୍ୱାରା ଚିତ୍ରିତ ସେଇ ରାଜକୁମାର ଯେ ମୋର ହୃଦୟକୁ ଅଧିକାର କରିଛନ୍ତି । କାରଣ ଏପରି ହୋଇପାରେ ଯେ ମୋର ପିତା ସୈନ୍ୟବାହିନୀ ଧରି ଆସିଥିବା ସେହି ନାମଧାରୀ କୌଣସି ଯୁବରାଜଙ୍କୁ ଭୟକରି ମୋତେ ଉପହାର ପରି ସମର୍ପି ଦେଇପାରନ୍ତି’’ ଏହିପରି କହି ସେ କେବଳ ନିଜ ଇଚ୍ଛାର ବଶବର୍ତ୍ତୀ ହୋଇ କନକମଞ୍ଜରୀକୁ ପଠାଇଲେ । ସେହି ବିଶ୍ୱସ୍ତା ଦାସୀ ପୂରା ତପସ୍ୱିନୀର ଛଦ୍ମ ବେଶରେ ଅକ୍ଷବୀଜର ମାଳା, ମୃଗଚର୍ମ ଏବଂ ଜଟାରେ ମଣ୍ଡିତ ହୋଇ ରାଜକୁମାରଙ୍କ ଶିବିରକୁ ଗଲା । ଅନୁଚରମାନଙ୍କ ଦ୍ୱାରା ପରିଚିତ କରାହୋଇ ସେ କାମଦେବ ଯେଉଁ ଅସ୍ତ୍ରବଳରେ ପୃଥିବୀକୁ ଜୟ କରନ୍ତି ସେହି ଅସ୍ତ୍ରର ଅଧିନାୟକ ଦେବତା ପରି ଦେଖା ଯାଉଥିବା ରାଜକୁମାରଙ୍କୁ ଦେଖିଲା । ତାଙ୍କ ରୂପରେ ତା’ର ହୃଦୟ ମୁଗ୍ଧ ହୋଇଗଲା ଏବଂ କ୍ଷଣେକାଳ ସେ ଯେପରି ଗଭୀର ଚିନ୍ତାରେ ନିମଗ୍ନ ସେହିପରି ତାଙ୍କୁ ଚାହିଁ ରହିଗଲା । କାମନାରେ ଜର୍ଜରିତ ହୋଇ ସେ ଭାବିଲା ‘‘ମୋର ଯଦି ଏହି ସୁନ୍ଦର ରାଜକୁମାର ସହିତ ମିଳନ ନହୁଏ, ତେବେ ମୋ ଜୀବନ ବୃଥା । ତେଣୁ ସେହି ଲକ୍ଷ୍ୟ ସିଦ୍ଧିପାଇଁ ଯାହା ଦରକାର ମୁଁ କରିବି, ଯାହା ହେବାର ହେଉ ।’’ ତା’ପରେ ସେ ତାଙ୍କ ପାଖକୁ ଯାଇ ନିଜର ଆଶୀର୍ବାଦ ଦେଲା ଏବଂ ଏକ ରତ୍ନ ଉପହାର ଦେଲା । ସେ ବିନମ୍ରରେ ସେ ରତ୍ନଟି ଗ୍ରହଣ କରି ଆସନ ପ୍ରଦାନ କଲେ । ତହୁଁ ସେ ତାଙ୍କୁ କହିଲା, ‘‘ଏହିଁ ରତ୍ନଟି ଚମତ୍କାର; ଏହାର ଗୁଣ ଅନେକ ପରୀକ୍ଷିତ ହୋଇଥିବାର ମୁଁ ଦେଖିଛି । ଏହାକୁ ହାତରେ ଧରି ଶତ୍ରୁର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ରକୁ ମଧ୍ୟ ଅକାମୀ କରିଦେଇ ହେବ । ହେ ଯୁବରାଜ, ଆପଣଙ୍କର ମହତ୍ତ୍ୱ ପ୍ରତି ଶ୍ରଦ୍ଧା ବହି ମୁଁ ଏହା ଆପଣଙ୍କୁ ଦେଉଛି । ଏହା ଆପଣଙ୍କର ଯେପରି କାର୍ଯ୍ୟରେ ଆସିବ ମୋର ସେପରି ନୁହେଁ ।’’ ସେ ଏ କଥା କହନ୍ତେ ଯୁବରାଜ ତା’ ସହିତ କଥାବାର୍ତ୍ତା ହେବାକୁ ଆରମ୍ଭ କଲେ କିନ୍ତୁ ସେ ସମ୍ପୂର୍ଣ୍ଣ ଭିକ୍ଷୁର ଜୀବନ ଯାପନ ପାଇଁ ସଂକଳ୍ପ କରିଥିବା ଦର୍ଶାଇ ତାଙ୍କୁ ସେଥିରୁ ବାରଣ କଲା ଏବଂ ସେଠାରୁ ବିଦାୟ ନେଲା ।

 

ତା’ପରେ ସେ ସନ୍ନ୍ୟାସିନୀର ପୋଷାକ ରଖିଦେଇ ଅଧୋବଦନରେ ହଂସାବଳୀଙ୍କ ନିକଟକୁ ଗଲା ଏବଂ ସେ ପ୍ରଶ୍ନକରନ୍ତେ ଏହିପରି ମିଥ୍ୟା କଥା କହିଲା, ‘‘ଯଦିଓ ଏ ଘଟଣା ଗୋପନ କରି ରଖିବା କଥା ତଥାପି ତୁମପ୍ରତି ସ୍ନେହ ହେତୁ ରାଜାଙ୍କ ସମସ୍ତ ଗୋପନ କଥା ପ୍ରକାଶ କରିବି । ମୁଁ ଯେତେବେଳେ ଏଠାରୁ ସନ୍ନ୍ୟାସିନୀ ବେଶରେ ଯୁବରାଜଙ୍କ ଶିବିରକୁ ଗଲି ଜଣେ ଲୋକ ନିଜେ ମୋ ପାଖକୁ ଆସି ଧୀର ସ୍ୱରରେ କହିଲା, ‘‘ମାନନୀୟା ! ରାକ୍ଷସ ଛଡ଼ାଇବା ପାଇଁ ଆପଣ କିଛି ଉପାୟ ଜାଣନ୍ତିକି ? ମୁଁ ଏକଥା ଶୁଣି ତାକୁ ଦ୍ୱାର ରକ୍ଷକ ବୋଲି ଜାଣି କହିଲି, ମୁଁ ତାହା ଭଲ ଭାବରେ ଜାଣେ; ମୋ’ପାଇଁ ଏହା ଅତି ଛୋଟ କଥା ।’ ତା’ପରେ ମୋତେ ସଙ୍ଗେ ସଙ୍ଗେ ରାଜକୁମାର କମଳାକରଙ୍କ ନିକଟକୁ ନିଆଗଲା । ମୁଁ ଦେଖିଲି ସେ ନଇଁ ପଡ଼ିଛନ୍ତି ମୁଣ୍ଡରେ ଶିଙ୍ଘମାନ ଥିବା ଏକ ରାକ୍ଷସ ତାଙ୍କୁ ଲାଗିଚି । ତାଙ୍କ ମୁଣ୍ଡରେ ଶିଙ୍ଘମାନ ବାହାରିଚି ଏବଂ ଅନୁଚରଗଣ ତାଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ଦେହରେ କେତେକ ଗଦ ଓ ଗୁଣିଆର ରତ୍ନ ଅଛି । ମୁଁ ରାକ୍ଷସ ଦୂର କରିବା ପାଇଁ କେତେକ ଛଳ କର୍ମାନୁଷ୍ଠଶନ କଲି ଏବଂ ‘କାଲି ଆସି ଏହି କଷ୍ଟ ହରଣ କରିନେବି’ କହି ଶୀଘ୍ର ପଳାଇ ଆସିଲି । ଏହିପରି ଏକ ଅଚାନକ ବିପଦ ଦର୍ଶନରେ ଅତ୍ୟନ୍ତ ଦୁଃଖିତ ହୋଇ ମୁଁ ତୁମକୁ ଏଠାରେ କହିବାକୁ ଆସିଲି । ଏହାପରେ କ’ଣ କରିବ ତୁମେ ବିଚାର କର ।’’

 

ସରଳ ବିଶ୍ୱାସିନୀ ହଂସାବଳୀ ତାଙ୍କ ଦାସୀର ବଜ୍ରପାତ ପରି ଭୟଙ୍କର ଏହି ମନଗଢ଼ା କଥା ଶୁଣି ମୁହ୍ୟମାନ ହୋଇ କହିଲେ, ‘‘ଭାଗ୍ୟକୁ ଧିକ୍ ! ସେ ତା’ର ସ୍ୱହସ୍ତ ପ୍ରସ୍ତୁତ ଦ୍ରବ୍ୟକୁ ଏତେ ମହତ୍ତ୍ୱରେ ପୂର୍ଣ୍ଣକରି ମଧ୍ୟ ତା’ ପ୍ରତି ଏତେ ବିପଦ ସୃଷ୍ଟି କରୁଚି । ବାସ୍ତବିକ ଚନ୍ଦ୍ରର କଳଙ୍କ ହେଉଛି ତା’ର ସ୍ରଷ୍ଟାର କଳଙ୍କ । ଏହି ଯୁବରାଜଙ୍କୁ ମୁଁ ସ୍ୱାମୀରୂପେ ବରଣ କଲି କିନ୍ତୁ ମୁଁ ତାଙ୍କୁ ଦେଖି ମଧ୍ୟ ପାରିଲି ନାହିଁ । ତେଣୁ ମୋ’ପାଇଁ ସବୁଠାରୁ ଭଲ ମୃତ୍ୟୁ କିମ୍ବା କୌଣସି ଅରଣ୍ୟକୁ ପଳାୟନ, ଏ ବିଷୟରେ ମୁଁ କ’ଣ କରିବି କହ ।’’ ସେ ନିଷ୍କପଟ ନାରୀ ଏକଥା କହନ୍ତେ ବିଶ୍ୱାସଘାତିନୀ କନକମଞ୍ଜରୀ ଉତ୍ତର ଦେଲା, ‘‘ତୁମର କୌଣସି ଦାସୀକୁ ତୁମ ପୋଷାକ ପିନ୍ଧାଇ ଯୁବରାଜଙ୍କୁ ବିବାହ କରାଇ ଦିଅ ଆମେ କୌଣସି ଏକ ସ୍ଥାନକୁ ଲୁଚି ଚାଲିଯିବା, କାରଣ ସେ ସମୟରେ ଏ ସ୍ଥାନର ଲୋକେ ଉତ୍ତେଜିତ ଅବସ୍ଥାରେ ଥିବେ’’ ରାଜକୁମାରୀ ଏକଥା ଶୁଣି ତା’ର ଦୁଷ୍ଟା ଦାସୀକୁ କହିଲେ, ତାହାହେଲେ ତୁ ମୋରି ପୋଷାକ ପିନ୍ଧି ସେ ଯୁବରାଜଙ୍କୁ ବିବାହ କର; ତୋ ପରି ବିଶ୍ୱସ୍ତା ମୋର କିଏ ଅଛି ?’’ ଦୁଷ୍ଟା କନକମଞ୍ଜରୀ ଉତ୍ତର ଦେଲା ‘‘ଖୁବ୍ ଭଲ, କୌଶଳ କରି ମୁଁ ଏହା କରିଦେବି । କିନ୍ତୁ ଠିକ୍ ସମୟରେ ମୁଁ ଯେପରି କହିବି ତୁମେ ସେହିପରି କରିବ ।’’ ତାଙ୍କୁ ଏହିପରି ସାନ୍ତ୍ୱନା ଦେଇ ସେ ଯାଇ ଅଶୋକକଢ଼ୀ ନାମରେ ତା’ର ଜଣେ ଅନ୍ତରଙ୍ଗ ବାନ୍ଧବୀକୁ ତା’ର ଗୁପ୍ତ ଇଚ୍ଛା ପ୍ରକାଶ କଲା । ତାରି ସହିତ ସେ ଦୁଃଖରେ ଭାଙ୍ଗି ପଡ଼ୁଥିବା ହଂସାବଳୀକୁ ତିନିଦିନ ଜଗି ରହିଲା । ଶେଷରେ ସେ ସମସ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ରାଜିହେଲେ ।

 

ବିବାହ ଦିନ ଆସନ୍ତେ ବର କମଳାକର ହସ୍ତୀ, ଅଶ୍ୱ ଓ ପଦାତିଜମାନଙ୍କ ଗହଣରେ ରାତ୍ରୀରେ ପହଞ୍ଚିଲେ । ପ୍ରାସାଦର ଲୋକେ ଆନନ୍ଦ ଉତ୍ସବରେ ମାତିଥିବା ବେଳେ କନକମଞ୍ଜରୀ କୌଶଳରେ ଅନ୍ୟ ଦାସୀମାନଙ୍କୁ ଦୂର କରାଇଦେଇ ହଂସାବଳୀକୁ ବେଶ କରିବା ବାହାନାରେ ତାଙ୍କ କକ୍ଷମଧ୍ୟକୁ ନେଇଗଲା ଏବଂ ନିଜେ ରାଜକୁମାରୀର ପୋଷାକ ପିନ୍ଧିଲା, ତାଙ୍କୁ ଅଶୋକକଢ଼ୀର ପୋଷାକ ଏବଂ ନିଜ ବାନ୍ଧବୀ ଅଶୋକକଢ଼ୀକୁ ନିଜର ପୋଷାକ ପିନ୍ଧାଇଲା ଏବଂ ରାତ୍ରୀ ହୁଅନ୍ତେ ହଂସାବଳୀକୁ କହିଲା, ‘‘ଏହି ନଗରର ପଶ୍ଚିମ ଦ୍ୱାରଠାରୁ ମାତ୍ର ଏକ କୋଶ ଗଲେ ସେଠାରେ ଏକ ପୁରାତନ କୋରଡ଼ିଆ ଶାଳ୍ମଳୀ ବୃକ୍ଷ ଦେଖିବ । ତାରି ଭିତରେ ମୋର ଆସିବାକୁ ଅପେକ୍ଷା କରି ଲୁଚିଥିବ । ସମସ୍ତ କାର୍ଯ୍ୟ ସରିଲେ ମୁଁ ନିଶ୍ଚୟ ତୁମ ନିକଟକୁ ଯିବି ।’’ ହଂସାବଳୀ ନିଜର ବିଶ୍ୱାସଘାତିନୀ ବାନ୍ଧବୀଠାରୁ ଏହିପରି ଶୁଣି ସମ୍ମତା ହେଲେ । ରାତିରେ ତାହାରି ପୋଷାକ ପିନ୍ଧି ସେ ଅନ୍ତଃପୁରରୁ ବାହାରିଗଲେ ଏବଂ ବରଯାତ୍ରୀମାନଙ୍କ ଦ୍ୱାରା ଭିଡ଼ ହୋଇଥିବା ପଶ୍ଚିମ ଦ୍ୱାରବାଟେ ଅଜ୍ଞାତରେ ଚାଲିଯାଇ ଶାଳ୍ମଳୀବୃକ୍ଷ ମୂଳରେ ଯାଇଁ ପହଞ୍ଚିଲେ । କିନ୍ତୁ ସେ ସେହି ବୃକ୍ଷର କୋରଡ଼ ଗାଢ଼ ଅନ୍ଧାର ଯୋଗୁଁ କଳା ଦେଖା ଯାଉଥିବାରୁ ତା’ ଭିତରକୁ ଯିବାକୁ ଭୟ କରି ପାଖରେ ଥିବା ଅନ୍ୟ ଏକ ବରଗଛ ଉପରେ ଚଢ଼ିଲେ । ସେଠାରେ ସେ ସେହି ପତ୍ରଗହଳ ମଧ୍ୟରେ ଲୁଚି ତାଙ୍କର ସେହି ବିଶ୍ୱାସଘାତିନୀ ବାନ୍ଧବୀର ଆଗମନକୁ ଅପେକ୍ଷା କରି ରହିଲେ କାରଣ ନିଜେ ସରଳ ପ୍ରକୃତିର ହୋଇଥିବାରୁ ତା’ର ଦୁଷ୍ଟ ବୁଦ୍ଧି ବିଷୟ ସେ ଜାଣି ପାରିଲେ ନାହିଁ ।

 

ଇତ୍ୟବସରରେ ଶୁଭ ଲଗ୍ନ ଉପସ୍ଥିତ ହୁଅନ୍ତେ ରାଜା ପ୍ରାସାଦରୁ ହଂସାବଳୀଙ୍କ ପୋଷାକ ପରିହିତା କନକମଞ୍ଜରୀକୁ ଅଣାଇ ଯଜ୍ଞ ବେଦୀରେ ବସାଇଲେ ଏବଂ କମଳାକର ସେହି ଶୁଭ୍ରବର୍ଣ୍ଣା ଦାସୀକୁ ବିବାହ କଲେ, ଏବଂ ରାତ୍ରୀ ହୋଇଥିବାରୁ ତାକୁ କେହି ଚିହ୍ନି ପାରିଲେ ନାହିଁ । ବିବାହ ଶେଷହେବା ସଙ୍ଗେ ସଙ୍ଗେ ରାଜକୁମାର ଶୁଭ ଲଗ୍ନର ଫଳ ଲାଭ କରିବାପାଇଁ ସେହି ଛଦ୍ମ ହଂସାବଳୀ ଓ କନକମଞ୍ଜରୀ ସାଜିଥିବା ଅଶୋକକଢ଼ୀକୁ ଘେନି ନଗରର ସେହି ପଶ୍ଚିମ ଦ୍ୱାରବାଟେ ଅତିଶୀଘ୍ର ନିଜ ଶିବିରକୁ ଯାତ୍ରା କଲେ । ଯାଉଁ ଯାଉଁ ସେ ସେହି ଶାଳ୍ମଳୀ ବୃକ୍ଷ ନିକଟରେ ପହଞ୍ଚିଲେ ଯାହା ନିକଟରେ ଥିବା ବଟବୃକ୍ଷରେ ନିଷ୍ଠୁର ଭାବରେ ପ୍ରତାରିତା ହୋଇଥିବା ହଂସାବଳୀ ଲୁଚି ରହିଥିଲେ । ସେ ସେଠାରେ ଉପସ୍ଥିତ ହୁଅନ୍ତେ ରାଜା ଆରୋହଣ କରିଥିବା ହସ୍ତୀର ପଛପଟେ ବସିଥିବା ଛଦ୍ମ ହଂସାବଳୀ ଯେପରିକି ଭୟକରି ତାଙ୍କୁ କୁଣ୍ଡେଇ ପକାଇଲେ । କମଳାକର ବ୍ୟସ୍ତ ହୋଇ ତାକୁ ଭୟର କାରଣ ପଚାରନ୍ତେ ସେ ଛଳରେ ଲୋତକ ଝରାଇ ଉତ୍ତର ଦେଲା ‘‘ଆର୍ଯ୍ୟପୁତ୍ର, ମୋର ମନେପଡ଼ୁଛି କାଲି ରାତିରେ ସ୍ୱପ୍ନରେ ରାକ୍ଷସୀ ପରି ଜଣେ ନାରୀ ଏହି ବୃକ୍ଷ ମଧ୍ୟରୁ ଧାଇଁ ଆସି ମତେ ଖାଇବାକୁ ଧରିଲା ।’’ ସେହି ସମୟରେ ଜଣେ ବ୍ରାହ୍ମଣ ଦଉଡ଼ିଆସି ମତେ ରକ୍ଷା କଲେ ଏବଂ ସାନ୍ତ୍ୱନା ଦେଇ କହିଲେ, ‘‘ବତ୍ସେ, ଏହି ବୃକ୍ଷକୁ ଜାଳିଦିଅ ଏବଂ ଏହି ନାରୀ ତା’ ମଧ୍ୟରୁ ବାହାରି ପଡ଼ିଲେ ତାକୁ ପୁଣି ତା’ ମଧ୍ୟକୁ ପକାଇଦିଅ । ତା’ପରେ ସବୁ ଠିକ୍ ହୋଇଯିବ-। ବ୍ରାହ୍ମଣ ଏହିପରି କହି ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ମୁଁ ଉଠିଲି । ସେଇଥିପାଇଁ ମୁଁ ଭୟ କଲି ।’’

 

ସେ ଏପରି କହନ୍ତେ କମଳାକର ସଙ୍ଗେ ସଙ୍ଗେ ସେ ବୃକ୍ଷ ଓ ସେ ନାରୀକୁ ଜାଳିଦେବପାଇଁ ଅନୁଚରମାନଙ୍କୁ ଆଦେଶ ଦେଲେ । ତେଣୁ ସେମାନେ ବୃକ୍ଷଟିକୁ ଜାଳିଦେଲେ ଏବଂ ଛଦ୍ମ ହଂସାବଳୀ ଭାବିଲା ଯେ ଯେହେତୁ ରାଜକୁମାରୀ ତା’ ମଧ୍ୟରୁ ବାହାରିଲା ନାହିଁ ସେ ତା’ ଭିତରେ ଜଳିଗଲା । ସେ ସନ୍ତୁଷ୍ଟ ହେଲା ଏବଂ କମଳାକର ପ୍ରକୃତ ହଂସାବଳୀକୁ ପାଇଛନ୍ତି ବୋଲି ମନେକରି ଶିବିରକୁ ଫେରିଲେ । ପରଦିନ ପ୍ରଭାତରେ ସେ ଶୀଘ୍ର ସେ ସ୍ଥାନରୁ ନିଜ ନଗର କୋଶଳକୁ ଫେରିଗଲେ ଏବଂ ତାଙ୍କ ବିଜୟରେ ସନ୍ତୁଷ୍ଟ ହୋଇଥିବା ପିତାଙ୍କ ଦ୍ୱାରା ରାଜପଦରେ ଅଭିଷିକ୍ତ ହେଲେ । ତାଙ୍କର ପିତା ଅରଣ୍ୟକୁ ଚାଲିଯିବାପରେ ସେ ଛଦ୍ମ ହଂସାବଳୀ ସେହି କନକମଞ୍ଜରୀକୁ ପତ୍ନୀରୂପେ ପାଇ ପୃଥିବୀ ଶାସନ କଲେ । କିନ୍ତୁ ଚାରଣ କବି ମନୋରଥସିଦ୍ଧି, କାଳେ କନକମଞ୍ଜରୀ ସେ କିଏ ବୋଲି ଜାଣି ନେବ ସେଥିପାଇଁ, ନିଜକୁ ନିରାପଦ ରଖିବାକୁ ରାଜପ୍ରାସାଦଠାରୁ ଦୂରରେ ରହିଲେ ।

 

ହଂସାବଳୀ ରାତିରେ ସେହି ବଟବୃକ୍ଷରେ ରହି, ସମସ୍ତ ଘଟଣା ଦେଖି ଓ ଶୁଣି ଜାଣିପାରିଲେ ଯେ ସେ କୌଶଳରେ ପ୍ରତାରିତା ହୋଇଛି । କମଳାକର ଚାଲିଯିବା ପରେ ସେ ନିଜକୁ ନିଜେ କହିଲା, ‘‘ହାୟ ! ମୋର ଦୁଷ୍ଟା ବାନ୍ଧବୀ କୃତଘ୍ନତା କରି ମୋ’ଠାରୁ ମୋ ପ୍ରିୟକୁ ଅପହରଣ କରିଛି, ହାୟ ! ସେ ନିଜ ମନକୁ ଶାନ୍ତି ଦେବାପାଇଁ ମତେ ପୋଡ଼ି ଦେବାକୁ ମଧ୍ୟ ଇଚ୍ଛା କରେ । କୃତଘ୍ନ ଲୋକଙ୍କୁ ବିଶ୍ୱାସ କଲେ ବିପଦରେ ନପଡ଼ିବ କିପରି ? ତେଣୁ ମୁଁ ଭାଗ୍ୟହୀନା ଏହି ଶାଳ୍ମଳୀ ବୃକ୍ଷର ଜଳନ୍ତା ଅଗ୍ନିରେ ଝାସ ଦେବି ।’’ ଏହିପରି ଚିନ୍ତା କରି ସେ ନିଜକୁ ପୋଡ଼ି ଦେବାର ସଂକଳ୍ପ କରି ବୃକ୍ଷରୁ ଓହ୍ଲାଇଲେ କିନ୍ତୁ ଭାଗ୍ୟକ୍ରମେ ସେ ପୁଣି ପ୍ରକୃତିସ୍ଥା ହୋଇ ନିଜେ ଏହିପରି ଭାବିଲେ, ‘‘ବିନା କାରଣରେ ମୁଁ କାହିଁକି ନିଜକୁ ଧ୍ୱଂସ କରିବି । ଯଦି ବଞ୍ଚିରହେ ତେବେ ଅତିଶୀଘ୍ର ସେ ବନ୍ଧୁଦ୍ରୋହିଣୀ ଉପରେ ପ୍ରତିଶୋଧ ନେବି । କାରଣ ମୋ ପିତାଙ୍କୁ ଜ୍ୱର ଆକ୍ରମଣ କରିଥିବାବେଳେ, ବିଷ୍ଣୁ ତାଙ୍କୁ ସ୍ୱପ୍ନରେ ଦେଖା କରି ମୋର ହସ୍ତସ୍ପର୍ଶରେ ସେ ଉପଶମ ହେବେ ବୋଲି କହିବାପରେ କହିଥିଲେ ଯେ, ହଂସାବଳୀ ତା’ର ଉପଯୁକ୍ତ ସ୍ୱାମୀ କମଳାକରକୁ ଲାଭ କରିବ କିନ୍ତୁ ଅଳ୍ପ କିଛି ସମୟ ପାଇଁ ସେ ଦୁଃଖ ଭୋଗ କରିବ’’ ଏହି ସଂକଳ୍ପ କରି ସେ ଏକ ନିର୍ଜନ ଅରଣ୍ୟ ମଧ୍ୟକୁ ଯାତ୍ରାକଲେ ।

 

ଅନେକ ବାଟ ଯିବାପରେ ସେ କ୍ଳାନ୍ତ ହୋଇ ପଡ଼ିଲେ ଏବଂ ତାଙ୍କ ପାଦ ଥରିବାକୁ ଲାଗିଲା । ରାତ୍ରୀ ଯେପରିକି ତାଙ୍କ ପ୍ରତି ଦୟାକରି ତାଙ୍କୁ ବାଟ ଦେଖାଇ ଦେବାପାଇଁ ଅନ୍ତର୍ହିତ ହୋଇଗଲା । ଆକାଶ ତାଙ୍କୁ ଦେଖି ଯେପରିକି ଦୟାରେ ବିଗଳିତ ହୋଇ ଶିଶିର ବିନ୍ଦୁ ରୂପକ ଅଶ୍ରୁଧାରା ବର୍ଷା କରିବାକୁ ଲାଗିଲା । ଗୁଣୀଜନମାନଙ୍କ ବନ୍ଧୁ ସୂର୍ଯ୍ୟ ତାଙ୍କ ପ୍ରାଣରେ ଆଶା ଓ ରାସ୍ତାଘାଟ ଦେଖାଇ ଯେପରିକି ତାଙ୍କୁ ସାନ୍ତ୍ୱନା ଦେବାକୁ ଉଦୟ ହେଲେ ଏବଂ ତାଙ୍କ ଅଶ୍ରୁ ପୋଛି ନେବାପାଇଁ ନିଜର ରଶ୍ମି ଅଙ୍ଗୁଳି ବଢ଼ାଇ ଦେଲେ । ତା’ପରେ ରାଜକୁମାରୀ କିଞ୍ଚିତ୍‍ ଆଶ୍ୱସ୍ତା ହୋଇ ଲୋକମାନଙ୍କ ଦୃଷ୍ଟି ଏଡ଼ାଇ ସରୁ ରାସ୍ତାଦେଇ ଚାଲିବାକୁ ଲାଗିଲେ ଏବଂ ତୀକ୍ଷ୍ମ କୁଶ ଘାସଦ୍ୱାରା କ୍ଷତବିକ୍ଷତ ହୋଇ ଅବଶେଷରେ ବହୁକଷ୍ଟରେ ଏକ ବନରେ ପହଞ୍ଚିଲେ । ସେହି ଅରଣ୍ୟରେ ପୂରିଥିବା ପକ୍ଷୀଗଣ ଯେପରିକି ‘‘ଆସନ୍ତୁ ! ଆସନ୍ତୁ କହି ଗୀତ ଗାଉଥିଲେ ।’’ ସେ କ୍ଳାନ୍ତ ହୋଇ ସେହି ବନରେ ପ୍ରବେଶ କଲେ ଏବଂ ସେଠାରେ ବୃକ୍ଷଗଣ ବାତାନ୍ଦୋଳିତ ଲତାମାନଙ୍କ ଦ୍ୱାରା ଯେପରିକି ତାଙ୍କୁ ସମ୍ମାନ ସହକାରେ ବିଞ୍ଚିଦେଲେ । ପ୍ରିୟତମଙ୍କ ପ୍ରତି କାମନାରେ ପୂରିତ ହୋଇ ସେ ବସନ୍ତ ସୁଷମା ମଣ୍ଡିତ ସେହି ବନକୁ କୋକିଳର ମଧୁ କୁହୁତାନରେ ଝଂକୃତ ଓ ପ୍ରଷ୍ଫୁଟିତ ବକୁଳରେ ସୁଗନ୍ଧିତ ହୋଇଥିବାର ଦେଖିଲେ । ଦୁଃଖାଭିଭୂତ ହୋଇ ସେ ଚିନ୍ତା କଲେ, ‘‘ଯଦିଓ ମଳୟ ପର୍ବତରୁ ଆସୁଥିବା ପୁଷ୍ପପରାଗଦ୍ୱାରା ରକ୍ତାଭ ଏଇ ପବନ ଅଗ୍ନିପରି ମତେ ଦଗ୍ଧ କରୁଛି ଏବଂ ମଧୁପ ଗୁଞ୍ଜନ କରୁଥିବାବେଳେ ବୃକ୍ଷରୁ ପଡ଼ୁଥିବା ପୁଷ୍ପରାଜି କାମଦେବର ଶରବୃଷ୍ଟି ପରି ମୋତେ ଆଘାତ କରୁଛି ତଥାପି ଏହି ବନରେ ରହି ଓ ଏହି ପୁଷ୍ପରାଜିରେ ରମାପତିଙ୍କୁ ପୂଜା କରି ମୋ ପାପକୁ ପ୍ରକ୍ଷାଳନ କରିବି ।’’ ଏହିପରି ସଂକଳ୍ପ କରି ସେ କମଳାକରଙ୍କୁ ପାଇବାପାଇଁ ପୁଷ୍କରିଣୀରେ ସ୍ନାନକରି ଫଳାହାର କରି ଏବଂ ବିଷ୍ଣୁଙ୍କୁ ଭକ୍ତି ପୂର୍ବକ ପୂଜାକରି ସେଠାରେ ରହିଲେ ।

 

ଘଟନାକ୍ରମେ ଏହି ସମୟରେ କମଳାକରଙ୍କୁ ଦୁରାରୋଗ୍ୟ ପାଳିଜର ଧରିଲା । ତହୁଁ ହଂସାବଳୀ ସାଜିଥିବା ଦୁଷ୍ଟା କନକମଞ୍ଜରୀ ତ୍ରସ୍ତା ହୋଇ ମନେମନେ ଭାବିଲା, ‘‘ମୋ ମନରେ ସର୍ବଦା ଏକ ଭୟ ଅଛି କାଳେ ଅଶୋକକଢ଼ୀ ମୋର ଗୋପନୀୟତା ପ୍ରକାଶ କରିଦେବ । ବର୍ତ୍ତମାନ ତା’ଠାରୁ ବଳି ଦ୍ୱିତୀୟ ଭୟ ଆସି ଉପସ୍ଥିତ । ହଂସାବଳୀର ପିତା ବହୁ ଲୋକଙ୍କ ଆଗରେ ମୋର ସ୍ୱାମୀଙ୍କୁ କହିଥିଲେ ଯେ ତାଙ୍କ କନ୍ୟାର ହସ୍ତ ସ୍ପର୍ଶରେ ଜ୍ୱର ଭଲ ହୁଏ । ତାଙ୍କର ଏହି ଜ୍ୱର ସମୟରେ ସେହି କଥା ମନେ ପଡ଼ିଯିବା ମାତ୍ରେ ମୁଁ ଧରା ପଡ଼ିଯିବି ଏବଂ ମୋର ସେ ଶକ୍ତି ନଥିବାରୁ ବିନାଶ ପ୍ରାପ୍ତ ହେବି । ତେଣୁ ବହୁଦିନ ତଳେ ମତେ ଜଣେ ଡାହାଣୀ ଜ୍ୱର ଉପଶମ କ୍ଷମତା ଥିବା ଜ୍ୱରପିଶାଚ ବିଷୟ କହିଥିଲା ତାକୁ ନିଜ କବଳକୁ ଆଣିବା ପାଇଁ ମୁଁ ରାଜାଙ୍କ ପକ୍ଷରୁ ଯଥାବିଧି ଅନୁଷ୍ଠାନ କରିବି । ମୁଁ କୌଶଳ କରି ଅଶୋକକଢ଼ୀକୁ ସେହି ପିଶାଚ ଆଗରେ ହତ୍ୟା କରିବି ଯେପରିକି ସେ ପିଶାଚକୁ ମଣିଷ ମାଂସ ଅର୍ପଣ କରାଯାଇ ପାରିବ ଏବଂ ଫଳରେ ସେ ମୋର ଦାସ ହୋଇ ମୋର ସମସ୍ତ କାର୍ଯ୍ୟ ସାଧନ କରିବ । ତାହାହେଲେ ରାଜାଙ୍କ ଜ୍ୱର ଭଲ ହୋଇଯିବା ସଙ୍ଗେ ସଙ୍ଗେ ଅଶୋକକଢ଼ୀ ମଧ୍ୟ ଅନ୍ତର ହେବ ଏବଂ ମୋର ଦୁଇଟା ଯାକ ଭୟ ଦୂର ହେବ । ଅନ୍ୟ କୌଣସି ଉପାୟରେ ମୁଁ ଭାଗ୍ୟର ଉନ୍ନତି ଦେଖିପାରୁ ନାହିଁ ।’’

 

ଏହିପରି ସଂକଳ୍ପ କରି ସେ ଅଶୋକକଢ଼ୀକୁ, ମଣିଷମରା ହେବାର ଆବଶ୍ୟକତାକୁ ବାଦ୍‌ ଦେଇ ନିଜ ଯୋଜନାର ଆଉସବୁ ଭଲ ଦିଗଗୁଡ଼ିକ କହିଲା । ଅଶୋକକଢ଼ୀ ରାଜି ହୋଇ ସମସ୍ତ ଦରକାରୀ ପଦାର୍ଥ ନେଇ ଆସିଲା ଏବଂ କନକମଞ୍ଜରୀ କୌଶଳରେ ଅନ୍ୟ ଅନୁଚରମାନଙ୍କୁ ଦୂରକରି ଏକା ଅଶୋକକଢ଼ୀ ସହିତ ରାତିରେ ଲୁଚିକରି ଅନ୍ତଃପୁରର ପଛପଟ ଦ୍ୱାର ବାଟଦେଇ, ହାତରେ ଖଡ୍‍ଗ ଧରି ନିର୍ଜନ ଏକଲିଙ୍ଗ ଶିବ ମନ୍ଦିରକୁ ଗଲା । ସେଠାରେ ଏକ ଛେଳିକୁ ମାରି ତା’ର ରକ୍ତରେ ଲିଙ୍ଗକୁ ଅଭିଷେକ କଲା । ଛେଳିର ମାଂସ ତାକୁ ଅର୍ପଣ କଲା, ଅନ୍ତନାଳୀକୁ ମାଳାପରି ଲିଙ୍ଗରେ ଗୁଡ଼ାଇଲା, ପଦ ପରି ଛେଳିର ହୃତ୍‌ପିଣ୍ଡକୁ ଲିଙ୍ଗ ଉପରେ ସସମ୍ମାନେ ସ୍ଥାପନ କଲା, ଛେଳି ଚକ୍ଷୁର ଧୂମରେ ଧୂପଦେଲା ଏବଂ ଶେଷରେ ପଶୁର ମୁଣ୍ଡଟାକୁ ଅଭିଷେକର ଉପହାର ସ୍ୱରୂପ ପ୍ରଦାନ କଲା । ତା’ପରେ ସେ ଯଜ୍ଞ ବେଦୀକୁ ଚନ୍ଦନ ଏବଂ ରକ୍ତରେ ଛିଞ୍ଚି ତା’ ଉପରେ ହଳଦି ରଙ୍ଗରେ ଅଷ୍ଟଦଳ ପଦ୍ମ ଅଙ୍କନ କଲା । ବେଦୀର ମଧ୍ୟସ୍ଥଳରେ ଆମ୍ବ ରସରେ ତିନି ମୁଣ୍ଡ ଓ ତିନି ଗୋଡ଼ ବିଶିଷ୍ଟ ଜ୍ୱର ପିଶାଚର ଚିତ୍ର ଆଙ୍କିଲା ଏବଂ ମୁଠାଏ ପାଉଁଶରେ ତା’ ଅସ୍ତ୍ର ଲେଖିଦେଲା । ତା’ପରେ ସେ ଗୁଡ଼ିଏ ପତ୍ରକୁ ଜ୍ୱର ପିଶାଚର ଅନୁଚରମାନଙ୍କ ପରି ତିଆରିକଲା ଏବଂ ନିଜେ ଜାଣିଥିବା ମନ୍ତ୍ରରେ ସେମାନଙ୍କୁ ଆବାହନ କରାଇଲା । ତା’ପରେ ମୁଁ ପୂର୍ବରୁ କହିଥିବା ପରି ସେମାନଙ୍କୁ ନରମାଂସ ଅର୍ପଣ କରିବାକୁ ଇଚ୍ଛାକରି ସେ ଅଶୋକକଢ଼ୀକୁ କହିଲା, ‘‘ହେ ସଖି ! ବର୍ତ୍ତମାନ ଏହି ଦେବତାଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କର । ତାହାହେଲେ ତୁ ଭାଗ୍ୟଲକ୍ଷ୍ମୀକୁ ପାଇ ପାରିବୁ ।’’

 

ଅଶୋକକଢ଼ୀ ରାଜିହୋଇ ଭୂମି ଉପରେ ଶୋଇ ପଡ଼ିଲା ଏବଂ ଦୁଷ୍ଟା କନକମଞ୍ଜରୀ ଖଡ୍‍ଗରେ ତାକୁ ଚୋଟେ ଦେଲା । ଖଡ୍‍ଗରେ ତା’ର କାନ୍ଧରେ କିଛି ମାତ୍ର ଆଘାତ ଲାଗନ୍ତେ ସେ ଉଠିପଡ଼ି ତ୍ରସ୍ତା ହୋଇ ପଳାଇଲା ଏବଂ କନକମଞ୍ଜରୀକୁ ଗୋଡ଼ାଉ ଥିବାର ଦେଖି ବାରମ୍ବାର ଚିତ୍କାର କଲା, ‘‘ରକ୍ଷାକର, ରକ୍ଷାକର ।’’ ନିକଟରେ ଥିବା କେତେକ ପ୍ରହରୀ ତାକୁ ରକ୍ଷା କରିବାକୁ ଧାଇଁ ଆସିଲେ । ସେମାନେ କନକମଞ୍ଜରୀକୁ ଖଡ୍‍ଗ ଧାରଣ କରି ଏକ ଭୟଙ୍କରୀ ରୂପରେ ତାକୁ ଗୋଡ଼ାଉଥିବାର ଦେଖି ତାକୁ କୌଣସି ରାକ୍ଷସୀ ବୋଲି ମନେକଲେ ଏବଂ ସେ ମଲାପରି ହୋଇଗଲା ପର୍ଯ୍ୟନ୍ତ ଖଣ୍ଡାରେ ହାଣିବାକୁ ଲାଗିଲେ । ଅଶୋକକଢ଼ୀ ମୁହଁରୁ ପ୍ରକୃତ ଘଟଣା ଶୁଣି ସେମାନେ ନଗରପାଳର ତତ୍ତ୍ୱାବଧାନରେ ଉଭୟ ନାରୀଙ୍କୁ ରାଜଦରବାରକୁ ନେଇଗଲେ । ରାଜ କମଳାକର ଏକଥା ଶୁଣିପାରି ତାଙ୍କର ସେହି ଦୁଷ୍ଟା ସ୍ତ୍ରୀ ଓ ତା’ର ବାନ୍ଧବୀକୁ ନିଜ ପାଖକୁ ଅଣାଇଲେ । ସେମାନଙ୍କୁ ଅଣାଗଲା ମାତ୍ରେ ଭୟ ଏବଂ ଆଘାତର ଅସହ୍ୟ ଯନ୍ତ୍ରଣାରେ କନକମଞ୍ଜରୀ ସେଇଠାରେ ପ୍ରାଣ ତ୍ୟାଗ କଲା ।

 

ରାଜା ଅତ୍ୟନ୍ତ ମନସ୍ତାପରେ ଆଘାତପ୍ରାପ୍ତା ଅଶୋକକଢ଼ୀକୁ ପଚାରିଲେ, ‘‘ଏସବୁର ଅର୍ଥ କ’ଣ ? ନିର୍ଭୟରେ କହ ।’’ ତେଣୁ ଅଶୋକକଢ଼ୀ କନକମଞ୍ଜରୀର ଦୁଃସାହସିକ କୃତଘ୍ନତା ଆଚରଣଠାରୁ ଆରମ୍ଭକରି ସମସ୍ତ ବିଷୟ କହିଲା । ରାଜା କମଳାକର ସତ୍ୟ ଘଟଣା ଜାଣିପାରି ସେଥିପାଇଁ ନିଜର ଭାଗ୍ୟକୁ ନିନ୍ଦି ବିଳାପ କରିବାକୁ ଲାଗିଲେ, ‘‘ହାୟ, ମୁଁ ମୋର ନିର୍ବୋଧତାରୁ ହାତେ ହାତେ ଏହି ଛଦ୍ମ ହଂସାବଳୀ ଦ୍ୱାରା ପ୍ରତାରିତ ହେଲି ! ଠିକ୍ ଅଛି, ଏହି ଦୁଷ୍ଟା ନାରୀ ତା’ର କାର୍ଯ୍ୟପାଇଁ ଉଚିତ ପ୍ରତିଦାନ ପାଇଛି, ରାଜାର ପତ୍ନୀ ହୋଇ ସେ ଏହିପରି ମୃତ୍ୟୁ ବରଣ କରିଛି, କିନ୍ତୁ ନିଷ୍ଠୁର ଭାଗ୍ୟ ମୋର ରତ୍ନକୁ ଅପହରଣକରି ଏବଂ ବାହାରକୁ ସେହିପରି ଦେଖାଯାଉଥିବା କାଚ ଦେଇ ମତେ କିପରି ବାଳକ ପରି ପ୍ରତାରିତ କଲା ? ଆହୁରି ମଧ୍ୟ ହଂସାବଳୀଙ୍କର ପିତାଙ୍କୁ ବିଷ୍ଣୁ ଯେ ତାଙ୍କ ହସ୍ତର ସ୍ପର୍ଶ ବିଷୟ କହିଥିଲେ ତାହା ମଧ୍ୟ ମୁଁ ସ୍ମରଣ କରିପାରିଲି ନାହିଁ । ଯାହାକି ଜ୍ୱର ଉପଶମ ଶକ୍ତିର ସାକ୍ଷ ଦେଇଥାନ୍ତା ।’’

 

ଏହିପରି ବିଳାପ କରୁଥିବାବେଳେ କମଳାକର ହଠାତ୍ ବିଷ୍ଣୁଙ୍କ କଥା ମନେ ପକାଇଲେ ଏବଂ ମନେମନେ ଭାବିଲେ, ‘‘ତାଙ୍କର ପିତା ମେଘମାଳିନ ମୋତେ କହିଥିଲେ ଯେ ବିଷ୍ଣୁ କହିଛନ୍ତି ତାଙ୍କୁ ସ୍ୱାମୀ ପ୍ରାପ୍ତ ହେବ କିନ୍ତୁ ସେ କିଛି ଦୁଃଖ ଅନୁଭବ କରିବେ । ମଣିଷକୁ କୁହାଯାଇଥିବା ସେହି ଦେବବାକ୍ୟ କେବେ ଅନ୍ୟଥା ହେବ ନାହିଁ । ତେଣୁ ଯେତେ ଦୂର ସମ୍ଭବ ସେ କୁଆଡ଼େ ଯାଇଛନ୍ତି ଏବଂ ଏପର୍ଯ୍ୟନ୍ତ ଜୀବନରେ ଅଛନ୍ତି । କାରଣ ଭାଗ୍ୟ ଓ ନାରୀର ହୃଦୟର ରହସ୍ୟ କିଏ ଭେଦ କରିପାରେ ? ଏ କ୍ଷେତ୍ରରେ ମୁଁ ପୁଣି ସେହି ଚାରଣ କବି ମନୋରଥସିଦ୍ଧିର ଆଶ୍ରୟ ନେବି ।’’

 

ଏହିପରି ଭାବି ରାଜା ସେହି ମହତ୍‍ କବିଙ୍କୁ ଡକାଇଲେ ଏବଂ ତାଙ୍କୁ କହିଲେ, ‘‘ହେ ବନ୍ଧୁ, ଆଉ ଆପଣ ପ୍ରାସାଦରେ ଦେଖାଯାଉ ନାହାନ୍ତି କାହିଁକି ?’’ କିନ୍ତୁ ଯେ ଦୁଷ୍ଟମାନଙ୍କ ଦ୍ୱାରା ପ୍ରତାରିତ ସେ କିପରି ନିଜ ଆକାଂକ୍ଷିତ ବସ୍ତୁ ପାଇ ପାରେ ? କବି ଏକଥା ଶୁଣି କହିଲେ, ‘‘ମୋର ଏ ବିଷୟରେ କହିବାର କଥା ଯେ ଅଶୋକକଢ଼ୀ କାଳେ ଗୁପ୍ତକଥା ପ୍ରକାଶ କରିଦେବ ବୋଲି ଆଶଙ୍କା ଥିବାରୁ ସେ ପ୍ରାୟ ମରିଥିଲା । କିନ୍ତୁ ଆପଣ ହଂସାବଳୀପାଇଁ ଦୁଃଖ କରନ୍ତୁ ନାହିଁ କାରଣ ବିଷ୍ଣୁ କହିଥିଲେ ଯେ ସେ କିଛିଦିନ ଦୁଃଖ ଭୋଗ କରିବେ । ସେ ନିଶ୍ଚୟ ତାଙ୍କୁ ରକ୍ଷା କରିବେ କାରଣ ସେ ସର୍ବଦା ବିଷ୍ଣୁଙ୍କ ପୂଜାରେ ନିଯୁକ୍ତା । ଧର୍ମର ଜୟ ହୁଏ ଏହା କ’ଣ ବର୍ତ୍ତମାନର ଘଟଣାରୁ ଜଣାଗଲା ନାହିଁ ? ତେଣୁ ହେ ରାଜା ମୁଁ ଯାଇ ତାଙ୍କ ସମ୍ବାଦ ଆଣିବି’’ କବି ଏକଥା କହନ୍ତେ ରାଜା ତାଙ୍କୁ ଉତ୍ତର ଦେଲେ, ‘‘ମୁଁ ନିଜେ ଆପଣଙ୍କ ସହିତ ତାଙ୍କ ଅନୁସନ୍ଧାନ କରିବାକୁ ଯିବି । ଅନ୍ୟଥା ମୋ ମନ ମୁହୂର୍ତ୍ତେ ସୁଦ୍ଧା ଶାନ୍ତି ପାଇ ପାରିବ ନାହିଁ ।’’

 

ରାଜା ଏକଥା କହି କାର୍ଯ୍ୟପନ୍ଥା ସ୍ଥିର କରି ନେଲେ ଏବଂ ପରଦିନ ତାଙ୍କ ମନ୍ତ୍ରୀ ପ୍ରଜ୍ଞାତ୍ୟକ ହସ୍ତରେ ରାଜ୍ୟଭାର ନ୍ୟସ୍ତ କଲେ । ମନ୍ତ୍ରୀ ତାଙ୍କୁ ବାରଣ କରିବାକୁ ଯେତେ ଯତ୍ନ କଲେ ମଧ୍ୟ ରାଜା ମନୋରଥସିଦ୍ଧି ସହ ଅଜ୍ଞାତରେ ନଗର ତ୍ୟାଗକଲେ । ସେ ନିଜ ଶାରୀରିକ କଷ୍ଟକୁ ତୁଚ୍ଛ ଜ୍ଞାନକରି ବହୁ ତୀର୍ଥସ୍ଥାନ, ତପୋବନ ଓ ଅରଣ୍ୟରେ ହଂସାବଳୀଙ୍କୁ ଖୋଜି ଲାଗିଲେ’ କାରଣ ପ୍ରେମର ଆକର୍ଷଣ ଖୁବ୍ ଗଭୀର । ଘଟନାକ୍ରମେ ସେ ଏବଂ ମନୋରଥସିଦ୍ଧି ହଂସାବଳୀ ତପସ୍ୟା କରୁଥିବା ଉପବନରେ ଯାଇଁ ପହଞ୍ଚିଲେ । ସେଠାରେ ସେ ରକ୍ତ ଅଶୋକ ବୃକ୍ଷତଳେ କ୍ଷୀଣ, ନିଷ୍ପ୍ରଭ ତଥାପି ଉଜ୍ଜ୍ୱଳ ଚନ୍ଦ୍ରର ଶେଷ କଳାପରି ସୁନ୍ଦର ଦେଖା ଯାଉଥିବା ହଂସାବଳୀଙ୍କୁ ଦେଖିଲେ । ସେ କବିଙ୍କୁ କହିଲେ, ‘‘ଏ କିଏ ଏପରି ନୀରବ ନିଶ୍ଚଳ ହୋଇ ତପସ୍ୟାରେ ରତ ଅଛନ୍ତି ? ସେ କ’ଣ କୌଣସି ଦେବୀ କାରଣ ତାଙ୍କର ସୌନ୍ଦର୍ଯ୍ୟ ଅଲୌକିକ ?’’ କବି ଏ କଥା ଶୁଣି ସେ ଆଡ଼େ ଚାହିଁ କହିଲେ, ‘‘ହେ ରାଜା, ଆପଣ ହଂସାବଳୀଙ୍କୁ ପାଇଥିବାରୁ ଭାଗ୍ୟବାନ୍’’ କାରଣ ସେ ନିଜେ ସେଠାରେ ଠିଆ ହୋଇଛନ୍ତି । ହଂସାବଳୀ ସେ କଥା ଶୁଣି ସେମାନଙ୍କ ଆଡ଼େ ଚାହିଁଲେ ଏବଂ କବିଙ୍କୁ ଚିହ୍ନିପାରି ପୁଣି ଦୁଃଖକରି କାନ୍ଦି ଉଠିଲେ, ‘‘ହାୟ ମୋ ପିତା, ମୁଁ ବିନଷ୍ଟ ହୋଇଗଲି । ହାୟ ମୋ ସ୍ୱାମୀ କମଳାକର । ହାୟ ମନୋରଥସିଦ୍ଧି ! ହାୟ ସବୁ ଅନର୍ଥର ମୂଳ ବିଧାତା ।’’

 

ଏହିପରି ବିଳାପ କରି ସେ ମୂର୍ଚ୍ଛା ହୋଇ ତଳେ ପଡ଼ିଗଲେ ଏବଂ କମଳାକର ମଧ୍ୟ ତାଙ୍କୁ ଦେଖି ଓ ତାଙ୍କ କଥା ଶୁଣି ଦୁଃଖରେ ଅଭିଭୂତ ହୋଇ ଭୂତଳେ ପତିତ ହେଲେ । ଦୁହେଁ ମନୋରଥସିଦ୍ଧି ଦ୍ୱାରା ଚେତନା ଲାଭ କଲେ । ଯେତେବେଳେ ଦୁହେଁ ନିଶ୍ଚିତ ରୂପେ ପରସ୍ପରକୁ ଚିହ୍ନିଲେ ଖୁବ୍ ଆହ୍ଲାଦିତ ହେଲେ । ବିଚ୍ଛେଦର ସାଗର ପାରି ହୋଇ ସେମାନେ ଅବର୍ଣ୍ଣନୀୟ ଆନନ୍ଦ ଅନୁଭବ କଲେ ଏବଂ ଯଥା ସମୟରେ ପରସ୍ପରକୁ ନିଜନିଜର କଥା କହିଲେ । ତା’ପରେ କମଳାକର ଓ ହଂସାବଳୀ ସେ କବି ସହିତ କୋଶଳ ନଗରକୁ ଫେରିଲେ । ସେଠାରେ ସେ ହଂସାବଳୀଙ୍କ ପିତା ପ୍ରସିଦ୍ଧରାଜା ମେଘମାଳିନଙ୍କୁ ଡକାଇ ବିବାହ ଉତ୍ସବରେ ଜ୍ୱର ଉପଶମକାରୀ ତାଙ୍କର ହସ୍ତ ଗ୍ରହଣ କଲେ । କମଳାକର ଓ ହଂସାବଳୀଙ୍କ ମିଳନ ପରେ ଉଭୟ ବିଶୁଦ୍ଧ ଗୁଣର ଥିବାରୁ କମଳାକର ଉଜ୍ଜ୍ୱଳ ଯଶଃ ଲାଭକଲେ । ଜୀବନର ଲକ୍ଷ୍ୟ ସାର୍ଥକକରି ଯାହାଙ୍କ କଷ୍ଟ ଫଳବତୀ ହେଲା ସେହି ହଂସାବଳୀ ସହିତ ମନୋରଥସିଦ୍ଧିଙ୍କଠାରୁ ବିଚ୍ଛିନ୍ନ ନ ହୋଇ ସୁଖରେ ପୃଥିବୀ ଶାସନ କଲେ ।

Image